ସ୍ଵପ୍ନ ……… ବଡ ସୁନ୍ଦର ଶଦ୍ଦଟିଏ। ସ୍ଵପ୍ନ ବୋଲି କହିଦେଲେ ବା ଶୁଣିଦେଲେ ମନଟା କେମିତି ଶିର୍ ଶିରେଇ ଯାଏ। ସ୍ଵପ୍ନ ର ରାଜକୁମାର ବା ସ୍ଵପ୍ନ ର ରାଜକୁମାରୀ। ପକ୍ଷୀରାଜ ଘୋଡ଼ା। ସ୍ଵପ୍ନ ର ଗାଡି, ସ୍ଵପ୍ନ ର ଘର ଆହା ହା କି ସୁନ୍ଦର ସେ ସ୍ଵପ୍ନ ସବୁ।
ମୁଁ କାଲି ରାତିରେ ଗୋଟେ ସ୍ଵପ୍ନ ଦେଖିଲି। ନିଦ ଭାଙ୍ଗିଗଲା ରାତି ୪ଟା ବେଳକୁ। କଣ ସ୍ଵପ୍ନ ଦେଖିଲି ତାକୁ ମନେ ପକେଇଗଲି। ଖୁବ ମଜା ଲାଗିଲା। ଭାବିଲି ତାକୁ ଲେଖିବି ବୋଲି, ଆଉ ପୁଣି ଶୋଇଗଲି। ପାହାନ୍ତିଆ ଟାରୁ ଟିକିଏ ଥଣ୍ଡା ପଡିବାରୁ ଭଲ ନିଦଟାଏ ହୋଇଗଲା। ଉଠିଲି ଡେରିରେ ୮ଟା ବେଳକୁ। ଭୁଲି ଯାଇଥିଲି ମୋ ସ୍ଵପ୍ନ କଥା। ପୁଣି ଏବେ ଶୋଇବାକୁ ଆସିଲା ବେଳକୁ ମନେ ପଡ଼ୁଚି ମୋ ସ୍ଵପ୍ନ କଥା। କ’ଣ ଦେଖିଥିଲି, କଣ ଦେଖିଥିଲି? ଏବେ କିଛି ଟା ମନେ ପଡ଼ୁଚି। ଲେଖିଯାଉଚି ସାଙ୍ଗେସାଙ୍ଗେ।
ସ୍ଵପ୍ନ କ’ଣ ପାଇଁ ଆସେ। ସତରେ କଣ ତାର ବୈଜ୍ଞାନିକ କାରଣ। ଆରେ ନା ନା ସେ ବିଷୟରେ ଲେଖିଲେ ଏଇନେ ବହୁତ ତର୍କ ଆରମ୍ଭ ହେଇଯିବ।
ସିଧା ସ୍ଵପ୍ନକୁ ପଳେଇ ଆସିବା। ଯାହା ଝାପସା ମନେପଡୁଚି ମୁଁ ଜଙ୍ଗଲରେ ବୁଲୁଥିଲି। ନିଘଞ୍ଚ ଜଙ୍ଗଲ। ବହୁତ ବଡ଼ ବଡ଼ ଡେଙ୍ଗା ଗଛ ଗୁଡାକ ଲମ୍ଵି ଯାଇଛି ଆକାଶକୁ। ଗଛଗୁଡା ଏତେ ଲାଗିଲାଗି ଅଛି ଯେ ତଳେ ସୁର୍ଯ୍ୟ କିରଣ ପଡିବାର ପ୍ରଶ୍ନ ଉଠୁନି। ଲତା ଗୁଡା ଗୁଡେଇ ତୁଡେଇ ହୋଇ ଚଢି ଯାଇଛି ଡେଙ୍ଗା ଡେଙ୍ଗା ଗଛ ଉପରକୁ। କୋଉଠି କୋଉଠି ଏମିତିକି ମୋଟା ମୋଟା ଗଛର ମୋଟୁଆ ଡାଳ ଟା ଉପୁରୁକୁ ନ ଉଠି ସମାନ୍ତରାଳ ଭାବରେ ଲମ୍ଵି ଯାଇଛି ଦୁରକୁ, କୋଉ ପାଣି ଟାପୁ ପାଖକୁ। ତଳେ ବୁଦି ବୁଦିକିଆ ଗଛଗୁଡା ଭର୍ତ୍ତି ହୋଇଛି। ସବୁଆଡ ସବୁଜ ରଙ୍ଗରେ ଭର୍ତ୍ତି। ସେ ସବୁଜିମା ର ତୁଳନା ନାହିଁ। କୋଉଠି କୋଉଠି ଗଛ ଡାଳ ଫାଙ୍କରେ ସୁର୍ଯ୍ୟ ଙ୍କର କିରଣ ତିର୍ଯ୍ୟକ ଭାବରେ ଲମ୍ଵି ଯାଇଛି ବହୁତ ଦୁରକୁ।
ଜଙ୍ଗଲି ଗଛ ଗୁଡାକର ଗୋଟେ ଅଲଗା ବାସ୍ନା। ତା ସାଙ୍ଗରେ ପୁଣି ଜଙ୍ଗଲି ଫୁଲ। ଅତି ସୁନ୍ଦର ଦୃଶ୍ୟ ଭିତରେ ଜଙ୍ଗଲି ଫୁଲ ର ମହକ ମନକୁ ଚହଲାଇ ଦଉଥିଲା। ସେଇ ଭିତରେ ଅଙ୍କାବଙ୍କା ସରୁ ପାଦଚଲା ରାସ୍ତା। ସେଇ ରାସ୍ତାରେ ମୁଁ ଚାଲିଚି ଏଇ ଜଙ୍ଗଲର ଦୃଶ୍ୟ ଆଉ ବାସ୍ନା କୁ ମନଭରି ଉପଭୋଗ କରି। ମୋ ସାଙ୍ଗରେ ଅଛି ସାନ ଳଙ୍ଗଳା ପିଲାଟେ। ସେଇ ପିଲାଟି କିଏ ବୋଲି ମନେ ପକେଇବାକୁ ଚେଷ୍ଟା କଲି, କିନ୍ତୁ ସେମିତି କିଛି ନାଁ ମୋର ମନେ ପଡିଲାନି।
ଗଳ୍ପ ଆରମ୍ଭ ରୁ ମୁଁ ଯେମିତି ଲେଖିଥିଲି, ସେମିତି କେହି ସ୍ଵପ୍ନ ର ରାଜକୁମାରୀ ବା ପରୀ ରାଇଜର ପରୀ ଭେଟ ହେଇ ନାହାନ୍ତି ଜଙ୍ଗଲ ଭିତରେ। ଯାହା ସହିତ ଭେଟ ହେଲା ତାକୁ ମନୋରମ ତ କହି ହବନି, ବହୁତ ଭୟଙ୍କର ଆଉ ରୋମାଞ୍ଚକର ଥିଲା।
ଦେଖିଲୁ ରାସ୍ତା କଡ଼ରେ ଗୋଟିଏ ଜାଗା ଟିକିଏ ପଡିଆ ଭଳିଆ ହେଇଯାଇଛି ମାନେ, ସେଠି ବୁଦି ବୁଦିକିଆ ଗଛଗୁଡା ନାହିଁ ଖାଲି ଘାସ ପଡ଼ିଆ। ପାଖରେ ପାଣି ଟାପୁଟିଏ ଅଛି ଏବଂ ସେଠି ଖରା ପଡିଚି।
ହଠାତ୍ ସାନପିଲାଟି କହି ଉଠିଲା, “ହେଇରେ ହରିଣ”। କହିକି ତାଙ୍କ ଆଡ଼କୁ ଧାଇଁ ବାକୁ ଆରମ୍ଭ କଲା। ମୁଁ ତା ହାତଟାକୁ ଧରିନେଲି। ଦେଖିଲି ହରିଣ ମାନେ ଏଇ ଶଦ୍ଦ ଶୁଣି ତରକି ଯାଇକି କାନ ସିଧା କରିକି ଠିଆ ହୋଇ ଯାଇଛନ୍ତି। ବହୁତ ସୁନ୍ଦର ଥିଲା ସେ ହରିଣ ଦଳ ଙ୍କର ଦୃଶ୍ୟ।
ଆମେ ସେଠି ଠିଆ ନ ହେଇକି, ହରିଣ ଦଳକୁ ଅନେଇ ଅନେଇ ଆଗକୁ ମାଡି ଆସିଥିଲୁ। ମୋର ମନେ ପଡ଼ିଗଲା ଜଙ୍ଗଲ ନିୟମ କଥା। ମୁଁ ପିଲାଟିର ହାତଟାକୁ ଯୋରରେ ଚିପିଧରି କି କହିଲି ଜାଣିଚୁ, ଏଠି ହରିଣ ଅଛନ୍ତି ମାନେ, ବାଘ ବି ଥାଇପାରେ। ଏଇଆ ଭାବି ମୁଁ ଟିକିଏ ପଛକୁ ଅନେଇଲି। ଯାହା ଦେଖିଲି ମୋ ପାଦ ତଳୁ ମାଟି ଖସିଗଲା।
ଦେଖିଲି ଆମେ ଯୋଉ ରାସ୍ତା ରେ ଆସିଲୁ ଆମର ଡ଼ାହାଣ ପଟେ ଆମେ ହରିଣ ଦେଖିଲୁ ଠିକ୍ ସେଇ ସିଧା ବାଆଁ ପଟେ ଚିତା ବାଘ ଟାଏ ଗୋଟେ ଅଧା ଶୋଇ ଆସିଥିବା ନୁଆଁଣିଆ ଗଛ ଗଣ୍ଡି ଟାରେ ଚଢିଯାଇଚି। ଆଉ ଗୋଟେ ହାତୀ ତାକୁ ଜଗିଚି, ତା ଆଡକୁ ଶୁଣ୍ଢ ବଢେଇବାକୁ ଚେଷ୍ଟା କରୁଚି। ବୁଝିଗଲି ଯେ ହାତୀ ଆମକୁ ବଞ୍ଚେଇ ଦେଲା, ନହେଲେ ହରିଣ କୁ ଛାଡିଦେଇ ସେ ଆଜି ଆମକୁ ଶିକାର କରିଥାନ୍ତା।
ଆମେ ଜଲଦି ଜଲଦି ଗୋଡ ପକେଇଲୁ। ହଠାତ୍ ସିନ୍ ଟା ଏମିତି ଲାଗୁଛି ଆମେ ଆମ ବଗିଚା ପାଇଖାନା ପାଖା ପାଖି ପହଞ୍ଚି ଯାଇଛୁ ( ମାନେ ଆମ ଡାହାଣ ପଟେ ବଗିଚା ଆଉ ପାଇଖାନା). ସେଇଠି ଡାହାଣ ପଟକୁ ମୋଡିଲେ ଆମ ଚଣ୍ଡୀ ଠାକୁରାଣୀ ଆଡ଼କୁ ରାସ୍ତା। ଜଲଦି ଜଲଦି ପାଦ ପକେଇଲୁ, ସେଇଠି ଡାହାଣ ପଟକୁ ମୋଡିଯାଇ ମୁଁ ପିଲାଟିକୁ ପଚାରୁଚି, ଏଇଠି ବାଉଁଶ ବୁଦାମୁଳେ ଆମ ବଗିଚାକୁ ପଶି ଘରକୁ ପଳେଇବା ନା ସିଧା ଯାଇ ସାଇ ଭିତରେ ବାହାରି ସାଇ ଦୋକାନ ରୁ ଚକୋଲେଟ୍ କିଣିକି ଘରକୁ ଫେରିବା। ପିଲାଟି କହିଲା ଏଇଠି ବଗିଚା ଭିତରକୁ ପଶି ଘରକୁ ପଳେଇବା। ଆମେ ଟିକିଏ ଆଗକୁ ଯାଇ ବାଉଁଶ ବୁଦା କଡ଼ରେ ବଗିଚା ଭିତରକୁ ପଶିଲୁ। ପ୍ରବଳ ବାଉଁଶ ପତ୍ର ପଡ଼ିଥିଲା, ତାଆରି ଉପରେ ଚାଲିଲୁ। ଖସ୍ ଖସ୍ ଶଦ୍ଦ ହଉଥିଲା। ମୁଁ ଅନଉ ଥିଲି, ବାଘ ଠାରୁ ଆମେ କେତେ ଦୁରରେ ଅଛୁ। ଆମେ ସେଇଠୁ ସପେଟା ଗଛ ପାଖେ ବାହାରି ଆମ ସୁନ୍ଦରୀ ଆମ୍ବ ଗଛ ଖତଗଦା ପାଖ ହେଇ ଘରେ ପହଞ୍ଚି ଗଲୁ। ଏତିକିରେ ନିଦ ଭାଙ୍ଗିଗଲା।
ମୁଁ ସେଇଠୁ ଭାବିଲି ଏମିତିଆ ସ୍ଵପ୍ନ କାହିଁକି ଦେଖିଲି। ଶୋଇବା ପୁର୍ବରୁ ମୁଁ ଗାଳ୍ପିକ ସମରେନ୍ଦ୍ର ବଳିଆରସିଂହଙ୍କ ଭ୍ରମଣ କାହାଣୀ “ମିନି ଆମାଜନ୍” ଗଳ୍ପ ଟି ପଢିକି ଶୋଇଥିଲି। ସେଥିରେ ହରିଣ ଫଟୋ ଦେଖିଥିଲି। ତାଙ୍କ ଲେଖାରୁ ମୁଁ ନିଜେ ଯେମିତି ତାଙ୍କ ସାଙ୍ଗେ ବୁଲୁଥିଲି, ସେଇଭଳି ଅନୁଭଵ ଆସିଥିଲା।
ନିଦ ଭାଙ୍ଗିଲା ପରେ ଖଟ ଟା ଉପରେ ପଡ଼ି ପଡ଼ି ଭାବିଲି ଆମ ବଗିଚା କଥା। ଯୋଉ ବଗିଚା ଭିତରେ ପସି ଆମେ ଘରେ ପହଞ୍ଚିଯାଇଥିଲୁ। ବଗିଚାରେ ବଡ଼ ବଡ଼ ଆମ୍ଵ ଗଛ ଗୁଡା। ଗଛର ଡାଳକୁ ଡାଳ ସବୁ ଲାଗି ଲାଗି ଅଛି। ତଳେ ସପୁରୀ ବୁଦା ଭର୍ତ୍ତି। ସାପ, ଗୋଧି ଭଳି ସରିସୃପଙ୍କର ସେ ଚରା ଭୁଇଁ। ଟିକିଏ ଆଗକୁ ଚାଲିଲେ ଡାହାଣ ପଟକୁ ଗୋଟେ କମଳା ଗଛ ଥିଲା। ଆମ୍ବଗଛ ଛାଇରେ ଥିବାରୁ ସେଥିରେ କେବେ ଫଳ ଧରିନି। ସେଇ କମଳା ଗଛ ମୁଳେ ବୁଢାବାପାଙ୍କର କୁଡିଆ। ଚାରିଟା ବାଉଁଶ ପୋତା ହୋଇକି ଗୋଟେ ଭାଡି। ଭାଡିରେ ପଟା ପଡିଥିବ ଆଉ ଉପରେ ଗୋଟେ ଚାଳିଆ। କୋୖଣସି ଶିକାରୀ ମଞ୍ଚା ଠାରୁ କମ ନୁହେଁ। ଆମେ ପିଲା ବେଳେ ତାରି ଉପରେ ଚଢ଼ିଯାଇ ଆମ୍ଵ ଜଗୁଥିଲୁ। ସେଇ କୁଡ଼ିଆ ର ସାମ୍ନାରେ ଗୋଟେ ବଡ ବାଲିଗଦା। ସେ ବାଲିଗଦା ଉପରେ ଚଢିଗଲେ, ଲାଗେ ମୁଁ ସ୍ଵର୍ଗ କୁ ଆସିଗଲି।ଏଇଠୁ ସବୁ ନିରିକ୍ଷଣ କରିହେବ। ବଗିଚା ର ଚାରିପଟେ କଲକତୀ ଗଛର ସବୁଜ ବାଡ। ବାଡ଼ ଏତେ ଘଞ୍ଚ ଥାଏ ଯେ ଏପାଖୁ ସେପାଖ ଦେଖାଯାଏନି। କଲକତୀ ଗଛରେ ସୁନ୍ଦର ଛୋଟ ଛୋଟ ଫୁଲ। ସେଠି ପ୍ରଜାପତି ଙ୍କର ଭିଡ। ସେଇ ଗଛରେ ଗୋଲ ଗୋଲ ଛୋଟ ଛୋଟ କୋଳି ଭଳି ଫଳ ହୁଏ। ପାଚିଗଲେ ହଳଦିଆ ହଳଦିଆ ପେନ୍ଥା ସବୁ ବାରି ହେଇ ଯାଏ।
ତା’ରି ଭିତରେ ଗୋଟେ ଗୋଟେ ପେଙ୍ଗୁ ଗଛ ଥାଏ। ସେଥିରେ ସବୁଜ ଛୋଟ ଛୋଟ ଏକଦମ୍ ରାଉଣ୍ଡ ଆକାର ଫଳ ହୁଏ। ଆମେ ବାଉଁଶ ଡାଙ୍ଗର ଗୋଟାଏ ପଗ କାଟି ସେଥିରେ ପେଙ୍ଗୁନଳି କରିଥାଉଁ। ସେଇ ପେଙ୍ଗୁ ଫଳକୁ ଆଣି ନଳି ଭିତରେ ପୁରେଇ ଆଉ ଗୋଟେ ବାଉଁଶ କାଠି ସେଇ ନଳି ଭିତରେ ପୁରେଇଲେ, ତୋପ ଫୁଟିଲାଭଳି ଢୋଓ ଓ କରି ଶଦ୍ଦ କରି ପେଙ୍ଗୁ ଯାଇକି ବାଜିବ ସାମନା ରେ ଥିବା ପ୍ରାଣୀ ଦେହରେ। ସେଇ ପେଙ୍ଗୁନଳି ଟା ଧରି ବାଲିଗଦା ଉପରେ ଚଢିଗଲେ, କୋୖଣସି ଶିକାରୀ ଠାରୁ କମ ଅନୁଭବ ଆସୁନଥିଲା। ବାଘ ନା ଫାଘ। ଆସୁନା କୋଉ ବାଘ ଆସୁଚି ଆସୁ, ପେଙ୍ଗୁନଳି ରୁ ଜୀବନ ବଞ୍ଚେଇ ଗଲେ ହେଲା।
ବାଲି ଗଦାରୁ ଓହ୍ଲେଇ ପଡି ସପେଟା ଗଛ ଆଡେ ଗଲେ, ସପେଟା ଗଛ ପୁର୍ବରୁ ଡାହାଣ ପଟେ ଖାଈ କଡ଼କୁ ପଣସ ଗଛ ମୁଳ ଆଡେ କଣ୍ଟେଇ କୋଳି ବୁଦା। କଣ୍ଟା ରେ ଭର୍ତ୍ତି ଆଉ କୋଳିରେ ବି। ପାଚିଗଲେ ଲାଲ୍ ଆଉ କଳା ରଙ୍ଗର ପେନ୍ଥା। ପଣସ ଗଛ ମୁଳ ଯାକ ଭଙ୍ଗା ହାଣ୍ଡି ଖପରା। କଣ୍ଟେଇ କୋଳି ତୋଳି ଖପରା ଖପରାଏ ତୋଳି ବାଲିଗଦାର ସିଂହାସନ ଉପରେ ବସି ଖାଇବାର ମଜା, ଯିଏ ଖାଇଚି ସେ ହିଁ ଜାଣିଚି। ସେ ଖପରା ଆଜିର ଚାଇନା କ୍ଲେ ପ୍ଲେଟ୍ ଠାରୁ କମ୍ ନୁହେଁ। କୁଆଡେ ହଜିଗଲାସେ ଖପରା ଆଉ ଦେଖିବାକୁ ମିଳୁନି। ଏବେ ଖପରା ଟିଏ ବିରଳ।
ଆମ ବଗିଚାର ସେ ଜଙ୍ଗଲ ଥାଇ ବି ଆମ ହଳିଆ ମାନେ ଯାଆନ୍ତି ଶଗଡ ନେଇକି ଜଙ୍ଗଲରୁ କାଠ ଆଣିବା ପାଇଁ। ରାତିରୁ ବାହାରନ୍ତି ଶଗଡ ନେଇକି। ବୋଉ ତାଙ୍କ ପାଇଁ ମୁଢ଼ି, ଚୁଡା ଚିନି ଏବଂ ପଖାଳ ଡେକେଚି ଟେ ସାଙ୍ଗକୁ ଲୁଣ, ଲଙ୍କା, କୋଳିଖଟା ଓ ଆମ୍ଵୁଲ ବାନ୍ଧିଦେଇଥାଏ। ଏ ସବୁ ସାଙ୍ଗରେ ପଣ୍ଡା ଙ୍କ ପାଇଁ ପାଳ ଗୋଛାଏ ଧରି, ଶଗଡ ତଳେ ଲଣ୍ଠନଟେ ବାନ୍ଧି ବାହାରିଯାଆନ୍ତି ଜଙ୍ଗଲକୁ। ମୋର ତାଙ୍କ ସାଙ୍ଗେ ଯିବାକୁ ଇଛା ହୁଏ। ବୋଉ ମନାକରେ, ବହୁତ ଦୁର ଖାଇବାକୁ ପିଇବାକୁ ମିଳିବନି, ବାଘ ବାହାରିବ। ମୁଁ ଆମ ହଳିଆ ମାନଙ୍କୁ ପଚାରେ କୋଉଠି ସେ ଜଙ୍ଗଲ? କେତେବାଟ ଯାଉଚ। ଅଃ ବହୁତ ଦୁର, ସାନ ପିଲାଙ୍କୁ ନେଇକି ଯାଆନ୍ତିନି। ମୁଁ ଭାବେ ଠିକିଅଛି ବଡହେଲେ ଯିବି। କିନ୍ତୁ ମୁଁ ବଡ଼ ହେଲା ବେଳକୁ ଆଉ ଜଙ୍ଗଲ ନାହିଁ, ସବୁ ପଦା ହେଇଗଲାଣି। ଆଉ କେହି ଶଗଡ ନେଇକି ଯାଉନି। ବୁଢାବାପାଙ୍କଠୁ ଶୁଣିଥିଲି, ବାଘ ଆସିଥିଲା ଆମ ଗୁହାଳକୁ ଗାଇ ବା ବାଛୁରୀ କୁ ଭିଡି ନେବାପାଇଁ। ପିଲାବେଳର ରୋମନ୍ଥନ ବହୁତ ମଜା ଲାଗେ।
— କିଶୋର ଚନ୍ଦ୍ର ଚଉଧୁରି, ତୁଣପୁର, ବଡ଼ମ୍ବା, କଟକ।