କବି ପ୍ରତିଭାର ଜୟଗାନ

Representational Image

ଲକ୍ ଡାଉନ୍ ର  କିଛି  ଦିନ  ପୂର୍ବରୁ  ମୋତେ  ଏକ  କବିତା  ଆସରରେ  ଯୋଗ  ଦେବାକୁ  ପଡିଥିଲା  ।  ପୁଣି   ନିମନ୍ତ୍ରଣ  ଅତିଥି  ବନାମ  ମୁଖ୍ୟ  ବକ୍ତା  ଭାବରେ  ।   ମଞ୍ଚାସିନ  ଅତିଥିମାନଙ୍କ  ଗହଣରେ   ସାହିତ୍ୟ  ଚର୍ଚ୍ଚା  କରିବା  ସପକ୍ଷରେ  ନଥିଲି  କି  ମୋର  ସେମିତି  କିଛି  ଆଗ୍ରହ  ନଥିଲା  ।  ଭାବୁଥିଲି   ମୋର  ନମସ୍ୟ  ବିଶ୍ୱବିଦ୍ୟାଳୟ   ଓଡିଆ  ଭାଷା   ସାହିତ୍ୟର  ବିଭାଗୀୟ  ପ୍ରାଧ୍ୟାପକ  ଓ  ମହାବିଦ୍ୟାଳୟ  ଅଧ୍ୟାପକବୃନ୍ଦ  ଏମାନଙ୍କ  ସାହିତ୍ୟ  ଗବେଷଣା  ଗଭୀର  ଚାଷ  ନିକଟରେ  ହାର  ମାନିଯିବେ  ।  ଅର୍ଥାତ  କୌଣସି   ପ୍ରମାଣଗତ  ତଥ୍ୟ  ନଥାଇ  ମଞ୍ଚାସିନ  ଅତିଥି  ବନ୍ଧୁମାନେ  ଟେବୁଲ  ବାଡେଇ  ଉଚ୍ଚ  ସ୍ୱରରେ  ଯେଭଳି  ବକ୍ତବ୍ୟ  ରଖନ୍ତି  ସାଧାରଣ  ଶ୍ରୋତାମାନଙ୍କ  ଘନଘନ  ତାଳିମାଡରେ  କୌଣସି  ରାଜନୈତିକ  ନେତାଙ୍କ  ଇଲେକ୍ସନ  ପ୍ରଚାର  ଠାରୁ  କମ୍  ନୁହେଁ  ।  ମୋର  ସୀମିତ  ଜ୍ଞାନ  ହେଉ  ବା  ଅଜ୍ଞାତରୁ  ସେମାନଙ୍କ  ତଥ୍ୟକୁ  ତର୍ଜମା  କରିବା  ଅପରାଧ  ଅଟେ  ।

ଗଙ୍ଗାଧର  ମେହେର  ସେ  ସମୟରେ  ମହାବିଦ୍ୟାଳୟ  ବାରଣ୍ଡା  ନମାଡି  ଯଦି  ତାଙ୍କର  କାବ୍ୟ  ମହାବିଦ୍ୟାଳୟରେ  ପଢାଯାଇ  ପାରୁଛି ,  ତେବେ ଗଙ୍ଗାଧରଙ୍କ  ନାମରେ  ବିଭିନ୍ନ  (ଅ) ସାହିତ୍ୟିକ  ଅନୁଷ୍ଠାନରୁ  ମାନପତ୍ର  ଗ୍ରହଣ  କରୁଥିବା  (ଅ)ସାହିତ୍ୟକ  ବନ୍ଧୁମାନଙ୍କୁ  ଆମର  ପ୍ରଣାମ ,  ଏଥିପାଇଁ  ସେମାନେ  ଗଙ୍ଗାଧରଙ୍କ   ଠାରୁ  କୌଣସି  ଗୁଣରେ  କମ୍  ନୁହନ୍ତି  ।  ଜାଣେ  ନାହିଁ  ଗଙ୍ଗାଧରଙ୍କ  କୃତି  ସମ  ସେମାନଙ୍କ  ପାଖରେ  ସେଭଳି  କୃତିତ୍ୱ  ଅଛି  ନା  ଗଙ୍ଗାଧରଙ୍କ  ଉପରେ  ଗଭୀର  ଚାଷ  ଅଛି  ।  (ଅ)ସାହିତ୍ୟିକ  ଅନୁଷ୍ଠାନର  ଚୟନ  କର୍ତ୍ତାଙ୍କୁ  ଶତ  ଧନ୍ୟବାଦ  ଏଥିପାଇଁ  ସାହିତ୍ୟ  ସେବା  ପାଇଁ  ତାଙ୍କର  ଦରଦୀ  ହୃଦୟ  ବର୍ଷକୁ  ଅତ୍ୟନ୍ତ  ତିନି  ଚାରୋଟି  ମଞ୍ଚ  ପ୍ରସ୍ତୁତ  କରି  ଏକାଥରକେ  ପଚାଶରୁ  ଶତ ପ୍ରତିଶତ ମାନପତ୍ର ,  ଉତ୍ତରୀୟ ,  ଦେଇ  ସମ୍ବର୍ଦ୍ଧିତ  କରିପାରୁଛନ୍ତି ।  ପିତୃପୁରୁଷଙ୍କ  ଶ୍ରାଦ୍ଧ  ନିମିତ୍ତ  କିଞ୍ଚିତ୍  ଅର୍ଥ  ଖର୍ଚ୍ଚକୁ  କୁଣ୍ଠାବୋଧ  କରୁଥିବା  ଚତୁର  ମଣିଷ  ମାଛ  ତେଲରେ  ମାଛ  ଭାଜି  ସୁନାମ  ଅର୍ଜନ  ନୀଳବର୍ଣ୍ଣ  ଶୃଗାଳ  ସଦୃଶ୍ୟ  ତାହା  ଲୋକ  ଲୋଚନକୁ  ଦିନେ ନା  ଦିନେ  ନଆସିବ  କିଏ  କହିବ  ?  ଖାଲି  ଗଙ୍ଗାଧର  ନୁହନ୍ତି ,  ଲୁଇପା , କାହ୍ନୁ ପା , ଶବରପା  ଠାରୁ  ଆରମ୍ଭ  କରି  ସାରଳା , ଜଗନ୍ନାଥ , ଉପେନ୍ଦ୍ର , କବିସୂର୍ଯ୍ୟ , ଦୀନକୃଷ୍ଣ ,  ଅଭିମନ୍ୟୁ , ରାଧାନାଥ , ମଧୁସୂଦନ ,  ମାନସିଂହ , ଗଡନାୟକ  ଆଦି  ପ୍ରମୁଖ  ନାମରେ ମାନପତ୍ର  ବିକ୍ରି  ।   ଏତତ୍ ବ୍ୟତୀତ  କବି ଚନ୍ଦ୍ରମା , କବି  ଗୌରବ , ବ୍ୟାସକବି ,  ତରୁଣ କବି ,  ପ୍ରଣୟ କବି  ଆଦି  ନାମରେ  ପିତା  ଅର୍ଜିତ  ନାମ  ପୂର୍ବରୁ  ଗୌରବ  ଚନ୍ଦ୍ରିକା  ବସାଇ  ଗୌରବରେ  ଓଡିଆ  ବାଣୀ  ଭଣ୍ଡାରକୁ  ସମୃଦ୍ଧି  କରୁଛନ୍ତି ,  ତାହା  ବିଜ୍ଞ  ପାଠକମାନେ  ବିଚାର  କରିବା  ହେବେ  ।  ଦୁଃଖ  ଓ  ପରିତାପର  ବିଷୟ  ଅଗ୍ରମୀ  ଅର୍ଥ  ଦେଇ  ମାନପତ୍ର  କିଣୁଥିବା  (ଅ) ସାହିତ୍ୟିକ  ବନ୍ଧୁ  ମାଟ୍ରିକ , ବିଏ , ଏମ.ଏ , ସିଟି ,  ବିଇଡି , ଡିପ୍ଲୋମା  ଆଦି  ସାଟ୍ଟିଫିକେଟ୍  ଠାରୁ  ଏହାର  ମର୍ଯ୍ୟାଦା  କେତେ  ଅଧିକ  ଏ  ଅଧମ  ଜାଣେ  ନାହିଁ  ।  ସବୁଠାରୁ  ମଜାର  କଥା  ସୋସିଆଲ  ମିଡିଆରେ  ଏବେ  ଦୈନିକ , ସାପ୍ତାହିକ , ମାସିକ , ପାକ୍ଷିକ  ସାହିତ୍ୟ  ନାମରେ  ବିଭିନ୍ନ  ପ୍ରତିଯୋଗିତା  ଓ  ଡିଜିଟାଲ  ପ୍ରମାଣ  ପତ୍ର  ଦିଆଯାଉଛି ।  ପୁଣି  ବେଳେବେଳେ  ଭୋଟିଂ  ସିଷ୍ଟମ  ।  ପୁଣି  ଗ୍ରୁପରେ  ବାନ୍ଧି  ରଖିବା  ନିମନ୍ତେ  ବିଭିନ୍ନ  ରଣ  କୌଶଳ ।  ଯିଏ  ଯେମିତି  ଲେଖିଲା  ଶତ  ପ୍ରଶଂସା ,  ଭାବ  ଦିଆନିଆ  ମାନପତ୍ର  ଆଦାନ  ପ୍ରଦାନ  ।  ସତରେ  ଏଭଳି  ମାର୍ଗରେ  ଓଡିଆ  ଭାଷା  ସାହିତ୍ୟର  ରକ୍ଷା  କବଚ  ସାଜିଥିବା  (ଅ) ସାହିତ୍ୟିକ  ବନ୍ଧୁମାନଙ୍କୁ  ଶତ  ସହସ୍ର  ଧନ୍ୟବାଦ  ।  ଏଭଳି  କ୍ଷେତ୍ରରେ  ସାହିତ୍ୟର  ମାନଦଣ୍ଡ  କେତେ  ଦିନକୁ  ଦିନ  ବୃଦ୍ଧି ପାଉଛି  ନା  ହ୍ରାସ  ଘଟୁଛି  ବୁଦ୍ଧିଜୀବୀମାନଙ୍କ  ବିଚାର  ସାପେକ୍ଷ  ।

                କ୍ଷମା  କରିବେ ,  କୌଣସି  ସାହିତ୍ୟିକ  ବନ୍ଧୁଙ୍କୁ  ଆକ୍ଷେପ  କରିବା  ବା  ସମାଲୋଚନା  କରିବା  ଉଦ୍ଦେଶ୍ୟ  ନୁହେଁ  ।   ସୋସିଆଲ  ମିଡିଆ  ଫେସବୁକ  ଓ  ଓ୍ୱ।ଟସପ୍  ରେ   ଓ  ବିଭିନ୍ନ  ଗ୍ରୁପରେ  ଚାଲିଥିବା  ପ୍ରତିଯୋଗିତା  ଓ  ଅଧିକାଂଶ  କବିତା  ସଂପର୍କରେ  ସୂଚନା  ଦେଉଛି  ମାତ୍ର  ।  ଏଥିରେ  ବହୁ  ନବୀନ  ସ୍ରଷ୍ଟାମାନଙ୍କ  ଉଚ୍ଚ-କୋଟୀର  ଲେଖା  ଦେଖିଲେ  ସ୍ୱତଃ  ମୁଣ୍ଡ  ନଇଁ  ଆସେ  ।  ବହୁ  ଦିଗରୁ  ଓ  ବହୁ  ଦିଗରେ  ସେମାନେ  ଉତ୍କର୍ଷ  ଲେଖା  ଲେଖିପାରୁଛନ୍ତି  ,  ଯାହା  ସେମାନଙ୍କୁ  ଦିନେ  ଶୀର୍ଷରେ  ପହଞ୍ଚାଇ  ଦେବ  ଏଥିରେ  ସଂଦେହ  ନାହିଁ  ।   କୁହାଯାଇଛି  ବେଦ  ବର୍ଣ୍ଣିତ  ଈଶ୍ୱର  ହେଉଛନ୍ତି  ପ୍ରଥମ  କବି  ଓ  ତାଙ୍କର  ସୃଷ୍ଟି  ହେଉଛି  କବିତା  ।  ଦିଗହୀନ  ଅନନ୍ତ  ଅନ୍ତରୀକ୍ଷ , ଶସ୍ୟଶ୍ୟାମଳ  ପୃଥିବୀ , ରୁକ୍ଷ  ଧୂସର  ମରୁପ୍ରାନ୍ତର , ସବୁଜ  ଘନ ବନାନୀ ,  ଧବଳ  ଆଚ୍ଛାଦିତ  ସୁଉଚ୍ଚ  ପାର୍ବତ୍ୟମାଳ , କଳନାଦିନୀ  ଶୀତଳ  ଝରଣା , ତରଙ୍ଗାୟିତ  ନୀଳ  ସମୁଦ୍ର , ନୀଳ  ଆକାଶରେ  ଭସା  ବାଦଲ ,  ଫେନିଳ  ଶୁଭ୍ର  ଜ୍ୟୋସ୍ନା , ଘନ  ଅନ୍ଧକାର , ବାସ୍ନାୟିତ  ଋତୁ, କୋଇଲିର  କୁହୁକୁହୁ  ତାନ ,  ମୟୂରର  ନୃତ୍ୟ , ହଳଦୀ  ବସନ୍ତର  ବସା ,  ପ୍ରଜାପତିର   ଡେଣା – ଏସବୁ  ଉପାଦାନ  ନେଇ  କବିତା  ସୃଷ୍ଟି  ।  ସେ  କବିତା  କେବେ  କେବେ  ଶବ୍ଦାୟିତ  ପୁଣି  କେବେ  ଶବ୍ଦ  ହୀନତାରେ  ନୀରବ  ଗୁଞ୍ଜରଣ  ସୃଷ୍ଟି  କରେ  ।  ପୁଣି  କେବେ  ଅଲୌକିକ  କବିତାର  ଛନ୍ଦରେ  ଛନ୍ଦାୟିତ  ପୁଣି  ଶ୍ରାବଣର  ନୂପୁର  ନିକ୍ୱଣରେ  ସ୍ପନ୍ଦିତତ ,  ପୁଣି  ଜନ୍ମ-ମୃତ୍ୟୁର  ରହସ୍ୟ   ଘେରରେ  କୋଳାଗ୍ରତ ।   ଏଭଳି  ଏକ  ସୃଷ୍ଟିର  ଫର୍ଦ୍ଦ କବିତାକୁ   ବୁଝିବାକୁ  ଈଶ୍ୱର  କେବଳ  ମଣିଷକୁ  ସୌନ୍ଦର୍ଯ୍ୟାନୁଭୂତି  ଦେଇଛନ୍ତି  ।  ଜୀବଜଗତରେ  ଶ୍ରେଷ୍ଠ  ପ୍ରାଣୀ  ବୋଲାଉଥିବା  ମଣିଷ  ପ୍ରତି  ଈଶ୍ବରଙ୍କର  ଏହା ସବୁଠାରୁ  ବଡ  ଅବଦାନ  ।  କିନ୍ତୁ  ଏ ସୃଷ୍ଟିର  ସୌନ୍ଦର୍ଯ୍ୟକୁ  ସବୁ  ମଣିଷ  ସହଜରେ  ଉପଲବ୍ଧ  କରିବା  ସହଜ  ନୁହେଁ  କି  ସମସ୍ତଙ୍କର  ସୌନ୍ଦର୍ଯ୍ୟାନୁଭୂତି  ସମାନ  ନୁହେଁ  ।  ଯେଉଁମାନେ  ଏଭଳି  ଶକ୍ତିର  ଅଧିକାରୀ  ହୋଇଥାନ୍ତି  ସେମାନେ   ଦ୍ୱିତୀୟ  ଈଶ୍ୱର ,  ଦ୍ୱିତୀୟ  ସ୍ରଷ୍ଟା  ।  ଅର୍ଥାତ  ତାଙ୍କ  କୃତିତ୍ବର  କଳ୍ପିତ  ସୃଷ୍ଟି  ସମ୍ଭାର । 

          ପ୍ରାଚୀନ  ଓ  ମଧ୍ୟଯୁଗକୁ  ଦୃଷ୍ଟି  ଦେଲେ  କାବ୍ୟ  କହିଲେ  ନାଟକ , କାହାଣୀ ,  କାବ୍ୟାଦିକୁ  ସାହିତ୍ୟର  ଅଙ୍ଗକୁ  ବୁଝାଉଥିବା  ବେଳେ  ଏବେ  ତାହା  ବଦଳି  ଯାଇଛି  ।  ସମଗ୍ର  ସାହିତ୍ୟ  ଅର୍ଥରେ  କାବ୍ୟ  ଶବ୍ଦକୁ  ବ୍ୟବହାର  କରାଯାଉନି  ।  କବି  କଳ୍ପନା  ନେଇ  କବିତା  ମଧ୍ୟରେ  ନୂତନ  ରୂପ  ପ୍ରକାଶ  ସୃଷ୍ଟି  କରିପାରେ  ବୋଲି  ପ୍ରାଚୀନ  ଗ୍ରୀକ୍ ମାନେ  କବିକୁ  ସ୍ରଷ୍ଟା  ପୁରୁଷ  ଭାବରେ  ଅଭିହିତ  କରିଛନ୍ତି  ।  କବି  ଶବ୍ଦର  ବ୍ୟୁତ୍ପତ୍ତିଗତ  ଅର୍ଥ  ହେଉଛି  ନୂତନ  ସୃଷ୍ଟା  ।  ସ୍ରଷ୍ଟା  ଦୃଶ୍ୟମାନ  ଜଗତର  ଛବି  ,  ମଣିଷ  ଜୀବନର   ଶେଷହୀନ  ଘଟଣା  ବୈଚିତ୍ର୍ୟ ,  ନିଜ  ଜୀବନର  ତୀକ୍ତ-ମଧୁର  ଅବ୍ୟକ୍ତ  ଅନୁଭୂତି  ତାର  ସୂକ୍ଷ୍ମ  ଇନ୍ଦ୍ରିୟ  ଚେତନା  ତନ୍ତ୍ରୀରେ  ଯେତେବେଳେ  ଆଘାତ  ସୃଷ୍ଟି  କରେ  ସେତେବେଳେ  ତାର  ତୀବ୍ର  ବ୍ୟାକୁଳିତ  ମନ  କବିତା  ସୃଷ୍ଟି କରେ  ।  ସେ  ତା’ର  ଇନ୍ଦ୍ରିୟ  ଚେତନା  ଦ୍ବାରା  ବହିର୍ବିଶ୍ୱକୁ  ନିଜ  ଅନ୍ତରରେ  ଗ୍ରହଣ  କରି    ସ୍ୱକଳ୍ପନାର  ସ୍ୱପ୍ନ  ଦେଇ ନୂତନ  ରୂପର  ଭାବ  ମୂର୍ତ୍ତୀ  ଗଢେ ,  ତାହା  ଯଦି  ଇଙ୍ଗିତମୟ  ଓ  କାବ୍ୟିକ୍  ଭାଷାର   ରୂପ  ନିଏ  ତାହା  ପାଲଟେ  କବିତା  ।  କବି  ତାର  ମାନସ  ଭୂମିକୁ  ବାରମ୍ବାର  ମନ୍ଥନ  କରି  ଭାଷାର  ଯାଦୁସ୍ପର୍ଶରେ  ନୂଆ  ଜୀବନ  ଯେତେବେଳେ  ଦିଏ  ତାହା  କବିତା ।  ତେଣୁ  କବି  ତାର  ଇନ୍ଦ୍ରିୟ  ଚେତନା  ଓ  ମାନସ  ଜଗତରେ  ବିଚରଣ  କରି  ନିଜ  ଅନୁଭୂତି  ଓ  ସୂକ୍ଷ୍ମ  ଦୃଷ୍ଟିଭଙ୍ଗୀକୁ  ଶୈଳ୍ପିକ-ଚେତନା  ସାହାଯ୍ୟରେ  ଶବ୍ଦ , ଛନ୍ଦ ,  ରୂପ , ରସରେ  ରସାଣିତ  କରି   କାବ୍ୟ  ରୂପ  ନେଲେ  ତାହା  ପାଠକୀୟ  ଆଦର  ଲାଭ  କରେ  ଓ  ତାହା  ପାଲଟେ  କାବ୍ୟର  କବିତା  ।  ତେଣୁ  କୁହାଯାଏ  କବିତ୍ୱମୟ  ପ୍ରାଣର  ସ୍ୱତଃସ୍ଫୁତ୍ତ  ଭାଷା  ହେଉଛି  କବିତା  ।

         ଭାମହ  ଧ୍ୱନି  ଏବଂ  ଅନୁଭୂତି ,  ଶବ୍ଦ  ଓ  ଅର୍ଥର   ବିବାହ  ବନ୍ଧନକୁ  କାବ୍ୟ  ଭାବେ  ଗ୍ରହଣ  କରିଥିଲେ  । ଅଳଙ୍କାର  ଏହାର  ଆତ୍ମା  ବୋଲି  ଦର୍ଶାଇଥିଲେ ।  ରୀତିବାଦୀ  ପ୍ରବକ୍ତା  ଆଚାର୍ଯ୍ୟ  ବାମନ ” ରୀତିରାତ୍ମା  କାବ୍ୟସ୍ୟ ”  ଅର୍ଥାତ  ରୀତିହିଁ  କାବ୍ୟର  ଆତ୍ମା  ବୋଲି  ଦର୍ଶାଇ  ଥିଲେ  ।  ପରବର୍ତ୍ତୀ  ସମୟରେ  ଧ୍ୱନିବାଦୀ  ଆନନ୍ଦ  ବର୍ଦ୍ଧନ ଦର୍ଶାଇଥିଲେ ‘ ଯେଉଁ  କବିତାରେ  ବାଚ୍ୟାର୍ଥ  ବ୍ୟଙ୍ଗ୍ୟାର୍ଥ  ପାଖରେ  ଆତ୍ମ  ସମର୍ପଣ  କରେ ,  ତାହା  ହେଉଛି  ଶ୍ରେଷ୍ଠ  କବିତା  ।”  ତେଣୁ କବିତାକୁ  ଭିନ୍ନ  ଭିନ୍ନ  ଦୃଷ୍ଟିରେ  ପ୍ରାଚୀନ   ପଣ୍ଡିତମାନେ  ଦେଖି  ଆସିଥିଲେ  ।  କୁହାଯାଇପାରେ  କାବ୍ୟର  ଭାଷା  ଗଦ୍ୟର  ଭାଷା  ଠାରୁ  ଭିନ୍ନ  ।   ଓ୍ୱ।ର୍ଡସ୍ଓ୍ୱ।ର୍ଥଙ୍କ  ମତରେ ‘ ମଣିଷର  ସ୍ୱାଭାବିକ  ଅନଳଙ୍କୃତ , ସରଳ  ଭାଷା ହିଁ  କାବ୍ୟର  ଉପଯୁକ୍ତ  ଭାଷା  ।  ସାରଳା  ଦାସଙ୍କ  ମହାଭାରତ , ଜଗନ୍ନାଥ  ଦାସଙ୍କ  ଭାଗବତ ,  ବଳରାମ  ଦାସଙ୍କ  ଦାଣ୍ଡି  ରାମାୟଣ , ଅଚ୍ୟୁତାନନ୍ଦଙ୍କ  ହରିବଂଶ  ଆଦି  ଗ୍ରନ୍ଥ  ସ୍ଥାନେ  ସ୍ଥାନେ  ଭାବ  ଜଟିଳ  ହେଲେ  ମଧ୍ୟ  ଭାଷାର  ସରଳ  ଲାବଣ୍ୟ  ସର୍ବତ୍ର  ବିଚ୍ଛୁରିତ  ହୋଇ  ପଡିଛି  ।  ମଧ୍ୟଯୁଗ  ଓ  ଆଧୁନିକ  ଯୁଗ  ମଧ୍ୟରେ  ସଂଗୀତ  ଯୁଗ  କାବ୍ୟ  ସାହିତ୍ୟରେ  ମଧ୍ୟଯୁଗୀୟ  ଭାବନା  ଓ  ଆଧୁନିକ  ଯୁଗର  ଭାଷାର  ନବ  ସ୍ୱାକ୍ଷର  ବହନ  କରେ   ।  

             ଆଧୁନିକ  ଓଡିଆ  କବିତାରେ  ବାକ୍ ରୀତି  ସହିତ  କାବ୍ୟିକ୍  ରୀତିର  ମିଳନ  ଘଟିଛି  ।  କବିମାନେ  ବାକ୍ୟ   ଅପେକ୍ଷା   ବାକ୍ ପ୍ରତିମା  ନିର୍ମାଣ  ଉପରେ  ଅଧିକ  ଗୁରୁତ୍ୱ  ଦେଇଛନ୍ତି  ।  ପ୍ରାଚୀନ  କାବ୍ୟର  ଛନ୍ଦ , ଯତିପାତ, ଅଳଙ୍କାରକୁ  ପରିହାର  କରି  ତା’  ବଦଳରେ  ପ୍ରତୀକ ,  ଚିତ୍ରକଳ୍ପ  ଓ  ମିଥ୍  ପ୍ରୟୋଗରେ  ଆଧୁନିକ  କବିତାକୁ  ଅଧିକ  ଗଭୀର  ଓ  ଭାବଗର୍ଭକ  କରାଯାଇଛି  ।  ଭାଷାର  ସରଳତା  ସହ  ଭାବର  ଗଭୀରତା   ଆଧୁନିକ  କବିତାର  ମୁଖ୍ୟାଂଶ  ପାଲଟିଯାଇଛି  ।  ଶବ୍ଦ ହିଁ  ବ୍ରହ୍ମ , ଏହି  ସତ୍ୟ  କବିତାର  ଶବ୍ଦ  ପ୍ରୟୋଗରେ  ପ୍ରମାଣିତ  ହୋଇଛି  ।  ଶବ୍ଦ  ପ୍ରଥମେ  ରୂପକ  ହୋଇ  ପରେ  ପ୍ରତୀକର  ରୂପ  ନିଏ  ।  ଅର୍ଥାତ  ଶବ୍ଦ  ଗଦ୍ୟରେ  ରୂପକ , କିନ୍ତୁ  କାବ୍ୟରେ ପ୍ରତୀକ  ।  କବି  ରୂପକ  ଶବ୍ଦକୁ  ପ୍ରତୀକରେ  ପରିଣତ  କରେ , ଯାହା  କବିତାର  କୋମଳ  ରୂପରେ  ପରିଣତ  ହୁଏ  ।

            ସାଂପ୍ରତିକ  କବିତା  ଆଧୁନିକ  ମଣିଷର  ମାନସିକ  ସଂକଟର  କବିତା ।  ଏହା  କେବେ  ବୁଦ୍ଧି-ଦୀପ୍ତ  ହୃଦୟ  ସଂବେଦ୍ୟ  ନୁହେଁ ।  ବରଂ  ଏଥିରେ  ଭରିରହିଛି  ମାନସିକ  ସଂକଟ ,  ହୃଦୟର  ସଂକଟ ,  ବୁଦ୍ଧିର  ସଂକଟ  ।  ବୁଦ୍ଧିରେ  ରହିଛି  ଛଳୋକ୍ତି  ।  ଫଳତଃ  ଆଧୁନିକ  କବିତା  ସମଗ୍ରତାକୁ  ସ୍ପର୍ଶ  କରିପାରୁନାହିଁ  ।  ସାରଳା  ଦାସଙ୍କ  ଠାରୁ    ଆରମ୍ଭ  କରି  କବିବର  ରାଧାନାଥ  ରାୟଙ୍କ  ପର୍ଯ୍ୟନ୍ତ  ,  ରାଧାନାଥଙ୍କ  ଠାରୁ  ସଚ୍ଚିଦାନନ୍ଦ , ରାଧାମୋହନ ,  ଗୁରୁ  ପ୍ରସାଦ ,ସୀତାକାନ୍ତ ,  ରମାକାନ୍ତ  ପର୍ଯ୍ୟନ୍ତ  ପରିବ୍ୟାପ୍ତ  କରାଯାଇପାରେ  ।  ଯାବତୀୟ  କାବ୍ୟ /  କବିତାରେ   ବହୁଳାଂଶରେ  ସାମାଜିକ  ଚେତନାର  ଆତ୍ମ ପ୍ରକାଶ  ଥିଲା  ଅପରିହାର୍ଯ୍ୟ  ଓ  କବି  ସତ୍ତାର  ସୌଷ୍ଠବର  ପରିପୂର୍ଣ୍ଣତା  ସ୍ୱୀକାର୍ଯ୍ୟ  ଥିଲା  ।  ଯୁଗ  ଚେତନାହିଁ  ସମାଜ  ଚେତନା  ।  ଏଇ  ବୋଧର  ମନସ୍ତାତ୍ତ୍ୱକ  ଓ  ବୌଦ୍ଧିକ  ପରିସର  ମଧ୍ୟରେ  କବିର  ନିଜସ୍ୱ  ସର୍ତ୍ତା  ବିକ୍ଷିପ୍ତ  ପାଲଟିଯାଏ  ।  ସାମାଜିକ  ପରିଧି  ମଧ୍ୟରେ    ଯେତେବେଳେ  କବି  କାୟିକ  ଓ  ମାନସିକ  ଭାବେ  ଜଡିତ ହୁଏ  , ସେ  ସମୟରେ  କବି  ସମାଜ  ଚେତନାର  ବାର୍ତ୍ତା  ଦିଏ  ।  କିନ୍ତୁ  ଏବର  କବିମାନଙ୍କ  ନିକଟରେ  ତାହା   ଦିଶେ  ନାହିଁ  ।  ଏବକାର  କବିମାନଙ୍କ   କର୍ତ୍ତବ୍ୟ  କୌଣସି  ଦର୍ଶକ  ଭୂମିକାରେ  ସନ୍ନିବେଶିତ  ଓ  ଏଭଳି  ବିପର୍ଯ୍ୟିତ  ଏଥିପାଇଁ  ସମାଜକୁ  କଣ  ଦାୟୀ  କରି  ପାରିବା  ?

        ଆଜିର  କବି  ବିଶେଷ  କରି  ଚାକିର  ସର୍ବସ୍ୱ  ପଛରେ  ଧାବମାନ ।  ସମାଜ ପ୍ରତି  ବିଦ୍ରୂପ  ଉକ୍ତି  ଘୋଷଣା  କଲେ  ମଧ୍ୟ ,  ତାର  ସର୍ତ୍ତା  ସେଇ  ଅସହାୟତାର  ଗଣ୍ତି  ମଧ୍ୟରେ ଆବଦ୍ଧ  ହୋଇ  ରହିଛି  ।  ଫଳତଃ  ତାର  ଅଭିବ୍ୟକ୍ତି  ଅତି  କ୍ଷୀଣ   ଓ  ବିକ୍ଷିପ୍ତ  ।   ତେଣୁ  ସେ  କବି  କେବେ  ସମାଜ  ସଂସ୍କାରକ  ନୁହେଁ , ବରଂ  କୌଣସି  ରାଜନୈତିକ  ଚିନ୍ତାଧାରାର  ବାହାକ  ପାଲଟେ  ।  କୁହାଯାଏ  ଯେ  ଆଜିର  ସମାଜ  ମୌଳିକ  ନୀତିରେ   ନୁହେଁ ,  ତାହା  କେବଳ   ରାଜନୀତି  ଅଧ୍ୟୁଷିତ  ସମାଜ  ।  ସାଂସାରିକ  ଜୀବନ  ଯନ୍ତ୍ରଣାରେ  କବି  ଏଭଳି  ଏକ  ସମାଜ  ସହିତ  ନିଜକୁ  ସାଲିସ୍  କରେ  ଓ  ତାର  କାବ୍ୟିକ୍  ଜୀବନ  ଏଥିପ୍ରତି  ଦୃଷ୍ଟି  ଦେବାକୁ  ଚେଷ୍ଟା  କରିପାରେ  ନାହିଁ  ।  ଏସବୁ  ବିଶେଷ  ଆଲୋଚନା  ସଂକ୍ଷିପ୍ତତା  ଭିତରେ  ସମ୍ଭବ  ନୁହେଁ  ।

           ତଥାପି  ଆଧୁନିକ  ଓଡିଆ  କବିତାର  ଦୃଷ୍ଟି  ଓ  ଦିଗନ୍ତ  ସୁଦୂର  ପ୍ରସାରି  ,  ବିଚିତ୍ର  ବର୍ଣ୍ଣୋଜ୍ଜଳରେ  ଉଦ୍ଭାସିତ  ।  ଜୀବନର  ଚଳନ୍ତି  ଧାରା  ସହ  ଗଭୀର  ଭାବେ  ଜଡ଼ିତ  ।  ଯୁଗର   ସମସ୍ୟା  ଓ  ସଂକଟ  ସହ  ବୈପ୍ଳବିକ  ସଂଗ୍ରାମ  ଏହାର  ଅନ୍ତଃସ୍ୱର  ।  ଜୀବନ  ଓ  ମୃତ୍ୟୁର  ପରିଧି  ଭିତରେ  ଆବର୍ତ୍ତିତ  କବିର  ସଂଘର୍ଷ  ।  ସମାଜ  ତଥା  ବ୍ୟକ୍ତି  ଜୀବନର  ହତାଶା ,  ନୈରାଶ୍ୟ  ପୁଣି  ଆଶା  ଓ  ଆବେଗକୁ  ପୁଞ୍ଜି  କରି  ବହୁ  ବିପରୀତ  ଧର୍ମୀ  ଭାବ – ସଂଘର୍ଷ  ଏହାର  ଲେଖକୀୟ  କଳା  ।  ସାଂପ୍ରତିକ  କବିର  କବିତା   ପଲ୍ଲୀରୁ  ସହର ,  ଆଦିରୁ  ଅନାଦି ,  ଭୂମିରୁ  ଭୂମା ,  ପ୍ରକୃତିରୁ  ପରମେଶ୍ବର ,  ଅଧମରୁ  ପରମ , ସ୍ୱପ୍ନରୁ  ସଂଗ୍ରାମ ,  ଧ୍ୱଂସରୁ  ସୃଷ୍ଟି ,  ଯୁଦ୍ଧରୁ  ଶାନ୍ତି ,  ସ୍ମୃତିରୁ  ସଂପ୍ରତି  ଆଡକୁ  ଗତି  ମୁଖର  ହେଉ  ।  ବୃଥା  କାହାର  ମାୟା  ଜାଲରେ  ପଡି  ନିଜର  କବି  ପ୍ରତିଭାକୁ  ବିକ୍ରି  କରି  ନଦେଉ , ସତ୍  ସାହିତ୍ୟ  ସାଧନା  ବ୍ରତୀ  ହେଉ ।  ପିତୃ  ଅର୍ଜିତ  ନାମରେ  (ଅ)ଗୌରବ  ଚନ୍ଦ୍ରିକା  ଲଗେଇ  ହାସ୍ୟାସ୍ପଦ  ନହେଉ  ।  ଏଣିକି  କବି  ତା’ର  ଐତିହ୍ୟ  ପ୍ରତି ଯେତିକି  ସଚେତନ , ସେତିକି  ସ୍ମୃତି ପ୍ରତି  ମୋହମୁଗ୍ଧ  ହେଉ  ।  ପ୍ରକୃତିର  ଝରା  ଫୁଲର  କାରୁଣ୍ୟରେ  ହେଉ  ଉଦ୍ବେଳିତ , ଅନାଗତ  ଭବିଷ୍ୟ  ପାଇଁ  ତା’ କୋମଳ  ହୃଦୟ  ହେଉ  ରୋମାଞ୍ଚିତ ।  ଜୀବନର  ଅବକ୍ଷୟ  ପ୍ରତି  ରଖୁ  ତୀର୍ଯ୍ୟକ  ଦୃଷ୍ଟି  ।  ତାହାରି  ଭିତରେ  ସମାଜ ,  ଧର୍ମ , ପରମ୍ପରା ,  ସାଂସ୍କୃତିକ  ଚେତନା  ସହ  ବ୍ୟକ୍ତିଗତ  ମୂଲ୍ୟବୋଧର  ବର୍ଣ୍ଣିଳ  ସ୍ଥିତିକୁ  ଶାଣିତ  କରୁ  ।  ସତ୍ୟ – ଶିବ – ସୁନ୍ଦରର  ଆରାଧନା  କରୁ ।  ତେବେ  ଯାଇ  ତା’ର  ସ୍ୱପ୍ନ  ଓ  ସାଧନାରେ  ସିଦ୍ଧି  ଘଟିବ ,  ପ୍ରତିଭାର  ଗାନରେ   ଜୟ  ଜୟକାର  ଶୁଭିବ – ଏହା  ନିଃସନ୍ଦେହ..!!!

**********************************

ଡକ୍ଟର  ଲକ୍ଷ୍ମଣ  ସାହୁ, ଓଡିଆ ଭାଷା  ଓ  ସାହିତ୍ୟ  ବିଭାଗୀୟ  ମୁଖ୍ୟ, ମହାନଦୀବିହାର  ମହିଳା  ସ୍ନାତକ  ମହାବିଦ୍ୟାଳୟ ,  କଟକ – ୪, ଦୂରଭାଷ : ୯୦୪୦  ୧୫୧୪୭୫            

Share

Related Posts

0 0 votes
Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x