ମୟୂରୀ ଅଣ୍ଡାରୁ ଆଦିଭଞ୍ଜ ! ମୟୂରଭଞ୍ଜ

.

ଅନେକ କଥା ଅଛି, ଯାହାର ରହସ୍ୟ ଛୁଇଁପାରିନି ଇତିହାସ । ଅଥଚ କିମ୍ବଦନ୍ତୀରେ ତାହା ଜନମାନସକୁ ଧରି ରଖିଛି ବର୍ଷବର୍ଷ ଧରି । ଓଡିଶା ଇତିହାସରେ ସେମିତି ଏକ ଅଜ୍ଞାତ ଅଧ୍ୟାୟ,ଯାହାକୁ ନେଇ ଆଜି ବି ଗବେଷକ ମାନେ ଅନିଶ୍ଚିତତା ଆଉ ଦ୍ୱନ୍ଦ୍ୱରେ  । ଆମେ ପୁରାଣ, କିମ୍ବଦନ୍ତୀ  ଓ ଲୋକକଥାରୁ ଶୁଣିଛେ ,କାନ ବାଟରେ କର୍ଣ୍ଣଙ୍କର ଜନ୍ମ , ଗଣେଶଙ୍କର ସ୍ୱରୂପ, ଭଗବାନଙ୍କ ଚାରି ଅବତାର ମୀନ, କତ୍ସପ,ବରାହ ,ନୃସିଂହ ,ନବଗୁଞ୍ଜର ରୂପ ,ମତ୍ସ୍ୟକନ୍ୟା ଏବଂ ବିଭିନ୍ନ ଦେବଦେବୀଙ୍କ ପଶୁପକ୍ଷୀ ବାହନ , ଆଉ ଭକ୍ତଙ୍କ କଥା ଓ କାହାଣୀ । କିନ୍ତୁ ଓଡିଶାରେ ଭଞ୍ଜ ରାଜବଂଶର ପ୍ରତିଷ୍ଠା ଇତିହାସ ଏକ ଅଦ୍ଭୁତ ସୂଚନା ଦେଇଥାଏ । ଏହି ବଂଶର ପ୍ରତିଷ୍ଠାତା ଆଦିଭଞ୍ଜ ବୀରଭଦ୍ର ଏକ ମୟୂରୀ ଅଣ୍ଡାରୁ ଜନ୍ମଲାଭ କରିଥିଲେ । ପଞ୍ଚମରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ରାଜ୍ୟର ଉତ୍ତରାଞ୍ଚଳ, ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ଏହି ବଂଶ ତା’ର ପ୍ରଭାବ ବିସ୍ତାର କରିଥିଲା ।  ଏସବୁ ଭୁଖଣ୍ଡ ବର୍ତ୍ତମାନର ମୟୂରଭଞ୍ଜ, କେନ୍ଦୁଝର, ଦଶପଲ୍ଲା , ସୁବର୍ଣ୍ଣପୁର ଓ ଗଞ୍ଜାମର ଅଂଶ ବୋଲି କୁହାଯାଇ ପାରିବ ।  ମୟୂର ଅଣ୍ଡାରୁ ଭଞ୍ଜ ରାଜବଂଶର ଉତ୍ପତ୍ତି ସହ ମୟୂରଭଞ୍ଜ ଜିଲା ନାମକରଣ ମଧ୍ୟରେ ଐତିହାସିକ ସାମଞ୍ଜସ୍ୟ ରହିଥିବା ମଧ୍ୟ ଅନୁମାନ କରାଯାଏ । 

କୁହାଯାଏ, ଋଷି ବଶିଷ୍ଟଙ୍କ ଆଶ୍ରମ ଚାରିପଟେ ଏକାଧିକ ମୟୂରୀ ରହୁଥିଲେ । ସେହି ମୟୂରୀ ଅଣ୍ଡା ଫୁଟି  ଆଦିଭଞ୍ଜ ଜନ୍ମଲାଭ କରିଥିଲେ ।  ବଶିଷ୍ଟ ଋଷି ଏହି ଆଦିଭଞ୍ଜଙ୍କ ଲାଳନପାଳନ ଦାୟିତ୍ୱ ତୁଲାଇଥିଲେ । ବିଦ୍ୟା ଆହରଣ ସହ ସେ କିପରି ପରାକ୍ରମୀ ଓ ଶକ୍ତିଶାଳୀ ହେବେ,ସେ ଦିଗରେ ଧ୍ୟାନ ରଖିଥିଲେ । ପରବର୍ତ୍ତି ସମୟରେ ଏହି ଆଦିଭଞ୍ଜଙ୍କ ଉତ୍ତରାଧୀକାରୀ ମାନେ ନିଜ ବଂଶର ପ୍ରଭାବ ବିସ୍ତାର କରିଥିଲେ ଓଡିଶାର ବିଭିନ୍ନ ଅଞ୍ଚଳରେ । ଏହା ଏକ ଐତିହାସିକ କଥାବସ୍ତୁ । ଏହି ପ୍ରସଙ୍ଗକୁ ନେଇ ବିତର୍କ ଉଠିଥିଲା 2013 ମସିହା  ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଇତିହାସ କଂଗ୍ରେସରେ । ‘ ଆହ୍ଲାବାଦ ମ୍ୟୁଜିୟମର ତାମ୍ରପ୍ଲେଟ ଓ ଭଞ୍ଜଦେଓ ପ୍ରଥମ ’ ଶୀର୍ଷକ ସନ୍ଦର୍ଭ ପାଠକରି ଏହି ସୂଚନା ଦେଇଥିଲେ । ଏହି ସମୟରେ ପ୍ରଫେସର ଜି.ସି ତ୍ରିପାଠୀ ଏଠାରେ ଉପସ୍ଥିତ କେତେକ ଐତିହାସିକ ଓ ଗବେଷକ ଏ ନେଇ ପ୍ରଶ୍ନ କରିଥିଲେ ଯେ,ମୟୂରୀ ଅଣ୍ଡାରୁ ମଣିଷ ସୃଷ୍ଟି କିପରି ସମ୍ଭବ ? ପ୍ରଫେସର ତ୍ରିପାଠୀଙ୍କ ଯୂକ୍ତି ଥିଲା, ବିବର୍ତ୍ତନବାଦ ଅନୁସାରେ ଜଳଜୀବ ଜେଲିଫିସ ଓ ଏକକୋଷୀ ଆମୋଇବାରୁ ଯଦି ଜୀବଜଗତ ସୃଷ୍ଟି ହୋଇପାରିଛି , ତାହା ହେଲେ ମୟୂରୀ ଅଣ୍ଡାରୁ ମଣିଷ ଜନ୍ମ ହେବାକୁ ଅସ୍ୱିକାର କରାଯିବ କାହିଁକି ?  ଏହି ପ୍ରସଙ୍ଗ ଚମତ୍କୃତ କରିଥିଲା ଅନ୍ୟ ଐତିହାସିକଙ୍କୁ ।  

ଇତିହାସ କହେ-ଖିଞ୍ଜଳି ମଣ୍ତଳ ଥିଲା ଭଞ୍ଜବଂଶ ଶାସିତ । ଏହି ମଣ୍ଡଳ ସାଧାରଣତଃ ବର୍ତ୍ତମାନର ବୌଦ୍ଧ, ସୁବର୍ଣ୍ଣପୁର ଏବଂ କନ୍ଧମାଳକୁ ସୂଚିତ କରିଥାଏ । ଏହି ମଣ୍ତଳର ରାଜଧାନୀ ଥିଲା  ଧୃତିପୁର ବା ବର୍ତ୍ତମାନର ବୌଦ୍ଧ ସହର । ଭଞ୍ଜମାନେ ମୟୂରୀ ଅଣ୍ତାରୁ ଜାତ ବୋଲି ଯାହା କୁହାଯାଇଛି, ତାହା ହୁଏତ ନିଜବଂଶର ପ୍ରାଚୀନତା ଓ ରାଜତ୍ୱକୁ ସର୍ବମାନ୍ୟ କରିବାଲାଗି ପ୍ରୟାସ କରାଯାଇଥାଇପାରେ ବୋଲି କେତେକଙ୍କ ମତ ଏଥିରୁ ଅନୁମିତ ହୁଏ ଯେ, ବୋଧହୁଏ ଖିଞ୍ଜଳିର ଭଞ୍ଜମାନେ ତାଙ୍କ ରାଜତ୍ୱକୁ ସର୍ବମାନ୍ୟ କରିବାଲାଗି ବଂଶର ପ୍ରାଚୀନତା ଉପରେ ଜୋର ଦେଉଥିଲେ

ଖିଞ୍ଜଳିର ଏହି ଭଞ୍ଜମାନେ ଭୌମକର ଶାସକଙ୍କ ସାମନ୍ତ ରାଜା ଥିଲେ । ଏକଦା ସୋମବଂଶୀ ରାଜା ଜନ୍ମେଜୟ ଖିଞ୍ଜଳି ଆକ୍ରମଣ କରିଥିଲେ । ମାତ୍ର ସେ ସମୟରେ ସେଠାର ଭଞ୍ଜ ଶାସକଙ୍କୁ ଭୌମକରଙ୍କର ସାହାଯ୍ୟ ମିଳିନଥିଲା ତେଣୁ ସୋମବଂଶୀମାନେ ଯୁଦ୍ଧରେ ବିଜୟ ହାସଲ କଲେ ସେମାନେ ତତକାଳୀନ ରାଜା ରଣ ଭଞ୍ଜଙ୍କୁ ହତ୍ୟା କରି ଖିଞ୍ଜଳି ଅଧିକାର କଲେ ପରେ ଭଞ୍ଜମାନେ ଗଞ୍ଜାମର ଘୁମୁସର ଅଞ୍ଚଳକୁ ଚାଲିଯାଇ ସେଠାରେ ନୂଆ  ରାଜ୍ୟ ପ୍ରତିଷ୍ଠା କଲେ

ଦଶମ ଏକାଦଶ ଶତାବ୍ଦୀରେ ଏହି ବଂଶର ଅନ୍ୟ ଏକ ଶାଖା ଉତ୍ତର ଓଡିଶାରେ ପ୍ରଭାବ ବିସ୍ତାର କଲା ।  ବର୍ତ୍ତମାନର ମୟୂରଭଞ୍ଜ କେନ୍ଦୁଝରର କିଛି ଅଞ୍ଚଳକୁ ନେଇ ଅନ୍ୟ ଏକ ମଣ୍ଡଳ ଗଠିତ ହୋଇଥିଲା ଏହାର ରାଜଧାନୀ ଥିଲା ବର୍ତ୍ତମାନର ଖିଚିଂଖିଜିଂ ମଣ୍ତଳର ତାମ୍ରଶାସନରୁ ଜଣାଯାଏ ଯେ,କୋଟ୍ଟ ଭଞ୍ଜ ହେଉଛନ୍ତି ଖିଞ୍ଜଳି ଖିଜିଂ ଭଞ୍ଜବଂଶ ମଧ୍ୟରେ ଯୋଗସୂତ୍ରକାରୀ । ସମ୍ଭବତଃ ନବମ ଶତାବ୍ଦୀର ଶେଷ ଭାଗରେ ସେ ଖିଞ୍ଜଳି ମଣ୍ତଳରୁ ଯାଇ ଖିଜିଂ ମଣ୍ତଳ ସ୍ଥାପନ କରିଥିଲେ ।  ପୂର୍ବରୁ କହିଛେ ଯେ, ଆଦି ଭଞ୍ଜ ରାଜା ବୀରଭଦ୍ର ମୟୂରୀ ଅଣ୍ତାରୁ ଜାତ ହୋଇ ବଶିଷ୍ଠ ଋଷିଙ୍କଦ୍ୱାରା ପାଳିତ ହୋଇଥିଲେ । ଖିଜିଂ ମଣ୍ଡଳର ଲୋକଙ୍କ ମୁହଁରେ ମଧ୍ୟ ଅନୁରୂପ କାହାଣୀ ଶୁଣିବାକୁ ମିଳେ । ଏହା ଭଞ୍ଜବଂଶକୁ ଆର୍ଯ୍ୟ ବା ବ୍ରାହ୍ମଣ୍ୟ ସଂସ୍କୃତି ସହିତ ଯୋଡିବାର ପ୍ରୟାସ ହୋଇଥାଇପାରେ ପୁଣି ଅନୁମିତ ହୁଏ ଯେ, ଉଭୟ ଭଞ୍ଜବଂଶ ଗୋଟିଏ ବଂଶର ଏବଂ ସେମାନେ ବନବାସୀ ସଂପ୍ରଦାୟର ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ,୧୯୪୯ରେ ମୟୂରଭଞ୍ଜ ଗଡ଼ଜାତ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସହ ସାମିଲ ହୋଇଥିଲା ।  ଏହି ସମୟ ପର୍ଯ୍ୟନ୍ତ ଯେଉଁ ଭଞ୍ଜବଂଶ ସେଠାରେ ରାଜତ୍ୱ କରିଆସୁଥିଲେ ସେମାନେ ଥିଲେ ଖିଜିଂ ଭଞ୍ଜଙ୍କର ଉତ୍ତରପୁରୁଷ ତେବେ ଏହି ରାଜବଂଶର ଆଦି ପୁରୁଷ ମୟୂର ଅଣ୍ଡାରୁ ସୃଷ୍ଟି ବୋଲି ଯାହା କୁହାଯାଉଛି,ତାହା ଉପରେ ଐତିହାସିକ ତର୍ଜମା ଆବଶ୍ୟକ । ଏହା ପଛରେ କ’ଣ ବିଜ୍ଞାନ ସମ୍ମତ କାରଣ ରହିଛି ତାହା ମଧ୍ୟ ପ୍ରସଙ୍ଗ ଅନ୍ତର୍ଭୁକ୍ତ । ଏ ବିଷୟରେ ଅଧିକ ଗବେଷଣା କରାଗଲେ ଇତିହାସର ଏହି ଲୁକ୍କାୟିତ ଅଜ୍ଞାତ ଅଧ୍ୟାୟ  ସାଧାରଣ ଲୋକଙ୍କ ସାମନାକୁ ଆସିପାରିବ ।

********************************************

ବିଜୟ କୁମାର ମହାନ୍ତି, କସର୍ଦା, କଟକ , କ୍ରିଂକ୍ରିଂ- 7750827064

Share

Related Posts

4 1 vote
Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x