ଶୀତର ସେଇ ଶେଷ ରାତି

Representational Image

ସେଇ ଯେ ଶେଷ ଥର କାଳିନ୍ଦୀ ତା ‘ ଆଈ ଘରକୁ ଯାଇଥିଲା । ତାହା ଗୋଟିଏ ଶୀତ ଋତୁ ଥିଲା । ଚାରିଆଡେ ହେମାଳ ପବନ ର ଛୁଆଁ । ରାତି ରେ ଘାସ ଉପରେ କାକର ବୁନ୍ଦା, ପାଦ ଦୁଇଟିକୁ ଓଦା କରିଦେଉଥିଲା । ନଇ କୂଳିଆ ଗାଁ ହୋଇଥିବାରୁ ଥଣ୍ଡା ପବନରେ ଦେହ ଶୀତେଇ ଉଠେ । ସନ୍ଧ୍ୟା ହେଲା ମାତ୍ରେ ଗୋଟିଏ ସ୍ଥାନ ରେ ନିଆଁ ଜଳା  ହେଉଥିଲା ଏବଂ ନିଆଁ କୁ ଘେରି କିଏ ମଶିଣା, ରେ ତ କିଏ ଦଉଡ଼ିଆ ଖଟ ରେ ବସି ନିଜକୁ ଉଷୁମ ରଖିବାକୁ ଚେଷ୍ଟା କରୁଥିଲେ । ଗରମ ମୁଢି ଓ ବାଦାମ ଭଜା ର ଆସର ଜମୁଥିଲା । ମଝିରେ ମଝିରେ ମାଇଁ ନ ହେଲେ ଆଈ ଷ୍ଟିଲ ଗ୍ଲାସ ରେ ଗରମ ଗରମ ଚା ପରିବେଷଣ କରୁଥିଲେ । ଥଣ୍ଡା ଯୋଗୁଁ ତର ତର ହୋଇ ଗ୍ଲାସ ଟି କୁ ଚଟ କିନା ପାଟିରେ ଲଗାଉ ଲଗାଉ ଜିଭ ଅଗ ଟା କେତେ କେତେ ଥର ଜଳିଯାଇ ଦୁଇ ଦିନ ଯାଏଁ ଜିଭ ର ସ୍ୱାଦ ଚାଲିଯାଉଥିଲା ।

କାଳିନ୍ଦୀ ଆଈ ଘର ପାଖରେ ରହୁଥିଲା କେଉଁଟୁଣୀ ବୁଢ଼ୀ । ପୁରୁଣା କସ୍ତା ଶାଢ଼ୀ କୁ ଗୁଡେଇ କି ପିନ୍ଧିଥିବ । କଳା ମଚ ମଚ ଶରୀର ରେ ଧଳା ଚୁଟି । ସୋରିଷ ତେଲ ର ବାସ୍ନା ପାଖରେ ବସିଲେ ବାରି ହୋଇ ପଡେ । ବୁଢ଼ୀ ପାଖରେ ଯେମିତି ଗପ ର ପସରା । ରଜାରାଣୀ, ଅସୁରୁଣୀ, ଡାହାଣୀ, ଭୂତ, ପ୍ରେତ ଠାରୁ ଆରମ୍ଭ କରି ରାମାୟଣ, ମହାଭାରତ ସମ୍ବନ୍ଧୀୟ ସବୁ କାହାଣୀ ର ପେଡି ଯେମିତି ସେ ତାର କଙ୍କାଳ ସାର ଦେହରେ ଲୁଚେଇ ରଖିଥାଏ । କାଳିନ୍ଦୀ ଶାଲ ଭିତରେ ଜାକି ଜୁକି ହୋଇ ବସି ଗପ ଶୁଣିବାରେ ଏମିତି ହଜି ଯାଏ ଯେ କେତେବେଳେ ଖାଇବା ସମୟ ହୋଇଯାଏ ତାକୁ ଜଣା ପଡ଼େନି । ଆଈ ଙ୍କର ବାରମ୍ବାର ତାଗିଦ ସତ୍ୱେ ଖାଇବାକୁ ଯିବା ପାଇଁ ତାର ଇଚ୍ଛା ହୁଏନି  l

କେଉଟୁଣୀ ବୁଢ଼ୀ ଜାଣି ଜାଣି କହେ,”ଆରେ ପିଲେ ଭୋକ ରେ ମୋର ପେଟ ପସିଲାଣି, ଦୁଇ ଗୁଣ୍ଡା ଖାଇକି ଗପ ଟି ସାରିବି ।” ସଭା ଭଙ୍ଗ ହୁଏ । ଦଉଡି ଯାଆନ୍ତି ଯେ ଯାହା ଘରକୁ । ଶୀଘ୍ର ଖାଇବା ଶେଷ କରି ବସିଯାନ୍ତି ପୁଣି ଯେ ଯାହା ଜାଗାରେ । ବୁଢ଼ୀ ପୁଣି ଗପିଯାଏ ତାର ଅବଶିଷ୍ଟ କାହାଣୀ । ଗପ ସରୁ ସରୁ କେତେ ରାତି ହୁଏ, ଘଣ୍ଟା ଦେଖିବାକୁ କାହାରି ସ୍ପୃହା ନ ଥାଏ । ବୁଢ଼ୀ କିନ୍ତୁ ତା ‘ ଘର ଚୁଲି ମୁଣ୍ଡରେ ସପ ପାରି ଶୋଇ ପଡେ ଆଉ ଗୋଟିଏ ରାତି ଅପେକ୍ଷାରେ ।

ତା ‘ପର ଦିନ କାଳିନ୍ଦୀ ର ନିଦ ଭାଙ୍ଗିଲା ହୋ ହାଲ୍ଲା ଶବ୍ଦ ଶୁଣି । ବାହାରକୁ ଯାଇ ଯାହା ଦେଖିଲା, ତା ଆଖିକୁ ବିଶ୍ୱାସ ହେଲା ନାହିଁ । ବୁଢ଼ୀ ଟି ଗତ ରାତି ରେ ସେମିତି ଚୂଲି ମୁଣ୍ଡରେ ଶୋଇଥିବା ଅବସ୍ଥା ରେ ଜୀବନ ହରେଇ ଦେଇଥିଲା l 

କାଳିନ୍ଦୀ ର ଆଈ ସବୁଦିନ ପରି କେଉଟୁଣୀ ବୁଢ଼ୀ ଘରକୁ ଚୂଲି ଲଗେଇବା ପାଇଁ ଲୁହା ଚଟୁ ଧରି ନିଆଁ ଆଣିବାକୁ ଯାଆନ୍ତି । ସେଦିନ ଭୋର ରୁ ଯାଇ ଡାକିବାରୁ ବୁଢ଼ୀ କିଛି ଶବ୍ଦ ଦେଲାନି । ପାଖକୁ ଯାଇ ହଲେଇ ଦେଲା ବେଳକୁ ବୁଢ଼ୀ ର ପ୍ରାଣବାୟୁ ଉଡିସାରିଛି । କେବଳ ପଡିରହିଥିଲା ତାର ନିଶ୍ଚଳ, କଙ୍କାଳସାର ଶରୀର । ଏସବୁ ଦୃଶ୍ୟ ଦେଖି ଏକ ହିମ ଶୀତଳ ଶିହରଣ କାଳିନ୍ଦୀ ର ତାଳୁ ରୁ ତଳିପା ଯାଏଁ ସଂଚରିତ ହୋଇଗଲା ଏବଂ ଆଖି ଦୁଇଟି ଲୁହ ରେ ଜଳକା ହେଇଗଲା । ବାହାରେ ପ୍ରବଳ ଥଣ୍ଡା ଥିଲେ ମଧ୍ୟ ଉତ୍ତପ୍ତ ହୋଇଯାଇଥାଏ ତାର ଅନ୍ତର ଏବଂ ଅସ୍ତ ବ୍ୟସ୍ତ ହୋଇଯାଉଥାଏ ସେ ଟିକିଏ ଥଣ୍ଡା ପବନ ପାଇଁ ।

ତା ପରେ ଶୀତ ଦିନ ଆସିଲେ କାଳିନ୍ଦୀ ର ବହୁତ ମନେ ପଡ଼େ ଆଈ ଘର କଥା । କେଉଟୁଣୀ ବୁଢ଼ୀ କଥା l ତାର ଗପ କୁହା ଢଙ୍ଗ କଥା, ହେଲେ ଆଜିଯାଏ କାହାକୁ କହି ନି ସେ, ବୁଢ଼ୀ ତାକୁ ମରିବା ପୂର୍ବ ଦିନ କହିଥିବା ଗୋଟିଏ କଥା ।

ଗପ ଶୁଣିସାରି ଉଠି ଘରକୁ ଆସିଲା ବେଳେ ବୁଢ଼ୀ କାଳିନ୍ଦୀ କୁ ମାଗିଥିଲା ଘୋଡିହେବା ପାଇଁ ସେ ପିନ୍ଧିଥିବା ଶାଲ । ଯାହା କି ସେ,’କାଲି ଦେବି ‘ବୋଲି କହି ମିଛ ପ୍ରତିଶ୍ରୁତି ଦେଇ ଚାଲି ଆସିଥିଲା । ସେଥିପାଇଁ ପରଦିନ ସକାଳ ର ହୃଦୟ ବିଦାରକ ଘଟଣାଟି ପାଇଁ ନିଜକୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଥିଲା କାଳିନ୍ଦୀ ।

ତାକୁ ମନେହେଲା ବିଚରା ବୁଢ଼ୀ ଟି ବୋଧେ ଶୀତ ସହି ନ ପାରି ଅକାଳ ରେ ମୃତ୍ୟୁ ବରଣ କଲା । ଜୀବନ ଥିବା ଯାଏଁ ଘଟଣା ଟି ପାଇଁ କାଳିନ୍ଦୀ ନିଜକୁ କ୍ଷମା ଦେଇ ପାରିନି । ଆତ୍ମଗ୍ଲାନି ରେ ଆଈ ଘରକୁ ଯିବା ମଧ୍ୟ ତା ପକ୍ଷେ ଆଉ ସମ୍ଭବ ହୋଇ ପାରିନି ।

ୟା ଭିତରେ ଅନେକ ବର୍ଷ ବିତିଯାଇଛି l କାଳିନ୍ଦୀ ତା ମାମୁଁ ପୁଅ ବାହାଘର ପାଇଁ ଆଇଘର ଗାଁ କୁ ନିମନ୍ତ୍ରିତ ହେଇଛି l ଏତେ ଦିନ ଯାଏ ମନକୁ ଆସି ନ ଥିବା କିମ୍ବା ମନେ ପକେଇବାକୁ ଚାହୁଁ ନ ଥିବା କଥା ଟି କାଳିନ୍ଦୀ ହୃଦୟକୁ ଚହଲେଇ ଦେଇଛି l ଯିବାକୁ ତ ପଡିବ !ମାମୁଁ ମାଇଁ ଏତେ କରି କହିଛନ୍ତି l ବିବାହ ପୂର୍ବଦିନ ସପରିବାର ସେଠି ପହଞ୍ଚିଲା ସେ l 

ଗାଁ ଗୁଡିକରେ ଗୋଟିଏ ଘରେ ବାହାଘର ଥିଲେ ବି ପୁରା ଗାଁ ଭିତରେ ସେହି ଉତ୍ସାହ ଦେଖାଯାଏ l ସମସ୍ତେ ଏତେଦିନ ପରେ କାଳିନ୍ଦୀ କୁ ଦେଖି ଭଲମନ୍ଦ ପଚାରି ବୁଝୁଥାନ୍ତି l ମୁହଁରେ କୃତ୍ରିମ ହସ ଟିଏ ଫୁଟେଇ ତାର ଅନ୍ତରରେ ଥିବା ଭୟ କୁ ଲୁଚେଇବାକୁ ଚେଷ୍ଟା କରୁଥାଏ ସେ l ଶୀତଦିନରେ ସନ୍ଧ୍ୟା ହେଲା ମାତ୍ରେ ନିଆଁ ଚାରିପଟେ ବସିବା ଦୃଶ୍ୟ ଦେଖି କେଉଁଟୁଁଣୀ ବୁଢ଼ୀ କଥା ତାର ବେଶୀ ବେଶୀ ମନେପଡିବାକୁ ଲାଗିଲା l ତାର ଘର ଆଡେ ଘେରାଏ ବୁଲିଆସିବାର ପ୍ରବଳ ଇଚ୍ଛା କୁ ଆଉ ସେ ରୋକି ପାରିଲାନାହିଁ l କାହାକୁ ନ ଜଣାଇ ଧୀରେ ଚାଲିଗଲା ସେ ଘର ଆଡେ କାଳିନ୍ଦୀ l ଅତି ସନ୍ତର୍ପଣରେ ଭିତରେ ପ୍ରବେଶ କଲା l ଭଙ୍ଗା ଦଦରା ପାଣି ମାଠିଆ, ଅଳନ୍ଧୁଲଗା କାନ୍ଥ ଏବଂ ଭଗ୍ନପ୍ରାୟ ତାର ଚାଳ ଘର ଦେଖି ଏକ ଅଜଣା ଭୟରେ ତା ଛାତି ଥରିବାକୁ ଲାଗିଲା l ସେଇଠୁ ଫେରିବାକୁ ଉଦ୍ୟତ ହୁଅନ୍ତେ ତାକୁ ଶୁଭିଲା କେହି ଜଣେ କୁନ୍ଥେଇ କୁନ୍ଥେଇ କହୁଥିବା କିଛି ଅସ୍ପଷ୍ଟ ଶବ୍ଦ !, ‘ ମୋତେ ତୋର ଶାଲ ଗୋଟିକ ତ ଦେଲୁନି ମାଆ ‘!! ଏକମୁହାଁ ହୋଇ ଦଉଡି ଆସିଲା ସେ ମାମୁଁଘରକୁ l ଚଞ୍ଚଳ ହାତରେ ଦରାଣ୍ଡି ନେଲା ତା’ ନିଜର ଶାଲ, ତା ହ୍ୟାଣ୍ଡ ବ୍ୟାଗ ଭିତରୁ l 

ଶାଲ ଟି କୁ ନେଇ କେଉଁଟୁଁଣୀ ବୁଢ଼ୀର କଳା ପଡ଼ିଯାଇଥିବା ରୋଷେଇଘର ଚୁଲି ପାଖରେ ରଖିଦେଇ, ଆଖି ପିଛୁଳାକେ ଫେରିଆସିଲା l ପଛକୁ ଫେରି ଅନେଇବାକୁ ବି ତାର ସାହସ ନ ଥାଏ l ସେଇଠୁ ଆସି କାହା ସାଙ୍ଗେ କିଛି କଥା ନ ହୋଇ ଚୁପଚାପ ଶୋଇବାକୁ ଚାଲିଗଲା l ମାଇଁ, ଆଈ ଯେତେ ଖାଇବାକୁ ଡାକିଲେ ଗଲାନି l ତା ମନରେ ତୃପ୍ତି ଥାଏ, ଯେ ସେ କେଉଁଟୁଁଣୀ ବୁଢ଼ୀକି ତା ମନଲାଖି ଜିନଷ ଟି ଦେଇ ଆସିଛି l ଏତେଦିନ ଯାଏ ତା ମନକୁ ଭାରାକ୍ରାନ୍ତ କରି ରଖିଥିବା କଥା କୁ ସେ ଆଜି ପୂରଣ କରିପାରିଛି l ବହୁତ ବର୍ଷ ପରେ ଆଜି ତା ମନରେ ଆଶ୍ବସ୍ତିର ଝଲକ ବାରି ହୋଇପଡୁଥାଏ l 

🔸ଶ୍ରୁତକୀର୍ତ୍ତି ତ୍ରିପାଠୀ 🔸 ଫୋନ – 6379516478, ଭୁବନେଶ୍ୱର – ୨ 

Share

Related Posts

4.6 5 votes
Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x