ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ

.

ବେଦଭୂମୀ  ଭାରତରେ  ବିଷ୍ଣୁ  ଉପାସନା  କାହିଁ  ବୈଦିକ  ଯୁଗରୁ  ପ୍ରଚଳିତ  ହୋଇଆସୁଛି  ।  ହିନ୍ଦୁ  ଧର୍ମରେ  ବିଶେଷ  ଭାବେ  ତ୍ରିମୂର୍ତ୍ତି  କଳ୍ପନାରେ  ବ୍ରହ୍ମା,  ବିଷ୍ଣୁ  ଓ  ମହେଶ୍ବର  ପୂଜିତ  ହୋଇଆସୁଛନ୍ତି   ।  ଏହି  ତ୍ରିମୂର୍ତ୍ତି  ନିଜ ନିଜର  ସ୍ୱତନ୍ତ୍ର  ଶକ୍ତିର  ପରାକାଷ୍ଠା  ଦର୍ଶାଇ   ସ୍ୱତନ୍ତ୍ର  ସ୍ଥାନର  ଅଧିକାରୀ  ହୋଇଥିବା  ହିନ୍ଦୁମାନଙ୍କ  ବିଶ୍ୱାସରେ  ରହିଆସିଛନ୍ତି  ।  ବ୍ରହ୍ମା  ସୃଷ୍ଟି  କର୍ତ୍ତା,   ବିଷ୍ଣୁ  ପାଳନ  କର୍ତ୍ତା  ଓ  ମହେଶ୍ବର  ସଂହାର  କର୍ତ୍ତା  ।  ତ୍ରିମୂର୍ତ୍ତିଙ୍କ  ମଧ୍ୟରେ  ବିଷ୍ଣୁ  କେବଳ   ଯୁଗେ  ଯୁଗେ  ଅବତାର  ନିଅନ୍ତି  ।  ବିଷ୍ଣୁ  ମାନବ  ଅବତାର  ଗ୍ରହଣ  କରି   କଳୁଷିତ  ସଂସାର  ଭିତରେ  ଥିବା  ଦୃଷ୍କୃତମାନଙ୍କ  ବିନାଶ  କରି  ସାଧୁ  ସନ୍ଥମାନଙ୍କ   ପରିତ୍ରାଣ କରି  ଧର୍ମ  ସଂସ୍ଥାପନାର୍ଥାୟ  କରିଥାନ୍ତି  ।  କେତେ  ବେଳେ  ସେ  ରାମ /  କୃଷ୍ଣ  ବା  ଯେକୌଣସି  ଅବତାର  ନେଇ  ଧରାପୃଷ୍ଠରେ  ଅବରତରଣ  କରନ୍ତି   ।

           ବିଷ୍ଣୁ  ଆଶ୍ରିତ  ବ୍ୟକ୍ତିମାନଙ୍କୁ  ବୈଷ୍ଣବ  କୁହାଯାଏ  ।  ବୈଷ୍ଣବ  ଧର୍ମ  ଭକ୍ତି  ମାର୍ଗର  ଧର୍ମ   ।   ଅଦୈ୍ୱତ  ବେଦାନ୍ତରେ  ବହ୍ମହିଁ  ମୂଳ ,  କିନ୍ତୁ  ଏହା  ସଗୁଣ  ନୁହେଁ  ନିର୍ଗୁଣ  ।  ବୈଷ୍ଣବ  ବେଦାନ୍ତମାନଙ୍କରେ  ବହ୍ମ  ସଗୁଣ   ଓ   ସେହି  ବ୍ରହ୍ମ  ନାରାୟଣ   ବିଷ୍ଣୁ  ନାରାୟଣ,  ବିଷ୍ଣୁ  ବା  କୃଷ୍ଣ  ନାମରେ  ଚିହ୍ନିତ  ।  ପୁନଃ    ବୈଷ୍ଣବ  ବେଦାନ୍ତମାନଙ୍କରେ  ଦର୍ଶାଇ  ଦିଆଯାଇଛି  ଯେ  ବ୍ରହ୍ମର  ଶକ୍ତି  ଥାଏ  ଓ  ସେହି  ଶକ୍ତିର  ନାମ  ଲକ୍ଷ୍ମୀ  ବା  ରାଧା  ।   କିନ୍ତୁ  ଉତ୍କଳୀୟ  ବୈଷ୍ଣବମାନେ  ସ୍ୱୟଂ  ଜଗନ୍ନାଥ  ମହାପ୍ରଭୁଙ୍କୁ  ବ୍ରହ୍ମ   ଭାବରେ  ଗ୍ରହଣ  କରିଆସୁଛନ୍ତି  ।  ଜଗନ୍ନାଥ  ହେଉଛନ୍ତି   ଦାରୁ  ବ୍ରହ୍ମ  ବା   ଦାରୁରୂପୀ  ବ୍ରହ୍ମ  ।  ସେ  ଅବତାରୀ,  ତାଙ୍କ  ଅଂଶ  ଭାବେ  ରାମ  କୃଷ୍ଣ  ଓ  ଅନ୍ୟ  ଅବତାରମାନେ    ଆବିର୍ଭୂତ  ହୋଇଥାନ୍ତି  ।   ‘ ସର୍ବଦା  ନୀଳାଦ୍ରିରେ  ସ୍ଥିତି /  ଏଥୁ  ସକଳେ  ଜାତ  ହୋନ୍ତି ।  ସମସ୍ତ  ଅବତାରମାନ / ଜାତ  ହୋଇଣ  ପଶେ  ପୁଣ  ।’  ଏହି  ଅବତାର ମାନେ    କର୍ମ  ସଂପାଦନ  କରି  ଶେଷରେ   ପୁନର୍ବାର  ଦାରୁ  ବ୍ରହ୍ମରେ  ବିଲୀନ  ହୋଇଯାଆନ୍ତି  ।

         ଖ୍ରୀଷ୍ଟୀୟ  ଅଷ୍ଟମ  ଶତାବ୍ଦୀରେ  ଇନ୍ଦ୍ରଭୂତି ‘ ଜ୍ଞାନସିଦ୍ଧି ‘ ନାମକ  ଗ୍ରନ୍ଥରୁ   ଜଣାଯାଏ , ଜଗନ୍ନାଥ  ଅରୂପ  ବେଶରେ  ସର୍ବବୁଦ୍ଧମୟ  ରୂପରେ  ସର୍ବ  ସାଧାରଣଙ୍କ  ଦ୍ଵାରା  ପୂଜିତ  ହୋଇଆସୁଥିଲେ  ।  ଏପରିକି  ବୌଦ୍ଧ  ଧର୍ମର  ବଜ୍ରଯାନ  ସଂପ୍ରଦାୟର  ପ୍ରଧାନ  ଉପାସ୍ୟ  ଦେବତା  ଥିବା  ଜଗନ୍ନାଥ  ସହଜଯାନର  ଉପାସ୍ୟ  ଦେବତା  ପରିଗଣିତ  ହେବା  ସରହପା  ଓ  କାହ୍ନୁପାଙ୍କ  ଦୋହାକୋଷସ୍ଥ  ଜଗନ୍ନାଥ  ବନ୍ଦନାରୁ  ସ୍ପଷ୍ଟ  ହୋଇଥାଏ  ।   କିନ୍ତୁ  ନବମ  ଶତାବ୍ଦୀରେ  ଅଦୈ୍ୱତବାଦୀ  ଶଙ୍କର  ପୁରୀଧାମକୁ  ଆସିବା  ପରେ  ହିନ୍ଦୁମାନେ  ଜଗନ୍ନାଥଙ୍କୁ   ନିର୍ଗୁଣ  ବ୍ରହ୍ମଙ୍କ  ବିଗ୍ରହ  ରୂପରେ  ଗ୍ରହଣ  କରିଥିଲେ  ।  ପରେପରେ  ରାମାନୁଜ,  ମଧ୍ୱଚାର୍ଯ୍ୟ,   ରାମାନନ୍ଦ,  ବଲ୍ଲଭାଚାର୍ଯ୍ୟ  ଓ  ନିଂବାର୍କ  ପ୍ରମୁଖ  ବୈଷ୍ଣବାଚାର୍ଯ୍ୟମାନେ   ଶ୍ରୀକ୍ଷେତ୍ର  ଆସି  ନିଜ ନିଜର  ଦୃଷ୍ଟିରେ  ଜଗନ୍ନାଥଙ୍କୁ   ବିଷ୍ଣୁ  ,  ନାରାୟଣ  ଓ  ରାମଭାବେ  ପୂଜାର୍ଚ୍ଚନା  କରିବା ହିଁ  ସ୍ପଷ୍ଟ  କରେ  ରାମ,  ବିଷ୍ଣୁ,  ମହାବିଷ୍ଣୁ, କୃଷ୍ଣ  ଆଦି  ରୂପରେ  ଯେ  ପୂଜା  ପାଆନ୍ତି ,  ସେ  ହେଉଛନ୍ତି  ସ୍ୱୟଂ  ଜଗନ୍ନାଥ  ମହାପ୍ରଭୁ  ।  ପଞ୍ଚସଖାଙ୍କ  ସମୟରେ  ଶ୍ରୀଚୈତନ୍ୟ  ଶ୍ରୀକ୍ଷେତ୍ର  ଆସି ତାଙ୍କ  ନିଜର   ଅଚିନ୍ତ୍ୟ  ଭେଦଭାବ  ପ୍ରଚାର   କରିବା  ଫଳରେ  ଉତ୍କଳୀୟମାନେ   ଜଗନ୍ନାଥଙ୍କ  ଠାରେ  ଅଧିକ  ବିଷ୍ଣୁତ୍ୱକୁ  ଉପଲବ୍ଧ  କରିଥିଲେ  ।  ଫଳସ୍ୱରୂପ   ଉତ୍କଳୀୟମାନଙ୍କ  ପାଇଁ  ଜଗନ୍ନାଥ  ବ୍ରହ୍ମ  ହୋଇରହିଗଲେ  ।  ସେ  ହେଲେ  ଉଭୟ  ନିର୍ଗୁଣ  ଓ  ସର୍ଗୁଣ  ବ୍ରହ୍ମ   ସ୍ୱରୂପ  ।  ଜଗନ୍ନାଥ   ସ୍ୱୟଂ  ବ୍ରହ୍ମ  ,   ସେ  କେବଳ  ସମନ୍ୱୟବାଦ  ପ୍ରତିଷ୍ଠା   କରିବାର  ଦେବତା  ।  ଶୈବ ,  ଶାକ୍ତ ,  ସୌର  ,  ବୌଦ୍ଧ  ,  ବୈଷ୍ଣବ  ଆଦି  ଧର୍ମ  ଜଗନ୍ନାଥ  ଧର୍ମରୂପୀ  ମହାସାଗରରେ  ହଜିଯାଇଛନ୍ତି  ।

        ବେଦାନ୍ତ  ଦର୍ଶନର  ପ୍ରବର୍ତ୍ତକ  ଶଙ୍କରାଚାର୍ଯ୍ୟ   ପୁରୀ  ଆଗମନ  କରି  ନିର୍ଗୁଣ  ବ୍ରହ୍ମ  ବ୍ୟତୀତ  ଅନ୍ୟ  କାହାକୁ  ସ୍ୱୀକାର  କରୁନଥିଲେ  ।  ବ୍ରହ୍ମ  ଓ  ଜୀବକୁ  ଅଭିନ୍ନ  ବୋଲି  କହୁଥିଲେ  ।   ତାଙ୍କ  ଦର୍ଶନରେ  ଅବିଦ୍ୟା  ବନ୍ଧନର ଶକାରଣ    ।  ତେଣୁ  ଜ୍ଞାନ  ଲାଭ  ହେବା  ପରେ  ମୋକ୍ଷ  ପ୍ରାପ୍ତି  ଘଟେ  ।  ତାଙ୍କ  ଦୃଷ୍ଟିରେ  ଯୋଗ  ,  ସାଂଖ୍ୟ ,  କର୍ମ ,  ବିଦ୍ୟା  ,  ଦାନ  ଗଙ୍ଗା  ସ୍ନାନ ,  ପ୍ରାଣାୟାମ  ଦ୍ଵାରା   ମୋକ୍ଷ  ଘଟେ  ନାହିଁ ,  କେବଳ  ବ୍ରହ୍ମ  ଓ  ଆତ୍ମା  ଏକ  ଉପଲବ୍ଧ  କରିପାରିଲେ  ମୋକ୍ଷ  ପ୍ରାପ୍ତ  ହୁଏ  ।  ଏ  ସଂପର୍କରେ  ଶଙ୍କର  ଆତ୍ମାର   ସ୍ୱରୂପ  ବ୍ରହ୍ମକୁ   ଅନୁସନ୍ଧାନ  କରିବା  ଭକ୍ତି  ବୋଲି  ଦର୍ଶାଇ  ଲେଖିଛନ୍ତି –  ” ମୋକ୍ଷକାରଣ  ସାମଗ୍ର୍ୟାଂ  ଭକ୍ତିରେବ  ଗରୀୟସୀ /  ସ୍ୱ  ସ୍ୱରୂପାନୁସଂଧାନଂ  ଭକ୍ତିରିତ୍ୟଭିଧୀୟତେ । ”  ବ୍ରହ୍ମ  ପରମ   ଓ  ବିକଳ୍ପ  ,  ତାଙ୍କ  ଠାରେ  ଧ୍ୟାନ  ରଖିଲେ  ଇହ  ଜନ୍ମରେ  ବ୍ରହ୍ମନିର୍ବାଣ  ମିଳେ  ବୋଲି  ଶଙ୍କରଙ୍କର  ବିଶ୍ୱାସ  ଥିଲା  ।  ଶଙ୍କର  ବ୍ରହ୍ମଜ୍ଞାନୀ  ଥିବାରୁ  ଭକ୍ତି  ଭାବନାକୁ  ପରିହାର  କରିନାହାନ୍ତି  ।  ସେ  ଭଗବାନଙ୍କୁ  ସ୍ତୁତି  କଲାବେଳେ  ”  ଗତିସ୍ତ୍ୱଂ  ଗତିସ୍ତ୍ୱଂ  ତ୍ୱମେକା  ଭବାନୀ  ”  ,  ଶିବଙ୍କୁ  ସ୍ତୁତି  କଲାବେଳେ  ଗାଇଛନ୍ତି ,  ”  ସଂସାର – ଦୁଃଖ-ଗହନାତ୍  ଜଗଦୀଶ  ରକ୍ଷ  ।”

        କୁହାଯାଇଛି  ଜ୍ଞାନମାର୍ଗ   ବେଦ  ଓ  ଉପନିଷଦ  ଯୁଗରୁ  ଯେଭଳି  ଜନ୍ମ  ନେଇଥିଲା  ଠିକ୍  ସେଭଳି  ଭକ୍ତିମାର୍ଗ  ବୈଦିକ  ଯୁଗରେ  ଜନ୍ମ  ଲାଭ  କରିଥିଲା  ।   ନାରଦ  ଭକ୍ତିର  ସଂଜ୍ଞା  ଦେଇଛନ୍ତି – ”  ସା  କସ୍ମୈଚିତ୍  ପରମ  ପ୍ରେମରୂପା  ।”    ଶାଣ୍ତିଲ୍ୟ  ମଧ୍ୟ  ଏସଂପର୍କରେ  ଉଲ୍ଲେଖ  କରିଛନ୍ତି – ”  ସା  ପରାନୁରକ୍ତିରୀଶ୍ୱରେ  ।”   ଈଶ୍ବରଙ୍କଠାରେ  ପରମ  ଅନୁରକ୍ତିହିଁ  ଭକ୍ତି  ।”  ଭାଗବତ-ମାହାତ୍ମ୍ୟରେ  କଳିଯୁଗ  ପାଇଁ  ଭକ୍ତିର  ପ୍ରଶଂସାରେ  ଦର୍ଶାଇ  ଦିଆଯାଇଛି –  ” ଅଳଂ  କଳୌ  ବ୍ରତୈଃ  ତୀର୍ଥୈଃ  ୟୋଗୈଃ  ଶାସ୍ତ୍ରୈଃ  ଅଳଂ  ମଖୈଃ /  ଅଳଂ  ଜ୍ଞାନକଥାଲାପୈଃ  ଭକ୍ତିରେକୈବ  ମୁକ୍ତିଦା ।”  କଳିଯୁଗରେ  ବ୍ରତ ,  ତୀର୍ଥ , ଯୋଗ  ,  ଶାସ୍ତ୍ର  ପାଠ,  କର୍ମ  କାଣ୍ଡ ,  ଜ୍ଞାନାଲୋଚନା  ଆଦିରେ  ମୁକ୍ତି  ମିଳେ  ନାହିଁ  ।  ବରଂ  କଳି  ଯୁଗରେ   କେବଳ  ଭକ୍ତି  ଦ୍ବାରା  ମୁକ୍ତି  ମିଳେ  ।  ମନୁ  ପ୍ରତ୍ୟେକ  ଯୁଗ  ପାଇଁ  ନାନା  ମାର୍ଗ   ଦର୍ଶାଇ  ଦେଇଛନ୍ତି  ।  ମନୁଙ୍କ  ଶ୍ଳୋକ –  ”   ତପଃ  ପୂର୍ବଂ  କୃତଯୁଗେ  ତ୍ରେତୟାଂ  ୟଜ୍ଞ  ମେବ  ଚ  /   ଦ୍ୱାପରେ  ଦାନମିତ୍ୟାହୁଃ  କଳୌ  ଭକ୍ତିର୍ଗରୀୟସୀ । ‘  ଅର୍ଥାତ  ସତ୍ୟଯୁଗରେ  ତପ ,   ତ୍ରେତାଯୁଗରେ  ଯଜ୍ଞ ,   ଦ୍ୱାପରଯୁଗରେ  ଦାନ  ଓ  କଳି  ଯୁଗରେ  ଭକ୍ତି ହିଁ  ଶ୍ରେଷ୍ଠ  ବୋଲି  କହିଛନ୍ତି  । 

       ତେଣୁ  ଭକ୍ତିଯୋଗ  ଭାରତୀୟ  ଧର୍ମସାଧନା  ମାର୍ଗରେ  ଏକ  ବିଶିଷ୍ଟ  ବିଭାଗ  ।  ଭଜ୍  ଧାତୁରେ  କ୍ତିନ୍  ପ୍ରତ୍ୟୟ   ଯୋଗେ  ଭକ୍ତି  ଶଦ୍ଦର  ନିଷ୍ପନ୍ନ  ।   ଭଜ୍  ଅର୍ଥ  ସେବା ,  ତେଣୁ  ଭଗବାନଙ୍କ  ସେବା  କୈନ୍ଦ୍ରିକ  ସାଧନା  ମାର୍ଗକୁ  ଭକ୍ତିମାର୍ଗ   କୁହାଯାଏ  ।   ପ୍ରତ୍ୟେକ  ମଣିଷ  ସଦା  ସୁଖକାମୀ  ,  ଏହା  ତାର  କେବଳ  ପରମାର୍ଥ  ବା  କାମ୍ୟବସ୍ତୁ  ।  ଏହାକୁ  ମଧ୍ୟ  ଅନ୍ୟ  ଅର୍ଥରେ  ପୁରୁଷାର୍ଥ   କୁହାଯାଏ  ।  ପୁରୁଷାର୍ଥ  ପ୍ରାପ୍ତି  ନିମନ୍ତେ  ଭାରତୀୟ  ଧର୍ମାନୁସାରେ   ଦୁଇଟି  ମାର୍ଗ  ଦର୍ଶାଯାଇଛି  ।  ଗୋଟିଏ  ଆତ୍ୟନ୍ତିକୀ  ଦୁଃଖ  ନିବୃତ୍ତି  ।   ଏସଂପର୍କରେ  ବିଶେଷ  କରି   ସାଂଖ୍ୟ  ଦର୍ଶନ ,   ଯୋଗ  ଦର୍ଶନ,  ବୌଦ୍ଧ  ଦର୍ଶନ   ପ୍ରଭୃତିରେ   ଦର୍ଶାଇ  ଦିଆଯାଇଛି  ।    ଆତ୍ୟନ୍ତିକୀ  ଦୁଃଖ  ନିବୃତ୍ତି  ବାସ୍ତବ  ସୁଖ  ଅନ୍ୱେଷଣ  କରି   ସେଥିରେ  ଯୁକ୍ତ  ହେବା  ନିମନ୍ତେ  କିଛି  ସାଧନାମାର୍ଗର  ନିର୍ଦ୍ଦେଶ  ଦିଆଯାଇଛି  ।  

         ମାନବ  ଜୀବନରେ  ବାସ୍ତବ  ସୁଖ  କଣ  ?  ଏକଥା  ମଧ୍ୟ   ସତ୍ୟ  ସାଂସାରିକ  ସୁଖ  ମଧ୍ୟରୁ  କୌଣସିଟି  ବାସ୍ତବ  ସୁଖ  ନୁହେଁ  ।   ଦୈହିକ  ସୁଖ  ସୁଖ  ନୁହେଁ ,  ତା  ପଛରେ  ଥାଏ  ଜରା ,  ବ୍ୟାଧି  ଠାରୁ  ଆହୁରି  ଭୟଙ୍କର  ଅଜଣା  ରୋଗ  କି  ଅର୍ଥର  ପାହାଡ  ଉପରେ  ସୁଖ  ନଥାଏ ,  ତାହା  କେବଳ  ଭ୍ରମ  ସୃଷ୍ଟି  କରେ  ।  ତେଣୁ  ସଂସାରର  ସମସ୍ତ  ସୁଖ  କ୍ଷଣଭଙ୍ଗୁର ,  ଚହଲା  ପାଣି  ସଦୃଶ୍ୟ  ନିମିଷିକ  ସୀମିତ  ତଥା  ଦୁଃଖଜଡିତ  ।  ଉପନିଷଦରେ  କୁହାଯାଇଛି – ”  ଯୋ  ବୈ  ଭୂମା  ତତ୍  ସୁଖମ୍ , ନାଳ୍ପେ  ସୁଖମସ୍ତି  /   ଭୂମୈବ  ସୁଖମ୍  , ଭୂମା  ତ୍ୱବ  ବିଜିଜ୍ଞାସିତବ୍ୟ  ।”    ଅର୍ଥାତ  ଯାହା  ମହାନ  ତାହାହିଁ  ସୁଖ ,  ଅଳ୍ପରେ  ସୁଖ  ନାହିଁ  ।  ମହାନ୍ ହିଁ  ସୁଖ ,  ତେଣୁ  ସେହି  ମହାନଙ୍କୁ  ସକଳେ  ଜାଣିବା  ଉଚିତ  ।  ତେଣୁ  ଉପନିଷଦ  ମାନଙ୍କରେ  ଏହି  ମହାନ  ହେଉଛନ୍ତି  ବ୍ରହ୍ମ  ।   ସେ  ସର୍ବବ୍ୟାପୀ ,  ବୃଂହତି , ବୃହଂୟତି  ଇତି  ବ୍ରହ୍ମ  ।  ଅର୍ଥାତ  ଯେ  ନିଜେ  ମହାନ୍  ଓ  ଅନ୍ୟକୁ  ମହାନ୍  କରନ୍ତି ।  ତେଣୁ  ବ୍ରହ୍ମ  ହିଁ  ପ୍ରକୃତ   ସୁଖ  ବା  ଆନନ୍ଦର  ଆଧାର ,  କାରଣ  ଉପନିଷଦରେ  କୁହାଯାଇଛି – ” ଆନନ୍ଦଂ  ବ୍ରହ୍ମଣୋ  ବ୍ୟଜାନାତ୍  । ‘ ସୂଚେଇ  ଦିଆଯାଇଛି  ଯେ  ବ୍ରହ୍ମ ଙ୍କୁ  ଆନନ୍ଦ  ବୋଲି  ଜାଣ  ।

           ବ୍ରହ୍ମ  ତିନୋଟି  ରୂପରେ  ପ୍ରକଟିତ  ହୁଅନ୍ତି  ।  ତାଙ୍କର  ଗୋଟିଏ  ରୂପ  ହେଉଛି  ଆକାର  ବିହୀନ ,  ନିର୍ଗୁଣ  ଓ  ସର୍ବବ୍ୟାପୀ  ।  ଏପରି  ରୂପ  ବ୍ରହ୍ମ  ରୂପେ  ଖ୍ୟାତ ।  ବ୍ରହ୍ମଙ୍କର  ଅନ୍ୟ  ଏକ  ରୂପ  ହେଉଛି  ସର୍ବାନ୍ତର୍ଯ୍ୟାମୀ   ପରମାତ୍ମା  ରୂପ  ।   ବ୍ରହ୍ମଙ୍କର  ଅନ୍ୟ  ତୃତୀୟ  ରୂପଟି  ରସଘନ  ବିଗ୍ରହ ,  ସଚ୍ଚିଦାନନ୍ଦ ତନୁ  ଷଢ୍ ଐଶ୍ୱର୍ଯ୍ୟ  ବା  ଷଢ୍ ଗୁଣର  ଆଧାର ,  ସ୍ରଷ୍ଟା  ପାଳନକର୍ତ୍ତା  ତଥା  ସଂହର୍ତ୍ତା  ।  ଈଶ୍ବର  ରୂପ  ବ୍ରହ୍ମଙ୍କର  ଏହି  ତିନି  ରୂପଙ୍କୁ  ଉପଲବ୍ଧି  କରିବା  ନିମନ୍ତେ  ତିନୋଟି  ସାଧନା  ମାର୍ଗ  ଅନୁ୍ସରଣ  କରିବାକୁ  ହେବ  ।  ତିନୋଟି  ମାର୍ଗ  ହେଉଛି  ପ୍ରଥମଟି  ଜ୍ଞାନମାର୍ଗ  ,  ଦ୍ୱିତୀୟଟି  ଯୋଗମାର୍ଗ   ଓ  ତୃତୀୟଟି  ଭକ୍ତି ମାର୍ଗ  ।   କୁହାଯାଏ  ଜ୍ଞାନମାର୍ଗରେ  ବ୍ରହ୍ମ  ସ୍ୱରୂପର  ଉପଲବ୍ଧି ,  ଯୋଗମାର୍ଗରେ  ଦେହ  ମଧ୍ୟରେ  ପରମାତ୍ମା  ସ୍ୱରୂପର  ଉପଲବ୍ଧି  ଓ  ଭକ୍ତିମାର୍ଗରେ   ରୂପ ,  ଗୁଣ ,  ନାମ  ଓ  ଲୀଳା  ସେବା  ମାଧ୍ୟମରେ  ଈଶ୍ୱର  ବା  ଭଗବାନଙ୍କ  ସ୍ୱରୂପର  ଉପଲବ୍ଧି  ଘଟିଥାଏ  ।   କିନ୍ତୁ  ଏହି  ତିନୋଟି  ମାର୍ଗ  ମଧ୍ୟରୁ  ଭକ୍ତିମାର୍ଗର  ଶ୍ରେଷ୍ଠତ୍ୱ  ବିଭିନ୍ନ  ଶାସ୍ତ୍ରମାନଙ୍କରେ  ପ୍ରତିପାଦିତ  ଓ  ସ୍ୱୀକୃତ  ହୋଇଛି  ।  ଜ୍ଞାନମାର୍ଗ  ଓ  ଯୋଗମାର୍ଗ ରେ  ଅବ୍ୟକ୍ତ  ବ୍ରହ୍ମ  ଓ  ପରମାତ୍ମାଙ୍କର  ଧ୍ୟାନକରି  ତାଙ୍କ  ପ୍ରତି  ଆସକ୍ତ  ହେବାକୁ  ପଡେ ,  ଯାହାକି  ଅତ୍ୟନ୍ତ  କ୍ଳେଶପ୍ରଦ  ବା  କଠିନ  କାର୍ଯ୍ୟ  ।  ଏହା  ସହଜ  ସାଧ୍ୟ  ହୋଇପାରେ  ନାହିଁ  ।   ଶ୍ରୀମଦ୍  ଭଗବଦ୍  ଗୀତାରେ  ଉଲ୍ଲେଖ  ଅଛି –  କ୍ଳେଶୋଧିକତରସ୍ତେଷାମବ୍ୟକ୍ତ  ସକ୍ତଚେତସାମ୍ ।” 

       ପ୍ରକୃତରେ  ଏକ  ନିର୍ଦ୍ଦିଷ୍ଟ  ରୂପ  ଓ  ଗୁଣ  ପ୍ରତି  ସହଜରେ  ଆସକ୍ତି  ହେବା  ମଣିଷର  ଏକ  ସହଜାତ  ପ୍ରବୃତ୍ତି  ।  ତେଣୁ  ଜ୍ଞାନ ମାର୍ଗ   ବା  ଯୋଗମାର୍ଗ  ଅପେକ୍ଷା  ଭକ୍ତିମାର୍ଗରେ  ତାହା  ସମ୍ଭବ  ହୋଇଥାଏ  ।  ରାଗ  ବା  ଆସକ୍ତି  ଭକ୍ତିର   ମୂଳସୂତ୍ର  ।  ଏହି  ଆସକ୍ତି  ପରମାବିଷ୍ଟତାକୁ  ଲାଭ  କଲେ  ତାହା  ଭକ୍ତିରେ  ପରିଣତ  ହୋଇଥାଏ  ।  ସାଂଖ୍ୟ , ଯୋଗ ,  ସ୍ୱାଧ୍ୟାୟ  ତପ  ,  ତ୍ୟାଗ  ଅପେକ୍ଷା  ଭକ୍ତିଯୋଗ  ଶ୍ରେଷ୍ଠ  ।  କୁହାଯାଏ  ଉତ୍ତମା  ଭକ୍ତି  ଭଗବାନଙ୍କୁ  ଯେମିତି  ବଶୀଭୂତ  କରିପାରେ  ଅନ୍ୟ  କେଉଁଠିରେ  ଏଭଳି  ସମ୍ଭବ  ହୋଇପାରେ  ନାହିଁ  ।  ଶ୍ରୀମଭାଗତ  କୁହାଯାଇଛି – ” ନ  ସାଧୟତି  ମାଂ  ଯୋଗୋ ନ  ସାଂଖ୍ୟଂ  ଧର୍ମ  ଉଦ୍ଧବ /  ନ  ସାଧ୍ୟାୟସ୍ତପସ୍ତ୍ୟାଗୋ  ଯଥା  ଭକ୍ତିର୍ମମୋର୍ଜ୍ଜିତା  ।  ଭକ୍ତ୍ୟା£ହମେକୟା  ଗ୍ରାହ୍ୟଃ  ଶ୍ରଦ୍ଧୟାତ୍ମା  ପ୍ରିୟଃ  ସତାମ୍ /  ଭକ୍ତିଃ  ପୁନାତି  ମନ୍ନିଷ୍ଠା  ଶ୍ୱପାକାନପି  ସମ୍ଭବାତ୍  ।”  ଶ୍ରୀମଭଗବଦ୍  ଗୀତାରେ  ଶ୍ରୀକୃଷ୍ଣ  ଅର୍ଜ୍ଜୁନଙ୍କୁ  କହିଛନ୍ତି –  ସେହି  ପରମ  ପୁରୁଷ  ଭକ୍ତି  ବ୍ୟତୀତ  ଅନ୍ୟ  କୌଣସି  ଉପାୟରେ  ମିଳନ୍ତି  ନାହିଁ  । 

        ଭକ୍ତି  ସଂପର୍କରେ  ଶ୍ରୀମଭଗବଦ୍  ଗୀତାରେ  ଶ୍ରୀକୃଷ୍ଣ   ଅର୍ଜ୍ଜୁନଙ୍କୁ  ସୂଚେଇ  ଦେଇ  କହିଛନ୍ତି –  ଯେ  ମୋତେ  ଭକ୍ତିରେ  ସେବା  କରେ ,  ସେ  ମୋ  ମଧ୍ୟରେ  ଏବଂ  ମୁଁ  ତା  ମଧ୍ୟରେ  ଅବସ୍ଥାନ  କରେ  ।  ବସ୍ତୁତଃ  ଭକ୍ତି  ଉପାସକ  ଭକ୍ତ  ଓ  ଭଗବାନଙ୍କ  ମଧ୍ୟରେ  ପାର୍ଥକ୍ୟ  କିଛି  ନାହିଁ  ।   ଭଗବାନ  ଶ୍ରୀକୃଷ୍ଣ  ଅର୍ଜ୍ଜୁନଙ୍କୁ  ବିଶ୍ୱରୂପ  ପ୍ରଦର୍ଶନ  କରିବା  ବେଳେ  କହିଛନ୍ତି  ,   ତାଙ୍କର  ଏହି  ରୂପକୁ  କେବଳ  ଭକ୍ତି  ଦ୍ବାରା  ଦର୍ଶନ  କରିହୁଏ  ।  ଭଗବାନ  କେବଳ  ଭକ୍ତି  ଯୋଗ  ମାଧ୍ୟମରେ  ପ୍ରାପ୍ତି  ହୁଅନ୍ତି  ଏକଥାକୁ  ଶ୍ରୀକୃଷ୍ଣ  ଅର୍ଜ୍ଜୁନ  ନିକଟରେ  ପ୍ରକାଶ  କରିଛନ୍ତି-  ମନ୍ମନା  ଭବ  ମଭକ୍ତୋ ମଦ୍ ଯାଜୀ ମାଂ ନମସ୍ମୃରୁ /  ସର୍ବଧର୍ମାନ୍  ପରିତ୍ୟଜ୍ୟ  ମାମେକଂ  ଶରଣଂ  ବ୍ରଜ ।”  କେବଳ  ଶ୍ରୀମଦ୍ ଭଗବଦ୍  ଗୀତାରେ  ନୁହେଁ ,  ବିଭିନ୍ନ  ଶ୍ରୂତିଗ୍ରନ୍ଥ  ଓ  ଉପନିଷଦରେ  ଭକ୍ତି  ଯୋଗର  ମହିମା  ଆଲୋଚିତ  ।  ମାଠର  ଶ୍ରୂତିଗ୍ରନ୍ଥରେ  ଉଲ୍ଲେଖ  ଅଛି –  ଭକ୍ତିରେବ  ଏନଂ  ନୟତି , ଭକ୍ତିରେବ  ଏନଂ  ଦର୍ଶୟତି /  ଭକ୍ତିଦଶଃ  ପୁରୁଷଃ ,  ଭକ୍ତିରେବ  ଭ୍ୱୟସୀ  ।”  ତେଣୁ  ଏ  କଳିଯୁଗରେ  ଭକ୍ତ  ନିଜର  ଭକ୍ତି  ଦ୍ଵାରା  ଭଗବାନଙ୍କୁ  ପ୍ରାପ୍ତି  ସ୍ୱୟଂ  ଶ୍ରୀକୃଷ୍ଣ  ଅର୍ଜ୍ଜୁନଙ୍କ  ନିକଟରେ  ପ୍ରକାଶ କରିଛନ୍ତି  ତାହାହିଁ  ଆଜିର  ଭକ୍ତ  ସମାଜ  ହୃଦୟଙ୍ଗମ  କରି  ପାରିଲେ   ଶ୍ରୀମଦ୍ ଭଗବଦ୍ ଗୀତା  ପ୍ରତି  ଦୃଢ  ବିଶ୍ୱାସ  ରଖିଲେ  ଏ  କଳିକାଳ  କଳୁଷିତ  ସମାଜରୁ  ମୁକ୍ତି  ପାଇପାରିବ –  ସର୍ବଧର୍ମାନ୍  ପରିତ୍ୟଜ୍ୟ  ମାମେକଂ  ଶରଣଂ  ବ୍ରଜ…!!!

**********************************

ଡକ୍ଟର  ଲକ୍ଷ୍ମଣ  ସାହୁ, ଓଡିଆ ଭାଷା  ଓ  ସାହିତ୍ୟ  ବିଭାଗୀୟ  ମୁଖ୍ୟ, ମହାନଦୀବିହାର  ମହିଳା  ସ୍ନାତକ  ମହାବିଦ୍ୟାଳୟ ,  କଟକ – ୪, ଦୂରଭାଷ : ୯୦୪୦  ୧୫୧୪୭୫            

Share

Related Posts

0 0 votes
Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x