ସର୍ପଫଣା ପରି ସୁଦୃଶ୍ୟ ମଣିନାଗ ପର୍ବତ
କାହିଁ କେତେ ବାଙ୍କେ ତା’ ଦେହୁ ଝର ହୁଏ ନିର୍ଗତ ।
ଉତ୍ଫୁଲ୍ଲିତ କରେ ଚିତ୍ତକୁ ଅଶ୍ରୁମୁଖୀ ପ୍ରପାତ
ନାନା ବନଫୁଲ ବାସନା ଛୁଟୁଥାଇ ନିରତ ।
ଶିଖରୀ ଶୀର୍ଷରେ ନିର୍ମିତ କୁଟିକମ ମନ୍ଦିରେ
ମାତା ମଣିନାଗ ଶୋଭିତ ଚକାଶିଳା ଉପରେ ।
ହଜାର ହଜାର ବର୍ଷ ତଳର କଥା । ସେତେବେଳେ ଆମ ରାଜ୍ୟ ବଣ ଜଙ୍ଗଲରେ ପୂରି ରହିଥିଲା । ଠାଏ ଠାଏ ଜନବସତି ମଧ୍ୟ ଥିଲା । ଲୋକମାନେ ଚାଷ ଓ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଜୀବନ ବିତାଉଥିଲେ । ସେତେବେଳେ ଜଙ୍ଗଲରେ ବାଘ, ସିଂହ, ହାତୀ, ଭାଲୁ ଆଦି ହିଂସ୍ର ପଶୁ ବହୁଳ ଭାବରେ ଥିଲେ । ସେମାନଙ୍କ ଯୋଗୁଁ ଯେତିକି ଭୟ ଥିଲା, ଅସୁରମାନଙ୍କ ଯୋଗୁଁ ତା’ଠାରୁ ଅଧିକ ଭୟ ଥିଲା । ଅସୁରମାନଙ୍କୁ ଦୈତ୍ୟ ଓ ରାକ୍ଷସ ମଧ୍ୟ କୁହାଯାଉଥିଲା । ସେମାନେ ମଣିଷ ସମେତ ଜୀବଜନ୍ତୁ ଭକ୍ଷଣ କରୁଥିଲେ । ପୁରାଣରେ ଆମେ ଏହି ଅସୁରମାନଙ୍କ କଥା ଶୁଣିଆସିଛେ । ସେହିଭଳି ଜଣେ ଅସୁର ଥିଲା ରଣାସୁର । ତା’ ଭୟରେ ଲୋକମାନେ ଥରହର ହେଉଥିଲେ । ସେ ରହୁଥିଲା ରଣପୁରର ମଣିନାଗ ପର୍ବତରେ । ସେ ସ୍ନାନ କରୁଥିଲା ମହାନଦୀରେ । ସ୍ନାନ ସାରି ଶରଣକୁଳରେ ଥିବା ଲଡୁବାବାଙ୍କୁ ଦର୍ଶନ କରୁଥିଲା । ଦର୍ଶନ ସାରି ରହୁଥିଲା ରଣପୁର ମଣିନାଗ ପର୍ବତରେ । ସେ ଥିଲା ହିଂସ୍ର । ତେଣୁ ମଣିଷ ସମେତ ପଶୁମାନଙ୍କୁ ମାରି ଖାଉଥିଲା । ତା’ ପ୍ରକୋପରୁ ରକ୍ଷା ପାଇବା ପାଇଁ ଲୋକମାନେ ଦେବୀ ଚର୍ଚ୍ଚିକାଙ୍କୁ ପ୍ରାର୍ଥନା କଲେ । ଦେବୀ ଚର୍ଚ୍ଚିକା ଲୋକମାନଙ୍କ ଡାକ ଶୁଣିଲେ ଓ ରଣାସୁରକୁ ବଧ କଲେ । ବାଙ୍କୀରେ ଥିବା ଚର୍ଚ୍ଚିକାଙ୍କ ଧ୍ୟାନ ମନ୍ତ୍ରରେ ଏହା ଉଲ୍ଲେଖ ଅଛି ।
“ଧ୍ୟାୟତେ ଖଡ଼ଗ୍ ଧରାଂ ବରାଭୟ କରାଂମୁଣ୍ଡାୟମାଳାଂ ଶିରଂ
ସର୍ପଶକ୍ତି କରାଂ ରଣାସୁର ଶବରୁଢ଼ାଞ୍ଚ ବୀରାସନାମ୍ ।
ଦନ୍ତାସକ୍ତ କନିଷ୍ଠିକାଂ କୃଦିଲସତ୍ ମୁଣ୍ଡମାଳାଂ ଦଧାନାଂ
ମୁକ୍ତକୁଚାଂ କରାଳ ବଦନାଂ ଦିଗ୍ବାସିନୀଂ ଚର୍ଚ୍ଚିକାମ୍ ।”
ରଣାସୁରର ରାଜ୍ୟକୁ କୁହାଯାଉଥିଲା ରଣାସୁରପୁର । ରଣାସୁରପୁରରୁ ରଣପୁର ନାମ କରଣ ହୋଇଛି । ସେହିଭଳି ବାଣାସୁରର ରାଜ୍ୟକୁ ବାଣପୁର କୁହାଯାଉଛି । ରଣାସୁର ନିଧନ ହେବାପରେ ବିଶ୍ୱବାସବ ରଣପୁରର ରାଜା ହେଲେ । ସେତେବେଳେ ଏହି ରାଜ୍ୟର ସୀମା ଉତ୍ତରରେ ମହାନଦୀ, ପଶ୍ଚିମରେ କୁସୁମୀ ନଦୀ ଓ ବୌଦ୍ଧ ରାଜ୍ୟ, ଦକ୍ଷିଣରେ ଚିଲିକା ଓ ବାଣପୁର ରାଜ୍ୟ ଏବଂ ପୂର୍ବରେ ଦୟାନଦୀ ଥିଲା । ବିଶ୍ୱବାସବ ହେଉଛନ୍ତି ଶବର ରାଜା ବିଶ୍ୱାବସୁର ସାନଭାଇ । କଣ୍ଟିଲୋ ଠାରେ ନୀଳମାଧବ ପୂଜା ପାଉଥିଲେ । ଶବର ବିଶ୍ୱାବସୁ ପ୍ରଭୁଙ୍କୁ ନୀଳକନ୍ଦରରେ ଗୋପନରେ ରଖି ପୂଜା କରୁଥିଲେ । ପ୍ରଭୁ ନୀଳମାଧବ ଦାରୁବ୍ରହ୍ମ ହୋଇ ଶ୍ରୀକ୍ଷେତ୍ରକୁ ଅନ୍ତର୍ହିତ ହୋଇଗଲେ । ଏଥିରେ ମର୍ମାହତ ହୋଇ ଭକ୍ତ ବିଶ୍ୱାବସୁ ଓ ତାଙ୍କ ଭାଇ ବିଶ୍ୱବାସବ ନୀଳମାଧବଙ୍କୁ ଧ୍ୟାନରେ କାତର ନିବେଦନ କଲେ । ଦେବତା ତାଙ୍କର ଗୁହାରି ଶୁଣିଲେ । ଦେବତାଙ୍କର ସ୍ୱପ୍ନାଦେଶ ହେଲା ଯେ ବିଶ୍ୱାବସୁ ଶ୍ରୀକ୍ଷେତ୍ରକୁ ଯାଇ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ପୂଜା ଅର୍ଚ୍ଚନା କରିବାର ସୁଯୋଗ ପାଇବେ । ଭାଇ ବିଶ୍ୱବାସବ ରଣାସୁରପୁରରେ ନୀଳମାଧବଙ୍କ ଆସ୍ଥାନ ଚକାଶିଳାକୁ ନେଇ ପୂଜା କରିବେ ଓ ସେଠାରେ ରାଜତ୍ୱ କରିବେ । ଏହି ଚକାଶିଳାରେ ବିଷ୍ଣୁ, ଶିବ ଓ ଦୁର୍ଗାଙ୍କର ବୀଜମନ୍ତ୍ର ଓ ଯନ୍ତ୍ର ଖୋଦିତ ହୋଇଥିଲା । ବିଶ୍ୱବାସବ ମଣିନାଗ ପର୍ବତ ଉପରେ ଚକାଶିଳାକୁ ରଖି ପୂଜା ଆରାଧନା କଲେ । ଏହି ରାଜବଂଶ ଖ୍ରୀ.ପୂ. ୧୭୨୭ ରୁ ରାଜତ୍ୱ ଆରମ୍ଭ କରିଥିବାରୁ ଆଜକୁ ୩ ହଜାର ବର୍ଷ ପୂର୍ବରୁ ଚକାଶିଳା ମଣିନାଗ ପର୍ବତରେ ପୂଜା ହେଉଅଛି । ଏହାପରେ ସେହି ବଂଶର କୌଣସି ରାଜା ଚକାଶିଳା ଉପରେ ଦୁର୍ଗା ମୁର୍ତ୍ତି ରଖି ପୂଜା ଆରମ୍ଭ କଲେ । ଫଳରେ ଏହି ଚକାଶିଳାକୁ ଦୁର୍ଗାଶିଳା ମଧ୍ୟ କୁହାଗଲା । ହଜାର ହଜାର ବର୍ଷ ପରେ ଚତୁର୍ଦ୍ଦଶ ଶତାବ୍ଦୀରେ ରାଜା ଉଦ୍ଧବ ନରେନ୍ଦ୍ର ଦେବୀଙ୍କ ପାଇଁ ମଣିନାଗ ପର୍ବତର ଶୀର୍ଷ ଦେଶରେ ମନ୍ଦିର ନିର୍ମାଣ କଲେ । ଏହି ମନ୍ଦିର ମଧ୍ୟରେ ଚକାଶିଳା ପାତାଳି ହୋଇ ରହିଥିବା କୁହାଯାଉଛି । ଅନ୍ୟ ଅର୍ଥରେ ଏହା ଏକ ଢାଙ୍କୁଣି ଦ୍ୱାରା ଆବଦ୍ଧ ହୋଇ ରହିଛି । ଉପର ମଣିନାଗ ମନ୍ଦିରରେ ରାଜା ବନମାଳୀ ସିଂହ ନରେନ୍ଦ୍ର (ଖ୍ରୀ. ଅ ୧୬୪୪-୧୬୭୫) ଙ୍କ ସ୍ୱହସ୍ତ ନିର୍ମିତ ଦୁର୍ଗାମୂର୍ତ୍ତି ପୂଜା ପାଉଥିଲା । ତାହା ସତ୍ୟବାଦୀ ନିକଟସ୍ଥ ବୀରରାମଚନ୍ଦ୍ରପୁର ଶାସନକୁ ଅପସାରିତ ହୋଇଥିବା ଜଣାପଡେ ।
ଉପର ମଣିନାଗ ମନ୍ଦିରରେ ଦେବୀଙ୍କ ନିକଟରେ ନରବଳି ଦେବା ପ୍ରଥା ପ୍ରଚଳିତ ଥିଲା । ଏହା ଥିଲା ତନ୍ତ୍ର ପୀଠ । ମାଘ ମାସରେ ନରବଳି ଦିଆଯାଉଥିଲା । ୧୯୩୯ ମସିହାଠାରୁ ଏହି ଘୃଣ୍ୟ ବଳିପ୍ରଥା ବନ୍ଦ ରହିଛି । ଏହି ଉପର ମଣିନାଗ ମନ୍ଦିରରେ ଯେଉଁ ମୂର୍ତ୍ତିଗୁଡିକ ଅଛନ୍ତି ସେମାନେ ହେଲେ ଜୟଦୁର୍ଗା, ଉଗ୍ରତାରା ଏବଂ ନାରାୟଣୀ । ପାଶ୍ୱର୍ଦେବୀ ଭାବେ ଦକ୍ଷିଣରେ ବାରାହୀ, ପଶ୍ଚିମରେ ନାରସିଂହୀ ଓ ଉତ୍ତରରେ ଚାମୁଣ୍ଡା ମୂର୍ତ୍ତି ଓ ପୂର୍ବ ଦିଗରେ ଦ୍ୱାରପାଳ ଭାବେ ବ୍ୟାଘ୍ରମୁଖୀ, ସିଂହମୁଖୀ, ଗଙ୍ଗା ଓ ଯମୁନା ମୂର୍ତ୍ତି ଅଛନ୍ତି । ପୁରାଣମାନଙ୍କରେ ମଣିନାଗର ବର୍ଣ୍ଣନା ରହିଛି । ‘ଶ୍ରୀକ୍ଷେତ୍ର ମାହାତ୍ମ୍ୟ’ର ଅଷ୍ଟମ ଅଧ୍ୟାୟରେ ଶ୍ରୀକ୍ଷେତ୍ରଠାରୁ ଦଶଯୋଜନ ଦୂରରେ ଅବସ୍ଥିତ ମଣିନାଗ ପୀଠକୁ ମହାପ୍ରଭୁଙ୍କ ‘ଗୁପ୍ତକ୍ଷେତ୍ର’ ରୂପେ ବର୍ଣ୍ଣନା କରାଯାଇଛି । କପିଳ ସଂହିତାର ଅଣତିରିଶ, ତିରିଶ ଏବଂ ଏକତିରିଶ ଅଧ୍ୟାୟରେ ମଣିନାଗ ପର୍ବତ ଓ ଏହାର ମହିମା ଉପରେ ବିଶଦ ଭାବରେଉଲ୍ଲେଖ କରାଯାଇଛି । ସାରଳା ଦାସଙ୍କ ମହାଭାରତରେ ମଣିନାଗ ପର୍ବତ ତଳେ ଜାରାଶବର ବାସ କରୁଥିଲେ ବୋଲି ବର୍ଣ୍ଣନା କରାଯାଇଛି । ପର୍ବତର ଦକ୍ଷିଣ ଦିଗରେ ଚଣ୍ଡୀଝର ନାମରେ ଏକ ଝରଣା ଅଛି । ପୂର୍ବେ ଏହାକୁ ଠାକୁରାଣୀ ଝର କୁହାଯାଉଥିଲା । ତ୍ରେତୟା ଯୁଗରେ ବନବାସ କାଳରେ ସୀତା ଠାକୁରାଣୀ ଏଠାରେ ସ୍ନାନ କରିଥିଲେ ବୋଲି ଜନଶ୍ରୁତି ରହିଛି । ଏହା ନିକଟରେ ଥିବା ଟୁବୁରି ମୁଣ୍ଡିଆରେ ଏକ ଭଗ୍ନ ମନ୍ଦିର ଅଛି । ଏଠାରେ ପ୍ରଭୁ ଶ୍ରୀରାମଙ୍କୁ ପୂଜା କରାଯାଏ । ନିକଟସ୍ଥ ଅନ୍ୟ ଏକ ମୁଣ୍ଡିଆର ନାମ ପାଣ୍ଡବ ମୁଣ୍ଡିଆ । ଏଠାରେ ଥିବା ଏକ ଗୁମ୍ଫାରେ ଅର୍ଜୁନ ବନବାସ ସମୟରେ କିଛିକାଳ ରହିଥିବା ଜନଶ୍ରୁତି ରହିଛି।
ମଣିନାଗ ପର୍ବତମାଳାର ଦକ୍ଷିଣ ଦିଗରେ ଧାନି ପର୍ବତମାଳା ରହିଛି । ଏଠାରେ ଥିବା ପାଣ୍ଡବ ଗୁମ୍ଫାରେ ପଞ୍ଚୁପାଣ୍ଡବ ଅବସ୍ଥାନ କରିଥିବା ‘ଶ୍ରୀକ୍ଷେତ୍ର ମାହାତ୍ମ୍ୟ’ ଓ ସ୍କନ୍ଦ ପୁରାଣରେ ଉଲ୍ଲେଖ ଅଛି । ଏହି ପର୍ବତ ନିକଟରେ ଥିବା ଗୌଣିଆ ପର୍ବତକୁ ମହାଲକ୍ଷ୍ମୀଙ୍କ ଗୌଣି ବା ନଉତି ଏବଂ ଧାନି ପର୍ବତମାଳାକୁ ଧାନ ଭାବେ ‘ଶ୍ରୀକ୍ଷେତ୍ର ମାହାତ୍ମ୍ୟ’ ରେ ବର୍ଣ୍ଣନା କରାଯାଇଛି । ଗୌଣିଆ ପର୍ବତର ଶିଖର ଦେଶରେ ସତୁରି ଫୁଟ ବ୍ୟାସର ଏକ ଗୋଲାକାର ପଥର ଦୂରରୁ ଗୌଣି ଭଳି ଦେଖାଯାଇଥାଏ । କବିବର ରାଧାନାଥ ରାୟ ଏହି ପର୍ବତ ଦେଖି ଲେଖିଛନ୍ତି – “ନୀରନ୍ଧ୍ର ନିବିଡ କିଚକ ବଣିଆ, ଅଭ୍ରଙ୍କ ଶିଖରେ ଗିରି ଗଉଣିଆ ।”
ମଣିନାଗ ପର୍ବତମାଳା ଦୀର୍ଘ ଏକୋଇଶି କିଲୋମିଟର ଲମ୍ବି ରହିଛି । ଏହା ରଣପୁର ଗଡ଼ଠାରୁ ପଶ୍ଚିମ ଦିଗରେ ଚଉଦ କିଲୋମିଟର ଏବଂ ଦକ୍ଷିଣ ପଶ୍ଚିମ ଦିଗରେ ସାତ କି.ମି. ବ୍ୟାପୀ ରହିଛି । ପର୍ବତମାଳାର ଶିଖର ଦେଶରେ ସମୁଦ୍ର ପତ୍ତନର ୧୮୯୩ ଫୁଟ ଉଚ୍ଚରେ ମଣିନାଗ ଦୁର୍ଗାଙ୍କ ମନ୍ଦିର । ଏହାର ଅନ୍ୟ ଦୁଇଟି ଉଚ୍ଚଶୃଙ୍ଗ ‘ଟଗମରା’ ଓ ‘ଜରଜରି’ ସମୁଦ୍ର ପତ୍ତନ ଠାରୁ ଯଥାକ୍ରମେ ୨୦୪୯ ଫୁଟ ଓ ୨୦୭୮ ଫୁଟ ଉଚ୍ଚରେ ଅଛନ୍ତି । ଏହି ଦୀର୍ଘ ପର୍ବତମାଳାର ପାହାଡ଼ଗୁଡିକ ସ୍ଥାନ ଅନୁଯାୟୀ ଭିନ୍ନ ଭିନ୍ନ ନାମରେ ଜନ ମୁଖରେ କଥିତ ହୁଅନ୍ତି । ଯଥା – ଧାନଘର, ଅଁଳା, ଶୁଳିଆ, କୋଟପୋଖରୀ, ମରିଚିଆ, ପାତିମୁଣ୍ଡିଆ, ଜହ୍ନାଥଳି, କୁଣ୍ଡାଖାଇ, ମନବୋଧିଆ, ବାଇଢଙ୍କିଆ, ମାଳତି ମୁଣ୍ଡିଆ, ଟୁବୁରି ମୁଣ୍ଡିଆ ଓ ପାଣ୍ଡବ ପାହାଡ଼ ଆଦି । ଏହି ପର୍ବତମାଳାରେ ଅନେକ ଝର ଝରଣା ଆଦି ରହିଛି । ସେଗୁଡିକ ହେଲା ଅଶ୍ରୁକୁମାରୀ ବା ଅସୁରକୁମାରୀ ଝର, ବାଘ କୋରଡ ଝର, ବଘେଇ ଝର, ଟଭା ଝର, ଅଶୋକ ଝର, ଆମ୍ବ ଝର, ଚଣ୍ଡୀ ଝର ଆଦି । ଏହି ଝରଗୁଡିକ ପର୍ବତର ବିଭିନ୍ନ ସ୍ଥାନରୁ ପ୍ରବାହିତ ହେଉଛି । ଏସବୁ ମଧ୍ୟରୁ ଅଶ୍ରୁକୁମାରୀ ବା ଅସୁର କୁମାରୀ ଏକ ପ୍ରମୁଖ ଝରଣା ଅଟେ । ଏହାକୁ କେହି କେହି ଅଶ୍ରୁମୁଖୀ ଝର ବା ଜଳପ୍ରପାତ କହିଥା’ନ୍ତି । ପର୍ବତର ଚାଳିଶ ଫୁଟ ଉଚ୍ଚରୁ, ତା’ ତଳ ପଚିଶ ଫୁଟ ଉଚ୍ଚରୁ ଏବଂ ଶେଷରେ ଦଶଫୁଟ ଉଚ୍ଚରେ ଝର ଜଳ ସର୍ବଦା ନିର୍ଗତ ହୋଇଥାଏ । ବର୍ଷାଦିନେ ଉପର ତଳ ହୋଇ ତିନୋଟି ସ୍ଥାନରୁ ଏକ ସିଧା ସରଳ ଧାରାରେ ଜଳ ପ୍ରବାହର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର । ଏହି ଜଳ ପ୍ରପାତ ତଳେ ପାଖକୁ ଲାଗି ଅସୁରକୁମାରୀ ଠାକୁରାଣୀଙ୍କ ମନ୍ଦିର ରହିଛି । ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ଉଦ୍ୟମରେ ଓଡ଼ିଶା ସରକାର ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି । ଏହାର ବିକାଶ ଦିଗରେ କିଛି କାର୍ଯ୍ୟ ମଧ୍ୟ ହୋଇଛି । ଛୁଟିଦିନମାନଙ୍କରେ ଏହି ରମଣୀୟ ସ୍ଥାନରେ ପର୍ଯ୍ୟଟକ ମାନଙ୍କର ଭିଡ ଲାଗି ରହିଥାଏ । ବଜ୍ରକୋଟ ଗ୍ରାମ ନିକଟରେ ଏହି ସ୍ଥାନଟି ଅବସ୍ଥିତ ।
ପୁରାଣ ବର୍ଣ୍ଣିତ ମଣିନାଗ ପର୍ବତ ବହୁ କିଂବଦନ୍ତୀ ବିଜଡିତ । ପର୍ବତ ଉପରେ ଥିବା ମଣିନାଗ ଦୁର୍ଗାଙ୍କ ପୀଠ ଏକ ତନ୍ତ୍ର ପୀଠ ରୁପେ ପରିଚିତ । ଏହା ଦୂରରୁ ସାପର ଫଣା ଭଳି ଦେଖାଯାଉଥିବାରୁ କବିବର ରାଧାନାଥ ରାୟ ଲେଖିଛନ୍ତି – “ଫଣାଧରାକୃତି ମୈନାକ ଶିଖରୀ, ଯା’ ଶିରେ ବସନ୍ତି ରଣପୁରେଶ୍ୱରୀ ।” ସେ ପୁଣି ‘ଚନ୍ଦ୍ରଭାଗା’ କାବ୍ୟରେ ଲେଖିଛନ୍ତି-
“ନରେନ୍ଦ୍ର ମଉଳି କୁସୁମ ରେଣୁ ରକ୍ତଚରଣା
ମୈନାକ ଶିଖର ବାସିନୀ ରଣପୁର ମଣ୍ଡନା ।”
ପର୍ବତ ଉପରେ ମଣିନାଗ ମନ୍ଦିର ଥିବାବେଳେ ପର୍ବତ ତଳେ ଆଉ ଏକ ମନ୍ଦିର ଦେଖିବାକୁ ମିଳେ । ଏହା ତଳ ମଣିନାଗ ମନ୍ଦିର ନାମରେ ପରିଚିତ । ପୂଜକ ପ୍ରତିଦିନ ପର୍ବତ ଉପରକୁ ଯାଇ ପୂଜା କରିବାରେ ବାଧା ଉପୁଜିଲା । ଫଳରେ ରାଜା ଗିରିଧାରୀ ସିଂହ ନରେନ୍ଦ୍ର ମହାପାତ୍ର ଦେବୀଙ୍କ ସ୍ୱପ୍ନାଦେଶ ବଳରେ ଷୋଡଶ ଖ୍ରୀଷ୍ଟାବ୍ଦରେ ପର୍ବତ ତଳେ ମନ୍ଦିର ନିର୍ମାଣ କଲେ । ଏହି ତଳ ମଣିନାଗକୁ ଲାଗି ରାଜାଙ୍କ ପୁରୁଣା ନଅର ମଧ୍ୟ ଥିଲା । ଏବେ ଲୋକମାନେ ମଣିନାଗ ଦୁର୍ଗାଙ୍କ ପୂଜା ଏହିଠାରେ ହିଁ କରିଥା’ନ୍ତି । ମଣିନାଗ ପୀଠରେ ତିନିଥର ଶଙ୍ଖୁଡି ଭୋଗ ହୋଇଥାଏ । ଆଦିବାସୀ କନ୍ଧଜାନୀ ମା’ଙ୍କର ପୂଜକ । ଏବେ ବ୍ରାହ୍ମଣ ପୂଜକ ଏହି ପୂଜାରେ ସାମିଲ ହେଲେଣି ।
ମଣିନାଗ ଦୁର୍ଗାଙ୍କ ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ଦଶହରାର ଷୋଳଦିନ ପର୍ବ ହେଉଛି ବଡ ପର୍ବ । ଆଶ୍ୱିନ ମାସ ଦି୍ୱତୀୟା ଓଷାଠାରୁ ଏହି ଷୋଳ ପୂଜା ଆରମ୍ଭ ହୋଇ ନବମୀ ଦିନ ପର୍ଯ୍ୟନ୍ତ ଚାଲିଥାଏ । ଦଶହରା ଦିନ ପୂଜା ଉଦ୍ଯାପିତ ହୁଏ । ଦଶହରା ଦିନ ସାତଥର ତୋପଧ୍ୱନି କରାଯାଏ । ତୋପଧ୍ୱନି ଶୁଣିବା ପରେ ଲୋକେ ଶୁଭ ଅନୁକୂଳ କରିଥା’ନ୍ତି । ରଣପୁର ଗଡ଼ର ପଞ୍ଚୁଦୋଳ ଯାତ୍ରାରେ ମଣିନାଗ ଦୁର୍ଗା ଥାନାଧିପତି ହୋଇ ପୂଜା ପାଇଥା’ନ୍ତି । ଏଥିରେ ପୂର୍ବତନ ରଣପୁର ରାଜ୍ୟର ବିଭିନ୍ନ ଗ୍ରାମରୁ ୧୦୮ଟି ଦୋଳର ସମାଗମ ହୋଇଥାଏ । ଏହାବ୍ୟତୀତ ଅନ୍ୟାନ୍ୟ ପର୍ବ ମଧ୍ୟ ପାଳିତ ହୋଇଥାଏ ।
ପୁରାଣ ପ୍ରସିଦ୍ଧ ମଣିନାଗ ଏକଦା ପ୍ରସିଦ୍ଧ ଥିଲା ତନ୍ତ୍ରପୀଠ ରୂପେ । ଏହି ଦୁର୍ଗମ ପର୍ବତରେ ମା’ଙ୍କୁ ଅନେକ ଇତିହାସ ଓ କିଂବଦନ୍ତୀ ବିଜଡିତ । ପର୍ବତ ଉପରୁ ଏହି ସ୍ଥାନର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ । ରଣପୁରବାସୀଙ୍କ ଉଦ୍ୟମକ୍ରମେ ତଳ ମଣିନାଗର ପୀଠରୁ ଉପର ମଣିନାଗ ପର୍ଯ୍ୟନ୍ତ ରାସ୍ତା କରାଯାଇଛି । କିନ୍ତୁ ତାହା ପୂର୍ଣ୍ଣାଙ୍ଗ ହୋଇନାହିଁ । ଏ ଦିଗରେ ଭୁବନେଶ୍ୱରର ପୂର୍ବତନ ମେୟର ମିହିର କୁମାର ମହାନ୍ତି, ପ୍ରାଧ୍ୟାପକ ଗୋଦାବରୀଶ ଶତପଥୀ, ଯୁବ ସମାଜସେବୀ ବିମଳ କୁମାର ଅଗ୍ରୱାଲା ଓ ଗବେଷକ ବିରଞ୍ôଚ ନାରାୟଣ ତ୍ରିପାଠୀଙ୍କ ଅବଦାନ ଉଲ୍ଲେଖଯୋଗ୍ୟ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପୀଠର ବିକାଶ ପ୍ରତି ଗୁରୁତ୍ୱ ଦିଆଗଲେ ପ୍ରାଚୀନ ମଣିନାଗ ପୀଠ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ରୂପେ ଗୁରୁତ୍ୱ ଲାଭ କରିବ ।
ଯୁଗ ଯୁଗ ଧରି ଚାଲିଛି ମାତାଙ୍କର ଅର୍ଚ୍ଚନା
ପୁରାଣ ଓ ଇତିହାସରେ ରହିଅଛି ବର୍ଣ୍ଣନା ।
ନେତ୍ର ପ୍ରୀତିପଦ ଏ ଧାମେ ଥରେ ଯେ ପଦ ଚାଳେ
ଅମରାବତୀର ସୁଖକୁ ମର୍ତ୍ତେ ଲଭଇ ହେଳେ ।
**********
ସତ୍ୟବାଦୀ ବଳିଆରସିଂ, ଖୋର୍ଦ୍ଧା