କଅଁଳ ଶିଶୁର
ଥରିଲା ଓଠ
ନିରୀହ ଆଖିରୁ
ଝରି ପଡୁଥିବା ଲୁହ ହିଁ ଭୋକ,*
ଚମ ଧୁଡୁଧୁଡୁ
ସାଇକେଲ ଚଢା
ପରିବାର-ପୋଷା ବୃଦ୍ଧ ମଉସା
ପରିବା ବିକା ତା’ର ବେଉସା
ପରିବା ଝୁଡିରେ ମେଣ୍ଟେ ତା ଭୋକ,*
ବର୍ଷ ତମାମ ଝାଳ ଦେହରେ
ଖରା ବର୍ଷା ଶୀତ, ମରୁଡି ସହେ
ମାଟିରେ ମାଟି ହୋଇ
ମାଟିର ଗର୍ଭରୁ ସୁନା ଫଳାଇ
କୃଷକ ସେହି
ପଖାଳ କଂସାରେ ଭୋକ ମେଣ୍ଟଇ,*
ବାଲି , ସିମେଣ୍ଟ ଫେଣ୍ଟା
କରଣି ଧରା ଶାଣିତ ହାତ
ଅଧା ପାଠୁଆର
ମୁଣ୍ଡରେ ବୋଝ
ପାଞ୍ଚ ପ୍ରାଣିଙ୍କର ରହିଛି ପେଞ୍ଚ
କୁଟୁମ୍ବ ପୋଷାରେ ଥାଏ ତା’ ଭୋକ,*
ପାନ ଖିଆ ଦାନ୍ତେ , ଦର ହସଟେ
ଦିନ ମଜୁରିଆ ଯୁବକ ଅଟେ
ବଢିଲା ଭଉଣୀ , ଘର ଦାୟିତ୍ବ
କାନ୍ଥ ରଙ୍ଗେଇବା, ରଙ୍ଗବ୍ରଶରେ ମେଣ୍ଟାଏ ଭୋକ,*
ରାଜନୀତିର ପଶାଖେଳରେ
ରାଜନୀତିର ଗଳିକନ୍ଦିରେ
ଆତ୍ମସାତରେ ବୁଡି ରୁହନ୍ତି
ଲୋକ ଦେଖାଣିଆ ସେବା କରନ୍ତି
ସ୍ବାର୍ଥ ସାଧନ ରାଜନୀତିରେ ରାଜନେତାଙ୍କର ଥାଏ ଯେ ଭୋକ,*
ଅଧା ଢଙ୍କା ଦେହ
କାଖେ ଛୁଆସହ
ପ୍ଲାଷ୍ଟିକ ସହରେ
ଦୁର୍ଗନ୍ଧମୟ ପରିବେଶରେ
ଛିଣ୍ଡା ଜରିଅଖା ସାହାରା ତାର
ଅଳିଆ ଗଦାକୁ ନିଖାରୁ ଥିବା ମା’ର
ସାଣୀତ ଚକ୍ଷୁ ରେ ରହିଛି ଭୋକ,*
କୁ-ସଂସ୍କାରିତ ଅସାମାଜିକ
ଜ୍ଞାନ ବୁଦ୍ଧି ହୀନ ମୂର୍ଖ ମଣିଷ
ହିରୋଇନ ସିଗାରେଟ୍ ଗଞ୍ଜେଇ ନିଶା
ଛଡାଇ ନେଇଛି ନିଜଠୁ ଆଶା
ପାଗଳ କୁକୁର ପ୍ରାୟେ ବୁଲନ୍ତି
ନାରୀ, ମଦ, ମାଂସେ ଥାଏ ତାଙ୍କରି ଭୋକ,*
ରେଳ ଷ୍ଟେସନ, ବସ୍ ଷ୍ଟପରେ
ଜୁଳୁଜୁଳୁ ଆଖି ଥରିଲା ହାତ
ନୁଖୁରା ବାଳରେ ନୁଖୁରା ମଣିଷ ପେଟରେ ଭୋକ,*
ଆମେ ସବୁ ସେହି ମଣିଷ
ସବୁକିଛି ଥାଇ – ନିଜ ଆତ୍ମଗ୍ଳାନିରେ
କିଛି ନଥିବାର ଲୋଭ
ହେଉଛି ଭୋକ
ହେଉଛି ଭୋକ ।***
*************************
ଭୁବନେଶ୍ୱର