ମୁଁ ଓ ମୋ ପ୍ରିୟତମା ସମୁଦ୍ର କୂଳେ ବସିଥିଲୁ, ଅନେକ ବେଳୁ । ସମୁଦ୍ର ଗୀତ ଗାଉଥିଲା। ମନ ଫୁଲାଣିଆ ଗୀତ। ତା’ ସୁଲୁସୁଲିଆ ପବନରେ ଆମ ତାଳୁରୁ ତଳିପା ଯାଏଁ ସାଉଁଳି ନେଉଥିଲା ଓ ବାଲିପଠାରେ ଲୁଚକାଳି ଖେଳ ଖେଳୁଥିଲା । ବଡ ରସିକ ତ । ଭାରି ଷ୍ଟାଇଲ ମାରୁଥିଲା । ଥରେ ଥରେ ଲୁଚି ଲୁଚି ଆସି ମୋ ପ୍ରିୟାର ଅଳତା ଭିଜା ପାଦକୁ ଗୋଟେ ଗୋଟେ ଚୁମା ଦେଇ ଚାଲିଯାଉଥିଲା। ସତରେ ଆଜି ସମୁଦ୍ରଟା ଭାରି ସେକ୍କ୍ସି ଲାଗୁଥିଲା ଅଭଦ୍ର ବି । ଦେଶ ବିଦେଶରୁ ଆସୁଥିବା ଅନେକ ପ୍ରେମିକ ପ୍ରେମିକାଙ୍କୁ ସେ ତା କୋଳକୁ ନେଉଛି, ଗେଲ କରୁଛି । ଦେହ ମୁହଁକୁ ଚୁମାରେ ଚୁମାରେ ଭିଜେଇ ଦେଇଛି । ଏଇଟାତ ତା’ର ଯୁଗ ଯୁଗର ଅଭ୍ୟାସ । କିଛି ସମୟ ଆମେ ବସିବା ପରେ ପୁଣି ସମୁଦ୍ର ଲୁଚି ଲୁଚି ଆସିଲା, ମୋ ପ୍ରିୟତମାର ପାଦକୁ ଚୁମିଲା । ତା’ ଦେହ ଟିକେ ଲାଜ ଓ ପ୍ରେମରେ ଶୀତେଇ ଉଠିଲା । ସେ ଆଉଟିକେ ମୋ ପାଖକୁ ଲାଗି ବସିଲା । ମୋ କାନ୍ଧ ଉପରେ ହାତ ରଖିଲା । ତା’ ମୁଣ୍ଡର ଅଲରା ବାଳ ସବୁ ପବନରେ ଉଡି ମୋ ମୁହଁ ଉପରେ ପଡୁଥିଲା । ତା ମୁଣ୍ଡରେ ଲଗାଇଥିବା ମଲ୍ଲୀ ଫୁଲର ବାସ୍ନା ମତେ ବେଳକୁ ବେଳ ଅନ୍ୟମନସ୍କ କରୁଥିଲା । ମୋ ଭିତରୁ ରୋମାଣ୍ଟିଜିମର ଗଜ।ଟିଏ ସତେ ଯେମିତି ବାହାରୁଥିଲା । ମୁଁ ପ୍ରିୟତମ।କୁ ହଲାଇ ଦେଇ କହିଲି, ହେଇ, କ’ଣ ଭାବୁଛ ? ସେ ଉତ୍ତର ଦେଲା, ତମ କଥା, ସମୁଦ୍ର କଥା । ଏ ସମୁଦ୍ରଟା ବଡ ରୋମାଣ୍ଟିକ, ଭାରି ଅଭଦ୍ର । ଠିକ ତୁମ ପରି । ନୁହେଁକି ? ମୁଁ ତ।‘ ମୁହଁକୁ ଚାହିଁଲି, ସେ କ’ଣ ଭ।ବିଲା କେଜାଣି, କହିଲା, ତୁମେ କିନ୍ତୁ ସମୁଦ୍ରଠୁ ବହୁତ ସୁନ୍ଦର । ମୁଁ କହିଲି ନା, ତୁମେ । ସେ କହିଲା ଆରେ ନା ତୁମେ, ତୁମେ, ତୁମେ । ମୁଁ ତା’ ସୁନ୍ଦର ମୁହଁକୁ ଟିକେ ଚାହିଁଲି, ନାକଟାକୁ ଧରି ଟିକେ ଗେଲ କଲି ଓ କହିଲି
ତୁମେ ଜହ୍ନଠୁ ସୁନ୍ଦରୀ,
ସେ କହିଲା ମିଛ ।
ତୁମେ ନଇଠୁ ହସୁକୁରୀ,
ସେ କହିଲା ମିଛ ।
ତୁମ ଗହବା ବାଳରେ ପବନ ଖେଳେ ଲୁଚକାଳି ।
ସେ କହିଲା ମିଛ ।
ତୁମ ନିଃଶ୍ଵାସ ମୋ ପାଇଁ ଚୋରାଚଇତ।ଳି ।
ସେ କହିଲା ମିଛ ।
ତୁମ ଦେହରୁ ଝରୁଛି କବିତାର ଝରଣା ।
ସେ କହିଲା ମିଛ ।
ତୁମ ଓଠରେ ଯେତେ ମହୁଅଛି, ସାରା ଦୁନିଆଟା ମିଠା ହୋଇଯିବ ।
ସେ କହିଲା ମିଛ ।
ମୁଁ ତା ପାଖକୁ ଆଉଟିକେ ଲାଗିଗଲି ଓ କାନରେ ଫୁସଫୁସ କରି କହିଲି, ତୁମ ଛାତି ଦୁଇଟା ପଦ୍ମ କଢିଠୁ ସୁନ୍ଦର । ସେ ଟିକେ ଲାଜେଇଗଲା । ସେଠୁ ଉଠି ଦୌଡିଲା, ସମୁଦ୍ର ଆଡକୁ ଓ କହୁଥିଲା ମିଛ, ମିଛ, ମିଛ । ମୁଁ ତା ପଛେ ପଛେ ଧାଇଁଲି ଆଉ କହୁଥିଲି ହଉ ହେଲା ବାବା । ତୁମ କଥା ସବୁ ସତ ସତ ସତ । ଟିକେ ଶୁଣ । ସମୁଦ୍ର ସତେ ଯେମିତି ଏମିତି ଗୋଟେ ମଉକାକୁ ଅପେକ୍ଷ। କରି ବସିଥାଏ । ପ୍ରେମିକ ପ୍ରେମିକାକୁ ପାଖରେ ଦେଖିଲେ ସେ ତା ରସିକ ପଣିଆ ଦେଖାଇ, ପ୍ରେମ ଜଳରେ ଗାଧୋଇ ଦେହରେ ପ୍ରେମରେ ନିଆଁ ଲଗାଇ ଦିଏ । ଯେମିତି ଥରେ ନୁହେଁ, ଅନେକ ଥର ସେମାନେ ତା’ କୋଳକୁ ଆସିବେ ।
ଆମ ଅବସ୍ଥା ବି ଠିକ୍ ସେଇଆ ହେଲା । ଆମ ଦେହରେ ପ୍ରେମ ଫଗୁ ପରି ସମୁଦ୍ର ତା’ ବାଲି ବୋଳିଦେଇଗଲା । ଦୁଇ ଚାରିଥର ତା’ ପ୍ରେମ ଜଳରେ ଭିଜାଇ, ଆମ ଦେହରେ ପ୍ରେମର ନିଆଁ ଲଗାଇଦେଲା । ବଡ ବିଚିତ୍ର କଥା ଏ, ପାଣିରେ ସିନା ନିଆଁ ଲିଭେ ଏ କିନ୍ତୁ ଯେଉଁ ନିଆଁ ଲଗାଇଲ। ତାହା ପାଣିରେ ଲିଭିବା ପରିବର୍ତ୍ତେ ହୁତୁହୁତୁ ହୋଇ ଆମକୁ ଜ।ଳିଲା । ପ୍ରିୟତମା ମୋତେ ଖୁବ୍ ଜୋରରେ ଜାବୁଡି ଧରିଲା, ମୁଁ ବି ତାକୁ । ମୁଁ ତାକୁ ଚୁମା ପରେ ଚୁମା ଦେଇଚାଲିଲି, ସେ ବି ମତେ । ନା ସେ ମତେ ଛାଡିପାରୁଥିଲା, ନା ମୁଁ ତାକୁ । ଉଭୟେ ପରସ୍ପରକୁ ଆଲିଙ୍ଗନ କରୁଥିଲୁ …. ।
ସେତିକିବେଳକୁ ପୋଲିସ୍ ଭ୍ୟାନର ସାଇରନରେ ମୋ ନିଦ ଭାଙ୍ଗିଗଲା । ଦେଖେତ କାନ୍ଥ ଘଣ୍ଟାରେ ବାଜିଛି ତିନିଟା ପଇଁଚାଳିଶି ମିନିଟ୍ । ବାହାରୁ ଶୁଭୁଥିଲା କରୋନର ସଚେତନତାର ବାର୍ତ୍ତା । ମୁଁ ତେବେ ସ୍ଵପ୍ନ ଦେଖୁଥିଲି ?
ମୁଁ କିନ୍ତୁ ନିଜ ଆଖିକୁ ନିଜେ ବିଶ୍ଵାସ କରିପାରୁନଥିଲି । ଏ ସବୁ ସ୍ଵପ୍ନ ନା ସତ । ତିରିଶି ବର୍ଷ ତଳର ସ୍ମୃତି ଯେମିତି ମୋ ସାମ୍ନାରେ କଡ ଲେଉଟାଉଥିଲା । ଦେଖିଲି ପାଖରେ ସହଧର୍ମିଣୀ । ସେ ଦିନର ସେଇ ପ୍ରିୟତମା ,ମୋ କଲେଜ ପଢୁଆ ପ୍ରେମିକା ଆଜି ବୟସର ମଧ୍ୟାହ୍ନ ରେ । ମୁଁ ତା’ ମୁହଁକୁ ଚାହିଁଲି ଓ ହସିଲି । ଅତୀତ ସ୍ମୃତିମୟ ହେଉଥିଲା । ତା’ ଦେହର ନାଁ ନଜଣା ବାସ୍ନାରେ ଘରଟା ଯେମିତି ମହକୁଥିଲା । କି ମଧୁର ସେ ସ୍ମୃତି । ମୁଁ ଥରେ ନୁହେଁ, ଅନେକ ଥର ତା’ ମୁହଁକୁ ଚାହୁଁଥିଲି । ସେ ବେଳକୁ ବେଳ ସୁନ୍ଦର ଦିଶୁଥିଲା, ଏମିତିକି ଜହ୍ନଠୁ ବି । ମୁଁ ତା’ ପାଖକୁ ଗଲି । ତା’ ଓଠରେ ଚୁମାଟିଏ ଦେଲି । ସେ ଉଠିଲା, ବଲବଲ କରି ମୋ ମୁହଁକୁ ଚାହିଁଲା ଓ ହସିଲା । ତା’ ଓଠର ହସ, ଦେହର ବାସ୍ନା, ମୋତେ ବେଳକୁ ବେଳ ବେଶୀ ବେଶୀ ରୋମାଣ୍ଟିକ କରୁଥିଲା । ମୁଁ ତା’ ଓଠ ପାଖକୁ ଆଉଥରେ ମୁହଁ ନେଲାବେଳକୁ, ସେ ଉଠି ପଡିଲା ଓ କହିଲା ତୁମେ ଭାରି ଦୁଷ୍ଟ ଠିକ୍ ସେଦିନର ସମୁଦ୍ର ପରି ।
-0-
ବି.ଦ୍ର – ଫୁଲ ଓ ଫଗୁଣ, ଗୋଲାପ ଓ ଗଜରା, ସ୍ଵପ୍ନ ଓ ପ୍ରେମରେ ଭାସି, ଗୁଗଲ ଓ ମୋବାଇଲ ପ୍ରେମରେ ପଡି ଗଳ୍ପ, କବିତା ସାହିତ୍ୟ ଠାରୁ ଦୂରେଇ ଯାଉଥିବା ତରୁଣ, ତରୁଣୀ ମାନଙ୍କୁ ପୁନଃ ଗଳ୍ପ, କବିତା ଓ ଉପନ୍ୟାସ ପୃଷ୍ଠାକୁ ଫେରାଇ ଆଣିବାକୁ ଏହା ଏକ ପ୍ରୟାସ । ତେଣୁ ଏଥିପାଇଁ ଭିନ୍ନ ଏକ ଶୈଳୀ, କିଛି କଞ୍ଚା ଶବ୍ଦ ଓ ରୋମାଣ୍ଟିଜିମର ଆଶ୍ରୟ ନିଆଯାଇଛି । ଆଶା ଏହା ତରୁଣ ତରୁଣୀ ମାନଙ୍କ ହୃଦୟକୁ ବେଶ୍ ଛୁଁଇବ ।
ଏହା ସମସ୍ତ ତରୁଣ ତରୁଣୀ ମାନଙ୍କୁ ଉର୍ସଗୀକୃତ ।
***********************************************
ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ