ସ୍ମୃତି ସେ ବହୁତ ମଧୁର, ବାଲି ଘର ମୋ ଅଗଣାର

Representational Image

# ସ୍ମୃତି ଏକ ରୂପା ଜହ୍ନ  #  ଏଇ ଅଗଣା, ଏ ଘର ଏ ଦାଣ୍ଡ ଦୁଆର # ସ୍ମୃତି ଏକ ବାଲି ଘର ମୋ ଅଗଣାର #

ଏଇ ଅଗଣା। ଅଗଣା କହିଲେ କଣ ବୁଝାଏ? ଆଜିର ସହରି ଜୀବନ ରେ ଅଗଣା ଗୋଟିଏ ଅବୁଝା ଶବ୍ଦ। ଆମ ପିଲାମାନଙ୍କୁ ଏହାର ମାନେ ବୁଝାଇବା ସବୁଠୁ କଷ୍ଟକର କାମ। କାରଣ ଏମାନଙ୍କ ଜୀବନ ସିମେଣ୍ଟ ଜଙ୍ଗଲ ରେ ଫ୍ଲାଟରେ ବା ଆପାର୍ଟମେଣ୍ଟରେ ଆରମ୍ଭ ହୋଇ ଫ୍ଲାଟରେ ସରିବାକୁ ଯାଉଛି।

ଏବେ ଗାଁ ରେ ମଧ୍ୟ ସିମେଣ୍ଟ ଜଙ୍ଗଲ ତା’ର ପ୍ରଭାବ ବିସ୍ତାର କରି ଚାଲିଛି। ଗାଁ ରେ ଗୋବରରେ ଲିପାପୋଛା ଅଗଣା ଆଉ ରଙ୍ଗ ମାଟିରେ ଲିପା ଚାଳ ଘର ଟିଏ ଦେଖିବାକୁ ମିଳୁନି। ଗୋବର ଟିକିଏ ପାଇଁ, ଗାଁ ରେ ଗାଈ ଟିଏ ନାହିଁ। ଆଜି ମାର୍ଗଶିର ମାସ ଗୁରୁବାର ଟାରେ ଲକ୍ଷ୍ମୀ ପୂଜାରେ ଚିତା ପକାଇବା ପାଇଁ ରଙ୍ଗମାଟି ଲିପା କାନ୍ଥ ଟିଏ ନାହିଁ।

ଏଭଳି ଅବସ୍ଥାରେ ଓଡ଼ିଆ ଅଭିଧାନ ରେ ଅଗଣା ର ଅର୍ଥ ବହୁତ ଦୁର୍ବୋଧ୍ୟ ହୋଇପଡ଼ିଛି। ତେଣୁ ପାଠକ ମାନଙ୍କପାଇଁ ଅଗଣା ର ମାନେ ବୁଝାଇବାକୁ ଚେଷ୍ଟା କରିଛି।

ଅଗଣା ହେଲା ଘର ଭିତରେ ବା ପଛ ପାଖରେ ଥିବା ଟିକିଏ ଜାଗା ଜାହା ଆକାଶ କୁ ପୁରା ଖୋଲା। ଖୋଲା ଆକାଶ ତଳେ ଥିବା ସେଇ ଜାଗାର ଚାରି ପାଖରେ ଘର ଥାଏ ବା ଯଦି କେବଳ ଦାଣ୍ଡ ପାଖରେ ଘର ଥାଏ, ଅନ୍ୟ ତିନି ପାଖ ପାଚେରୀ ଦ୍ଵାରା ବା କିଛି ନହେଲେ କଣ୍ଟା,  ବାଉଁଶ ବା ଝାଟିମାଟି ଦ୍ଵାରା ଆବଦ୍ଧ ଥାଏ। ବାଡ଼ି ପାଖକୁ ଯିବା ପାଇଁ ଗୋଟିଏ ରାସ୍ତା ଥାଏ। ୟାକୁ କହନ୍ତି ଅଗଣା। 

ଏଇ ଅଗଣା ସମସ୍ତଙ୍କର ପ୍ରିୟ ଥାଏ। ଖୋଲା ଆକାଶ ତଳେ ଏଇ ଅଗଣାରେ ତୁଳସୀ ଚଉରା ଟିଏ ନିଶ୍ଚୟ ଥାଏ। ପିଲା ଖେଳ ଠୁ ସବୁ କିଛି ଏଇ ଅଗଣାରେ ହୋଇଥାଏ। ତାର ସ୍ମୃତି କିଛି ଅଲଗା ସମସ୍ତଙ୍କ ପାଇଁ। ସେଥିପାଇଁ ତାର ବର୍ଣ୍ଣନା ଦେଖିବାକୁ ମିଳିଛି ଅନେକ ଜାଗାରେ। ଓଡ଼ିଆ ସିନେମାରେ ଝିଅ ବିଦା ହୋଇ ଶାଶୁ ଘରକୁ ଚାଲି ଗଲା ବେଳେ ଏଇ ଅଗଣାକୁ ଝୁରି କରି ଯେଉଁ ଗୀତ ଅଛି, ( ଏଇ ଅଗଣା, ଏ ଘର ଏ ଦାଣ୍ଡ ଦୁଆର) ବହୁତ ହୃଦୟ ଛୁଆଁ ହୋଇଛି। ଅନେକଙ୍କୁ ଭାବପ୍ରବଣ କରି ଆଖିରୁ ଲୁହ ବାହାର କରେଇଛି।

ମୁଁ ସେଇଭଳି ଗୋଟିଏ ଅଗଣା ବିଷୟରେ କହିବାକୁ ଯାଉଛି। ମୋ ଗାଁ ର ଅଗଣା। ଯେଉଁଠି ମୋର ପିଲାଦିନ ବିତିଛି। ମୋ ଗାଁ ହେଲା କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଅନ୍ତର୍ଗତ ‌‌ତୁଣପୁର। ମହାନଦୀ କୂଳରେ ମୋ ଗାଁ। ଏଇ ଗାଁ ର ଗୋଡ଼ି ମାଟି, ମହାନଦୀ ର ଗାଧୁଆ ତୁଠ, ବାଲି ପଠା, ଆମ୍ବତୋଟା, ପୋଖରୀ ଆଉ ବିଲମାଳ କୁ କେବେ ଭୁଲି ହବନି।

ଗାଁ ରୁ ବାହାରେ ଯାଇ ପାଠ ପଢ଼ିଲେ ବି, ପ୍ରତି ଛୁଟିରେ ଗାଁକୁ ଆସିଯାଉଥିଲି ଗାଁ ସ୍ମୃତି କୁ ତାଜା କରିବା ପାଇଁ। ୧୯୮୮ ମସିହାରେ, ଯେତେବେଳେ ଗାଁ ଛାଡିଲି ଚାକିରିବା ପାଇଁ, ଚାଲିଗଲି ଗାଁ ଠାରୁ ବହୁତ ଦୁରକୁ କୋରାପୁଟ ରାୟଗଡ଼ାକୁ। ତାପରେ ଚାକିରି ଜୀବନରେ ଯିବାକୁ ପଡ଼ିଛି ଓଡ଼ିଶା ବାହାରକୁ। ଖାଲି ମୁଁ ନୁହେଁ ମୋର ସବୁ ଭାଇ ଆଉ ଚାଚେରା ଭାଇ ଙ୍କର ସେଇ ଅବସ୍ଥା। କେବଳ ଆମ ବିଜୁ ଗାଁରେ ଅଛି। ଗାଁ କୁ ଆସିଲେ ବୋଉ ସହିତ ଭେଟ ହୁଏ ସିନା, ଖେଳ ସାଥି ଭାଇ ମାନଙ୍କ ସାଙ୍ଗେ ଭେଟ ହୁଏନି। କାରଣ ସମସ୍ତଙ୍କ ଆସିବା ଯିବା ସମୟ ମେଳ ଖାଉନଥିଲା।

ସେଇ ହଜିଯାଇଥିବା ପିଲାଦିନ କୁ ମନେପକାଇବା ପାଇଁ, ସେଇ ପିଲା ମାନଙ୍କ ସାଙ୍ଗରେ ପୁଣି ପିଲା ହେଇ ଯିବାପାଇଁ ପ୍ରବଳ ଇଚ୍ଛା ହେଉଥାଏ। ମୁଁ ଯେଉଁ କୁନି କୁନି ଭାଇ ଭଉଣୀ ମାନଙ୍କ ସାଙ୍ଗରେ ଖେଳୁଥିଲି ଏଇ ଅଗଣାରେ, ସମସ୍ତେ ବଡ଼ ହେଇଯାଇଛନ୍ତି। ସମସ୍ତଙ୍କୁ ଡାକି, ପୁଣି ସମସ୍ତଙ୍କ‌‌‌ ସାଙ୍ଗରେ ପିଲା ହେଇ ଯିବାପାଇଁ କେବେଠାରୁ ଇଛା ହେଉଥିଲେ ବି ସେ ସୁଯୋଗ ଜୁଟୁ ନଥିଲା। ବହୁତ ଯୋଗାଯୋଗ ପରେ, ସବୁ ଭାଇ ଓ ଭଉଣୀ ମାନଙ୍କ ସହଯୋଗରେ ୨୬ ଡିସେମ୍ବର ୨୦୧୭ ରେ ସମସ୍ତେ ଏକାଠି ହୋଇଥିଲେ ସେଇ ଅଗଣାରେ, ମୋ’ରି ଗାଁ ତୁଣପୁର ରେ।

ବହୁତ ଭାବିକରି ଯାଇଥିଲିି, ଏମିତି କରିବି, ସେମିତି କରିବି, ପିଲାଦିନ କୁ ମନେପକେଇ ଏଇଆ କହିବି, ସେଇଆ କହିବି, ପ୍ରଜାପତି ଭଳି ଇଆଡେ ସିଆଡେ ଉଡ଼ିବି, ଡେଇଁବି କୁଦିବି, ଅନେକ କିଛି। କିନ୍ତୁ ଅନେକ କିଛି ଅକୁହା ରହିଗଲା।

ଅନେକ ବର୍ଷ ପରେ ସମସ୍ତେ ଯେତେବେଳେ ଏକାଠି ହେଲେ ସେଇ ଅଗଣାରେ, ସମସ୍ତେ ଭାବପ୍ରବଣତା ରେ ଜୁଡୁବୁଡୁ ହୋଇ ଗଲେ। ଆଖିରେ ଲୁହ ଆସିଗଲା ସମସ୍ତଙ୍କର। ଆଖିର ଲୁହକୁ ଯେତେ ଲୁଚେଇବାକୁ ଚେଷ୍ଟା କଲେ ବି ସ୍ପଷ୍ଟ ବାରି ହୋଇ ଯାଉଥିଲା ସେଦିନ ସନ୍ଧ୍ୟାରେ। ପୁରୁଣା ସ୍ମୃତି କୁ ମନେପକାଇଲା ବେଳକୁ ଥରିଲା ଓଠ ରୁ କଥା ବାହାରୁ ନଥିଲା, ଲାଖିଯାଉଥିଲା। ବାକ୍ଋଦ୍ଧ ହେଉଥିଲା କଣ୍ଠ ଓ ଝରି ଆସୁଥିଲା ଦୁଇ ଧାର ଆଖିରୁ। ରୋକିବାକୁ ଯେତେ ଚେଷ୍ଟା କଲେ ବି ରୋକି ହେଉନଥିଲା। ତାକୁ ଲୁଚେଇବା ପାଇଁ ଆମ ନାଚ ଗୀତ ରଖିଥିଲୁ ମଝିରେ ମଝିରେ ପିଲାମାନଙ୍କର, ଯେଉଁ ମାନଙ୍କ ଉପରେ ଛାଇ ପଡ଼ି ନଥିଲା ଭାବପ୍ରବଣତାର।

ଭାବପ୍ରବଣତାର ଜୁଆର ଭିତରେ ହଜି ଗଲା ଅନେକ ଙ୍କର ଅନେକ କଥା। ମୋର ବି ହଜିଗଲା ଗୋଟିଏ କଥା ଯାହା ମୁଁ କହିବାକୁ ଭାବିଥିଲି। ସେ ହେଉଛି ମୋ ଅଗଣା ର କଥା। ଆଜି ଠିକ୍ ବର୍ଷକ ପରେ ସେଇ ସମାରୋହର ସ୍ମୃତି ରେ କହିବାକୁ ଯାଉଛି। ମୁଁ ୟାକୁ ଲେଖିକି ସମସ୍ତଙ୍କ ସାମନାରେ ଉପସ୍ଥାପନ କରୁଥିବାରୁ ଭାବପ୍ରବଣତା ବାଧକ ସାଜୁନି ବରଂ ସାହାଯ୍ୟ କରୁଛି।

ହଁ ପିଲାବେଳର ସେଇ ମାଟି ଅଗଣା। ଖୋଲା ଆକାଶ, ଚାରିପଟେ ଚାଳ ଛପର ଘର। ବୋଉ ଆମର ଲିପି ଦେଇଛି ଗୋବରରେ ଖୁବ୍ ସୁନ୍ଦର ଭାବରେ। ବୋଉ ଆମର ଲିପିଦେଇନି, ସତେ ଯେମିତି ସୁତୀ ଶାଢ଼ୀ ଖଣ୍ଡେ ପିନ୍ଧେଇ ଦେଇଛି ଆମ ଅଗଣା ରାଣୀକୁ। ଅଗଣା ମଝିରେ ଠିକ ତା’ର ନାଭି ଦେଶରେ ଶୋଭା ପାଉଛି ତୁଳସୀ ଚଉରା ଟିଏ। ଶୈଳନାନୀ ଲଗେଇ ଦେଇଚି ଧାଡ଼ି ଧାଡ଼ି ଗେଣ୍ଡୁ ଗଛ ଅଗଣାର ଗୋଟିଏ କଡ଼ରେ, ଠିକ୍ ରୋଷେଇ ଘର କାନ୍ଥ କଡ଼କୁ। ଗଛ ସବୁ ଭର୍ତ୍ତି ହେଇଚି ଲାଲ୍ ଆଉ ହଳଦିଆ ଗେଣ୍ଡୁଫୁଲରେ । ଫୁଲ ଗୁଡ଼ିକ ଆଉ କିଛି ନୁହେଁ ଅଗଣା ରାଣୀ ର ସୁତୀ ଶାଢ଼ୀର ଧଡି। ବଡ଼ ଦାଦା ଲଗେଇ ଦେଇଥିଲେ ଗୋଟିଏ ବାକ୍ସ ଗଛ (croton plant) ଅଗଣାର ମୁଣ୍ଡରେ, ପତ୍ର ତାର ମୋଡ଼ି ମୋଡ଼ି କୁନ୍ତଳାୟୀତ କେଶ ପରି ତଳକୁ ଝୁଲି ପଡ଼ିଛି। ଆଉ ବୁଢ଼ାବାପା ଲଗେଇଛନ୍ତି ହେନା ଗଛଟିଏ ଠିକ୍ ବାକ୍ସ ଗଛ ତଳକୁ। ପ୍ରତ୍ୟେକ ଡାଳ ଭର୍ତ୍ତି ହେଇଚି ଚୁନି ଚୁନି ହେନା ଫୁଲରେ। ଡାଳସବୁ ତଳକୁ ଝୁଲି ପଡ଼ିଛି ଫୁଲ ଭାରରେ। ଲାଗୁଚି ଅଗଣା ରାଣୀର ଜୁଡାରେ ଖୋସି ଦେଇଛନ୍ତି ଗଜରା ଟିଏ। ହେନା ଫୁଲର ଗଜରାର ମହକରେ ଏକ ଅପୁର୍ବ ପରିବେଶ ସୃଷ୍ଟି ହୋଇଛି ଅଗଣାରେ।

ହେଲେ ଅଗଣା ରାଣୀ ଆଜି ଏତେ ସଜେଇ ହୋଇଛି କଣ ପାଇଁ। ସନ୍ଧ୍ୟା ବେଳଟାରେ ସଜେଇ ହୋଇ କାହାକୁ ବା ଅପେକ୍ଷା କରିଛି। କିଏ ଆସିବକି? ହଁ, ସିଏ ବୋଧେ ଜହ୍ନ ମାମୁଁ କୁ ଅପେକ୍ଷା କରିଛି।

କିଛି ସମୟପରେ ପୁର୍ବ ଆକାଶରେ ବାଉଁଶ ଗଛ ଫାଙ୍କରେ ଉଙ୍କି ମାରିଲା ଜହ୍ନମାମୁଁ। ରୁପେଲି କିରଣ ବିଛାଡ଼ି ହୋଇ ପଡ଼ିଲା ଅଗଣାରେ। ଅଗଣା ରାଣୀ ଆହୁରି ସୁନ୍ଦର ଦେଖାଗଲା ରୁପେଲି ଆଲୁଅର ଝଲକରେ। ଚାଳଘର ର ମଥାନ ଆକାରରେ ଅଙ୍କାବଙ୍କା ଛାଇ ଟିଏ ସୃଷ୍ଟି ହେଇଗଲା ଅଗଣାର ଛାତି ଉପରେ। ଆମେ ସବୁ ସାନ ପିଲାଯାକ କୁରୁଳିକରି ଡେଇଁ ପଡ଼ିଲୁ ଅଗଣାର ଛାତି ଉପରକୁ। ସେଇ ଅଙ୍କାବଙ୍କା ଛାଇ କଡ଼ରେ ଖେଳିବାକୁ ଲାଗିଲୁ “ଛାଇ କି ପଥୁଲି”।

ଢଗ ବୋଲିକି ଜଣକୁ ଚୋର ବଛା ହୋଇ ଯାଉଥିଲା।  ଚୋର ଆଲୁଅରେ ରହିବ ଅନ୍ୟମାନେ ସମସ୍ତେ ଛାଇ ରେ ରହି ଟିକିଏ ମୁଣ୍ଡର ଛାଇ ଦେଖେଇ ଦେବେ। ଚୋର ଯାହା ମୁଣ୍ଡର ଛାଇକୁ  କୁଦି ଦବ ସିଏ ହେବ ଚୋର। ସିଏ ଆଲୁଅକୁ ଯିବ, ପୁଣି ଯେତେବେଳେ ଆଉ ଜଣକର ଛାଇକୁ କୁଦିବ ତାକୁ ଚୋର କରି ସିଏ ଛାଇକୁ ଆସିବ। ଖୁବ୍ ମଜା ଆସୁଥିଲା ଏଇ ଖେଳରେ। ବୁଢ଼ାବାପା ସେଇ ବାରଣ୍ଡାରେ ବସି ଆମକୁ କହୁଥିଲେ ଏମିତି କୁଦ୍ ସେମିତି କୁଦ୍ । ସେ ବି ଆମ ଖେଳର ଗୋଟେ ଭାଗିଦାର ଥିଲେ।

ମୋ ଅଗଣା ଯେମିତି ଚାହିଁ ବସିଥିଲା ଏଇ ପିଲାମାନଙ୍କୁ କୋଳେଇ ନବା ପାଇଁ। ଭାବୁଥିଲା ଯେମିତି ଜହ୍ନମାମୁଁ ଜଲଦି ଆସିଯାଉ ଆଉ ତା କୁନି ପିଲାମାନେ ତା ଛାତିରେ ଲୋଟି ଯାଆନ୍ତୁ।

ଖେଳିକି ହାଲିଆ ହୋଇ ଗଲା ପରେ ଯାଇ ରୋଷେଇ ଘର ଚୁଲି ପାଖରେ। ବୋଉ, ଖୁଡ଼ି ବା ନାନୀ କୋଳକୁ ଲାଗିକି ବସିଯାଉଥିଲେ। ସେଇଠି ଚୁଲି ପାଖରେ ବୋଉଠୁ ରାଜା ରାଣୀ, ବୁଢୀ ଅସୁରୁଣୀ ଗପ ଶୁଣୁଶୁଣୁ  ଖାଇ ଦେଲାପରେ ସିଧା ଆସି ଲମ୍ବା ଘରେ ରେଜେଇ ଭିତରେ ଧାଡ଼ି କରି ଶୋଇ ଯାଉଥିଲେ।

ଅଗଣାରୁ ଗଞ୍ଜା କୁକୁଡ଼ା ଟା ରଡ଼ି ପକେଇଲାଣି  କୁ଼ଂକ-କୁକୁଡୁଉୁ-କୁଉ। ଜଣା ପଡ଼ିଲା ପାହାନ୍ତିଆ ହେଇଗଲାଣି। ନିଦ ଛାଡ଼ି ଛାଡ଼ି ଆସୁଛି। ପୁଣି କୁକୁଡ଼ାଟା ଡାକ ଛାଡ଼ିଲା କୁକୁଡୁଉଉ- କୁଉମ୍। କୁକୁଡା ଟା କହୁଥିଲା ଅଗଣା ଡାକିଲାଣି ମୋତେ ଖୋଲିଦିଅ ମୁଁ ଅଗଣାରେ ଘେରାଏ ବୁଲିଯାଏ। ସେପାଖ ବଖରା ରେ କୁନି ପିଲାଟିଏ ଖୁଜୁବୁଜୁ ହୋଇ ଉଠିଲାଣି। ତା କାନକୁ ଟପ୍ ଟପ୍ ପାଣି ପଡ଼ିବାର ଆବାଜ୍ ଆସିଗଲା।  ସେ ଟିକିଏ ଉଠି ପଡ଼ିକି ଭଲଭାବରେ କାନେଇଲା। ହଁ ଟପ୍ ଟପ୍ ଶବ୍ଦ। ସେ ତା ବୋଉର କାନିକୁ ଟାଣି ଟାଣି ଅଳି କଲା, “ବୋଉ ନାତି ପାଇନାଣି। ମାଆ ଗ ଇମ୍ପେ। ” ତା ବୋଉ ଦେହକୁ ଟିକିଏ ହଲେଇ ଦେଲା, “ମାଆ ଗଅ ଇମ୍ପେ। ନାତି ପାଇଲାଣି”।

ପିଲାଟିର ଭାଷା କେବଳ ସେଇ ଅଗଣାର ସଦସ୍ୟ ମାନେ ହିଁ ବୁଝିପାରୁଥିଲେ। ଗ ମାନେ ଗୋବର, ଇମ୍ପେ ମାନେ ପାଣି। ମା ଗୋବର ପାଣି ପକେଇଲେଣି ଅଗଣା ଓଳେଇବା ପାଇଁ। ରାତି ପାହିଲାଣି । ଉଠୁ।

ଗାଇ ଗୋବର କୁ ପବିତ୍ର ମାନା ଯାଉଥିଲା। ପାହାନ୍ତି ପହରୁ ଗୋବର ପାଣି ପଡ଼ିଲେ ଅଗଣା ଓଳା ହଉଥିଲା। ବୋଉ ପିଲାଟିର କଥା ଶୁଣି ଡାକିଦେଲେ, “ପୁଅ ରେ” ଆଉକି ସେ  ରହେ। ଅଗତ୍ୟା ଖୁଡ଼ି ପିଲାଟିକୁ ଧରି ବାହାରକୁ ଆସିଲେ। ବୋଉ ନଇଁକରି ଅଗଣା ଓଳଉଥିଲା, ପିଲାଟି ଅଗଣା ଓଳା ସରିବା ପର୍ଯ୍ୟନ୍ତ ବୋଉ ପିଠିରେ ନାଉ ହେଇକି ଅଗଣା ଓଳେଇଲା। ତା ପରେ ବୋଉ ପିଲାଟିକୁ ଆଣି ଲମ୍ବା ଘରେ ଛାଡ଼ିଦେଲେ। ପିଲାଟି ଗୁରୁଣ୍ଡି ଗୁରୁଣ୍ଡି ରେଜେଇ ଉପରେ ଚଢ଼ିଗଲା।  ରେଜେଇ ଭିତରେ ଶୋଇଥିବା ପିଲାଗୁଡ଼ା ଉଠିପଡ଼ିଲେ। କୁନି ପିଲାଟାକୁ ଯିଏ ପାରିଲା କୁଣ୍ଡା କୁଣ୍ଢି କରି ଗେଲ କଲା। କିଏ ଉଠେଇ ଦେଲୁ କହିକି, ଗେଲୁଆ ଚାପୁଡ଼ା ବା ବିଧାଟିଏ ଦେଲା। ପୁଣି ଅଗଣା ଡାକିଲାଣି। ସମସ୍ତେ ଉଠିକି ଧାଇଁଲେ ଅଗଣା ଆଉ ବାରିଆଡେ। ଓହୋ ବାଡ଼ିରେ ବେଙ୍ଗେଳା ପଡ଼ିଛି। କି ମଜା ସେ ବେଙ୍ଗେଳା। ବଳଦଙ୍କ ପଛରେ ହଅ-ହ ଅହ କରିକି ଧାଇଁଲା ପରେ, ଚକରା ବୁଢ଼ାବା ଦେଖିଲେ ବଳଦଟା ହଗିବାକୁ ଯାଉଛି। କହିଦେଲେ ପଧାନେ ପାଳ ନୁଣ୍ଡାଟା ଦେଖା। ଆଉ ସଠି କେ ରୁହେ, ଧାଇଁଲେ କଇଁଆ ମୁଳକୁ। ଧାନ ବସା ହୋଇଥିଲା। ଧାନବସା ଚୁଲି ପାଖେ ଟିକେ ବସିଗଲୁ ନିଆଁ ପୁଆଇଁବା ପାଇଁ। ପଡିଶା ଘର ବଡ଼ମା ଆସି କହିଲେ, ” କିଶର ବୋଉ, ଧାନ ବସେଇଚ। ଆମର ଦିଟା ଜ‌ହ୍ନି ସିଜେଇ ଦିଅନ୍ତନି।” ହଉ ଦିଅ। ତାପରେ ସେ ଦିଟା ଜହ୍ନି, ଚାରିଟା ପୁଆ ସାରୁ ଆଉ ଭେଣ୍ଡି ସିଝେଇ ବାକୁ ଦେଲେ। ବୋଉ ତାକୁ ଧାନ ଭିତରେ ପୋତି ଦେଲା। ବୋଉ ବେଲିରେ କହିଲା, ତମ ପୁଅ ପାଇଁ ଦେଲ, ମୋ ପୁଅ ପାଇଁ କାଇଁ?” ବଡ଼ମା କହିଲେ, “ସବୁଯାକ ତମ ପୁଅ ପାଇଁ ରଖୁନ” କହି ଚାଲିଗଲେ।

ସେପାଖେ ବଗିଚା ରୁ ଧୁଆଁ ଦେଖାଗଲା। ବୁଢ଼ାବାପା ବୋଧେ ନିଆଁ କରିଛନ୍ତି। ଧାଇଁଲୁ ବଗିଚାକୁ। ବୁଢ଼ାବାପା କହିଲେ ପୁଅରେ ଖଣ୍ଡିକୁଟା ପକା ନିଆଁ ଜଳେଇବନି ଖାଲି ଧୁଆଁ କରିବ।  ଦେଖ କୁହୁଡି ହେଇଚି ଆମ୍ଵ ବଉଳ ସବୁ ପୋଡ଼ିଯିବ। ସେଠି ଧୁଆଁ ବାଜିଲେ ରକ୍ଷା ପାଇଯିବ। ଏତିକି ବେଳକୁ ସାମନା ପଟୁ ବସିଥିବା ପିଲା ଫୁଙ୍କିଦେଲା, ଧୁଆଁ ଆସିକି ମୋ ଆଖିରେ ବାଜି, ଆଖି ପୋଡିଲା। ଉଠିକି ଧାଇଁଲୁ ଅଗଣାକୁ। ଶାଳୁଆ କି ମୁତୁରି ଦାନ୍ତକାଠି ରେ ଦାନ୍ତ ଘସିଦେଇ  ମୁଢି, ଦହି ଗୁଡ଼ ଚକଟା ଖିଆ ହୋଇଗଲା। ବହିଟିକିଏ ଖୋଲା ହେଲାକି ନାହିଁ ପୁଣି ଅଗଣାରେ। ପିଲାଟିଏ ତିନିଚକିଆ ସାଇକେଲ ଧରି ପ୍ରସ୍ତୁତ। ବୋଉ ଦେଖିଦେଲା, ମିଠା ଗାଳିଟିଏ ଦେଲା “ତୁ ମୋ ଅଗଣା ଖରାପ କରିଦବୁ”। ପିଲାଟିର ମୁଁହ ଶୁଖିଗଲା। ବୋଉ କହିଲା ହଉ ଯା ଚଲା, ମୁଁ ପୁଣି ଗୋବରରେ ଲିପିଦେବି। ପିଲାଟି ମୁହଁରେ ହସ ଖେଳି ଉଠିଲା। ତିନିଚକିଆ ସାଇକେଲଟା ଘର୍ ଘର୍ କରି ଅଗଣା ଚାରିପଟେ ବୁଲିଗଲା। ସାଇକେଲ ଚକରେ ଅଗଣାର ଛାତି ଚିରି ହେଇଗଲା। ହେଲେ ଅଗଣା ଖୁସି ହେଉଥିଲା ପିଲାମାନଙ୍କୁ ତା କୋଳରେ ପାଇକି। ବୋଉ ଭାବୁଥିଲା, ଠିକ ଅଛି କାଲି ସକାଳୁ ଗୋବର ରେ ଲିପି ଦେବି।

ଇଏ ସେଇ ଅଗଣାର ସ୍ମୃତି, ସାଇତି ରଖିଚି ମନରେ ରୂପା ଜହ୍ନ ପରି।

**********

କିଶୋର ଚନ୍ଦ୍ର ଚଉଧୁରୀ, ତୁଣପୁର, ବଡମ୍ବା, କଟକ

Share

Related Posts

4.8 9 votes
Rating
Subscribe
Notify of
guest
0 Comments
Newest
Oldest Most Voted
Inline Feedbacks
View all comments
0
Would love your thoughts, please comment.x
()
x