ରତ୍ନଗିରୀ ପାହାଡ ତୁଙ୍ଗରେ ବିଦାୟୀ ସୂର୍ଯ୍ୟ । ନିକଟସ୍ଥ ରାଜବାଟୀ ସାରା ବିଛେଇ ହୋଇ ପଡିଥିଲା ଲାଲ୍ ସୂର୍ଯ୍ୟର ରକ୍ତିମ ଆଭା । ସେତେବେଳକୁ ରାଜକନ୍ୟା ବସିଥିଲା ଭଗ୍ନ ରାଜବାଟୀ ଉପରେ, ତା’ ବାରହାତ କେଶକୁ ଖୋଲି । ମାଲୁଣୀ ବନ୍ଧୁଥିଲା ତା ଜୁଡା । ଜୁଇ,ଜାଇ,ହେମା,କେତକୀ,ମଲ୍ଲି,ମାଳତୀ,ଗୋଲାପ,ରଜନୀ ଗନ୍ଧା ……. ଏମିତି ଜାତି ଜାତିକା ଫୁଲରେ । ତଥାପି ଫୁଲର ଅଭାବ ପଡୁଥିଲା ତା ଗଭାକୁ । ଭ୍ରମର ମାନେ ଭ୍ରମରେ ଉଡୁଥିଲେ ତା’ଛାତି ପଦ୍ମକୁ ଚୁମିବା ଲୋଭରେ । ଲାଲ୍ ରଙ୍ଗର କିରଣରେ ରାଜକୁମାରୀ ଦେହ ଓ ମୁହଁ ରଙ୍ଗୀନ୍ ଦିଶୁଥିଲା । ସେ ଦିଶୁଥିଲା ବେଶ୍ ସୁନ୍ଦରୀ ଓ ବେଶ୍ ମନୋଲୋଭା ବି ।
ସେପଟେ ପୂର୍ଣ୍ଣିମାର ଜହ୍ନ ଉଦୟ ହେବାକୁ ଅପେକ୍ଷା କରିଥିଲେ, ରାଜକୁମାରୀ ଦେହରେ ଶିତଳତା ଭରିଦେବା ସହ ଟିକେ ଜହ୍ନ ଆଲୁଅରେ ଭିଜାଇବା ପାଇଁ । ସେତେବେଳକୁ ଚିତ୍ରଶିଳ୍ପୀ ରାଜକୁମାରୀ ମଥାକୁ ସଜଉଥିଲା ଟିପି ଟିପି ଚନ୍ଦନରେ । ରାଜକୁମାରୀ ବେଳକୁ ବେଳ ଦିଶୁଥିଲା, ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ ନାୟିକା ଲାବଣ୍ୟବତୀ ପରି, ନା,କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ପରି, ନା, ରସିକ ହାରାବଳୀ ପରି, ନା, ପ୍ରେମ ସୁଧା ନିଧି ପରି । ନା, ନା, ନା, ନା, ଏମାନଙ୍କ ଠାରୁ ସେ ଦିଶୁଥିଲା ବହୁତ ସୁନ୍ଦରୀ । ଦେବୀ ପ୍ରତିମାଟିଏ ପରି । କ’ଣ ଦୁର୍ଗାଙ୍କ ପରି ? ସରସ୍ଵତୀଙ୍କ ପରି ? ପାର୍ବତୀଙ୍କ ପରି ? ଦୌପଦୀଙ୍କ ପରି ନା ସୀତାଙ୍କ ପରି ? କନ୍ଦର୍ପଙ୍କ ପତ୍ନୀ ରତିଙ୍କ ପରି । ସବୁ ସୁନ୍ଦର ପଣକୁ ବଳିଗଲା ରାଜକୁମାରୀ । ରାଜ କୁମାରୀ ରୂପ ଗୁଣରେ ମୁଗ୍ଧ ହୋଇ ବହୁ ରାଜ କୁମାର ଆସିଲେ, ହୀରା,ଲୀଳା, ମୋତି,ମାଣିକ ଆଦିର ଉପହାର ଆଣି ବିବାହ କରିବା ଲୋଭ ଦେଖାଇଥିଲେ । ମୁଁ ବି ଗଲି,ବୋଝେ ମଲ୍ଲି,ଦି’ ଭାର ଗଜରା, ଗୋଛାଏ ଗୋଲାପ ଧରି । ରାଜକୁମାରୀ ମୋ ଉପହାର ଦେଖି ଉପହାସ କଲେ । କାରଣ ସବୁ ଫୁଲ ତ ତାଙ୍କ ଦେହରେ ଫୁଟିଥିଲା । ସେ ଗୋଟେ ଗୋଇଠାରେ ମୋ ଉପହାର ସବୁକୁ ଫିଙ୍ଗିଦେଲେ । ମୁଁ କାନ୍ଦ କାନ୍ଦ ହେଲି ଓ ଫେରିଲି ।
ମହାରାଜା ରାଜକୁମାରୀଙ୍କ ବିବାହ ପାଇଁ ସ୍ଵୟଂମ୍ବର ଆୟୋଜନ କଲେ । କିନ୍ତୁ ଏତେ ରାଜକୁମାର ଧାଡି ବାନ୍ଧି ଠିଆ ହେଲେ ଯେ, ସତେ ଯେମିତି କାହାର ନଜର ଲାଗିଗଲା ରାଜକୁମାରୀଙ୍କ ଉପରେ, ତାଙ୍କୁ ଜର ହୋଇଗଲା । ଜର ପୁଣି ଭୀଷଣ ରୂପନେଲା ଜୀବନ ମରଣ ସମସ୍ୟା ଦେଖାଦେଲା । ସେଠୁ ରାଜ ବୈଦ୍ୟଙ୍କୁ ଡକାଗଲା । ରାଜବୈଦ୍ୟ ବହୁ ପରୀକ୍ଷା ନିରୀକ୍ଷା ପରେ କହିଲେ, ରାଜକନ୍ୟା ଅତ୍ୟନ୍ତ ଅସୁସ୍ଥ । କାହା ନଜର ଲାଗିଛି । କେହି ଜଣେ ଜୀବନ ଦେଲେ ତାଙ୍କ ଜୀବନ ବିନିମୟରେ ରାଜକୁମାରୀ ବଞ୍ଚିଯିବେ ।
ଜଣେ ଜଣେ କରି ସମସ୍ତ ରାଜକୁମାର ମାନଙ୍କୁ ପଚରା ଗଲା । ଜୀବନ ଦେବ କିଏ ? ଆସ୍ତେ ଆସ୍ତେ ସେଠୁ ଗହଳି ଭାଙ୍ଗୁଥିଲା । ଶେଷରେ ଠିଆ ହୋଇଥିଲି ମୁଁ । ମୁଁ ପକେଟରେ ଥିବା ଏକ ବିଷ ବୋତଲକୁ କାଢିଲି ଓ ଢକ୍ ଢକ୍ କରି ପିଇଦେଲି ।
କିଛି ସମୟ ପରେ ଦେଖାଗଲା, ମୁଁ ବେଳକୁ ବେଳ ଅସୁସ୍ଥ ହେଉଥିଲି । ରାଜକୁମାରୀ ସୁସ୍ଥ ହୋଇ ଆସୁଥିଲେ । ରାଜ ବୈଦ୍ୟ ମୋ ସ୍ୱାସ୍ଥ୍ୟ ପରୀକ୍ଷା କରି ଘୋଷଣା କଲେ, ଆସନ୍ତା କାଲି ସକାଳ ଦଶଟାରେ ମୋର ମୃତ୍ୟୁ ହେବ ଓ ରାଜକୁମାରୀ ସଂପୂର୍ଣ୍ଣ ସୁସ୍ଥ ହେବେ ।
ପରଦିନ ସକାଳ ଦଶଟା ବେଳକୁ ସମ୍ପର୍କୀୟ ମାନେ ଠିଆ ହୋଇଥିଲେ,ମୋତେ ଶେଷ ଦର୍ଶନ କରି ଫୁଲ ଗୁଚ୍ଛ ଦେବାକୁ । ଠିକ ସମୟ ବେଳକୁ ଆଖିପତା ମୋର ବନ୍ଦ ହୋଇ ଆସୁଥିଲା । ମୁଁ ଦେଖେତ ଜଣେ ବୈଦ୍ୟଙ୍କୁ ଧରି ରାଜକୁମାରୀ ମୋ ପାଖକୁ ଆସୁଛନ୍ତି । ତାଙ୍କ ଆଖିରେ ଦୁଇଧାର ଲୁହ ଥିଲା । ସେ କାନ୍ଦ କାନ୍ଦ ହୋଇ କହୁଥିଲେ, ମୋ ଜୀବନ ବିନିମୟରେ ଏ ବଞ୍ଚିବା ଦରକାର ।
ଦୁଇଚାରି ଦିନର ଚିକିତ୍ସା ପରେ ମୁଁ ସଂପୂର୍ଣ୍ଣ ସୁସ୍ଥ ହେଲି । ଏ ଖବରଟା ବିଦ୍ୟୁତ୍ ବେଗରେ ରାଜ୍ୟ ସାରା ଖେଳିଗଲା । ରାଜକୁମାରୀ ମଧ୍ୟ ସଂପୂର୍ଣ୍ଣ ସୁସ୍ଥ ହୋଇଗଲେ ।
ରାଜକୁମାରୀଙ୍କ ସ୍ଵୟଂବର ପାଇଁ ପୁଣି ଡେଙ୍ଗୁରା ଦିଆଗଲା । ରାଜ୍ୟସାରା ରାଜକୁମାର ମାନେ ମୁଲ୍ୟବାନ ବେଶପୋଷାକ, ହୀରା,ଲୀଳା ଉପହାର ଧରି ଆସିଲେ । ରାଜକୁମାରୀ ଫୁଲମାଳ ଧରି ଆସିଲେ ସ୍ଵୟଂବର ସଭାକୁ । ସମସ୍ତଙ୍କ ଆଖି ରାଜକୁମାରୀଙ୍କ ଫୁଲମାଳ ଉପରେ । ସମସ୍ତେ ମନେ ମନେନିଜ ଇଷ୍ଟ ଦେବତାଙ୍କୁ ସ୍ମରଣ କରୁଥିଲେ, ଆଶା ବାନ୍ଧୁଥିଲେ ନିଜ ବେକରେ ରାଜକୁମାରୀଙ୍କ ବରଣ ମାଳାକୁ । ରାଜକୁମାରୀ ଥରେ ନୁହେଁ ଅନେକ ଥର ସଭା ସାରା ବରଣ ମାଳା ଧରି ବୁଲିଲେ । ଜଣ ଜଣ କରି ସମସ୍ତଙ୍କ ସହ କଥା ହେଉଥିଲେ । ଟିକେ ଟିକେ ବି ହସୁଥିଲେ । ସମସ୍ତେ ଭାବୁଥିଲେ ରାଜକୁମାରୀ, ତାଙ୍କ ଉପରେ ବୋଧ ହୁଏ ପ୍ରୀତ, ତାଙ୍କୁ ବରଣ ମାଳା ଦେବେ । ଏତିକି ବେଳେ ରାଜକୁମାରୀ ମୋତେ ଆକସ୍ମିକ ଭାବେ ସଭାମଧ୍ୟକୁ ଡାକିନେଲେ ମୋ ବେକରେ ବରଣ ମାଳାଟା ଗଳେଇ ଦେଲେ । ମୁଁ କିନ୍ତୁ କିଛି ବି ଭାବି ପାରୁନଥିଲି । କେବଳ ଆଶ୍ଚର୍ଯ୍ୟ ହୋଇ ବୋକାଙ୍କ ପରି ଚାହୁଁଥିଲି । ରାଜକୁମାରୀଙ୍କ ଓଠରେ ଦ୍ଵିତୀୟା ଚାନ୍ଦ ପରି ଧାରେ ହସ ଥିଲା । ତାଙ୍କ ଆଖିର ଭାଷାକୁ ରାଜକୁମାର ମାନେ ପଢି ଫେରୁଥିଲେ ।
ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ