ପୁରାଣ ପ୍ରସିଦ୍ଧ ମଣିନାଗ ର ରହସ୍ୟ ଏବଂ ନର ବଳି ପ୍ରଥା

.

ସର୍ପଫଣା ପରି ସୁଦୃଶ୍ୟ ମଣିନାଗ ପର୍ବତ
କାହିଁ କେତେ ବାଙ୍କେ ତା’ ଦେହୁ ଝର ହୁଏ ନିର୍ଗତ ।
ଉତ୍‌ଫୁଲ୍ଲିତ କରେ ଚିତ୍ତକୁ ଅଶ୍ରୁମୁଖୀ ପ୍ରପାତ
ନାନା ବନଫୁଲ ବାସନା ଛୁଟୁଥାଇ ନିରତ ।
ଶିଖରୀ ଶୀର୍ଷରେ ନିର୍ମିତ କୁଟିକମ ମନ୍ଦିରେ
 ମାତା ମଣିନାଗ ଶୋଭିତ ଚକାଶିଳା ଉପରେ ।

 

ହଜାର ହଜାର ବର୍ଷ ତଳର କଥା । ସେତେବେଳେ ଆମ ରାଜ୍ୟ ବଣ ଜଙ୍ଗଲରେ ପୂରି ରହିଥିଲା । ଠାଏ ଠାଏ ଜନବସତି ମଧ୍ୟ ଥିଲା । ଲୋକମାନେ ଚାଷ ଓ ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଜୀବନ ବିତାଉଥିଲେ । ସେତେବେଳେ ଜଙ୍ଗଲରେ ବାଘ, ସିଂହ, ହାତୀ, ଭାଲୁ ଆଦି ହିଂସ୍ର ପଶୁ ବହୁଳ ଭାବରେ ଥିଲେ । ସେମାନଙ୍କ ଯୋଗୁଁ ଯେତିକି ଭୟ ଥିଲା, ଅସୁରମାନଙ୍କ ଯୋଗୁଁ ତା’ଠାରୁ ଅଧିକ ଭୟ ଥିଲା । ଅସୁରମାନଙ୍କୁ ଦୈତ୍ୟ ଓ ରାକ୍ଷସ ମଧ୍ୟ କୁହାଯାଉଥିଲା । ସେମାନେ ମଣିଷ ସମେତ ଜୀବଜନ୍ତୁ ଭକ୍ଷଣ କରୁଥିଲେ । ପୁରାଣରେ ଆମେ ଏହି ଅସୁରମାନଙ୍କ କଥା ଶୁଣିଆସିଛେ । ସେହିଭଳି ଜଣେ ଅସୁର ଥିଲା ରଣାସୁର । ତା’ ଭୟରେ ଲୋକମାନେ ଥରହର ହେଉଥିଲେ । ସେ ରହୁଥିଲା ରଣପୁରର ମଣିନାଗ ପର୍ବତରେ । ସେ ସ୍ନାନ କରୁଥିଲା ମହାନଦୀରେ । ସ୍ନାନ ସାରି ଶରଣକୁଳରେ ଥିବା ଲଡୁବାବାଙ୍କୁ ଦର୍ଶନ କରୁଥିଲା । ଦର୍ଶନ ସାରି ରହୁଥିଲା ରଣପୁର ମଣିନାଗ ପର୍ବତରେ । ସେ ଥିଲା ହିଂସ୍ର । ତେଣୁ ମଣିଷ ସମେତ ପଶୁମାନଙ୍କୁ ମାରି ଖାଉଥିଲା । ତା’ ପ୍ରକୋପରୁ ରକ୍ଷା ପାଇବା ପାଇଁ ଲୋକମାନେ ଦେବୀ ଚର୍ଚ୍ଚିକାଙ୍କୁ ପ୍ରାର୍ଥନା କଲେ । ଦେବୀ ଚର୍ଚ୍ଚିକା ଲୋକମାନଙ୍କ ଡାକ ଶୁଣିଲେ ଓ ରଣାସୁରକୁ ବଧ କଲେ । ବାଙ୍କୀରେ ଥିବା ଚର୍ଚ୍ଚିକାଙ୍କ ଧ୍ୟାନ ମନ୍ତ୍ରରେ ଏହା ଉଲ୍ଲେଖ ଅଛି ।

“ଧ୍ୟାୟତେ ଖଡ଼ଗ୍ ଧରାଂ ବରାଭୟ କରାଂମୁଣ୍ଡାୟମାଳାଂ ଶିରଂ
ସର୍ପଶକ୍ତି କରାଂ ରଣାସୁର ଶବରୁଢ଼ାଞ୍ଚ ବୀରାସନାମ୍ ।
ଦନ୍ତାସକ୍ତ କନିଷ୍ଠିକାଂ କୃଦିଲସତ୍ ମୁଣ୍ଡମାଳାଂ ଦଧାନାଂ
ମୁକ୍ତକୁଚାଂ କରାଳ ବଦନାଂ ଦିଗ୍‌ବାସିନୀଂ ଚର୍ଚ୍ଚିକାମ୍ ।”

ରଣାସୁରର ରାଜ୍ୟକୁ କୁହାଯାଉଥିଲା ରଣାସୁରପୁର । ରଣାସୁରପୁରରୁ ରଣପୁର ନାମ କରଣ ହୋଇଛି । ସେହିଭଳି ବାଣାସୁରର ରାଜ୍ୟକୁ ବାଣପୁର କୁହାଯାଉଛି । ରଣାସୁର ନିଧନ ହେବାପରେ ବିଶ୍ୱବାସବ ରଣପୁରର ରାଜା ହେଲେ । ସେତେବେଳେ ଏହି ରାଜ୍ୟର ସୀମା ଉତ୍ତରରେ ମହାନଦୀ, ପଶ୍ଚିମରେ କୁସୁମୀ ନଦୀ ଓ ବୌଦ୍ଧ ରାଜ୍ୟ, ଦକ୍ଷିଣରେ ଚିଲିକା ଓ ବାଣପୁର ରାଜ୍ୟ ଏବଂ ପୂର୍ବରେ ଦୟାନଦୀ ଥିଲା । ବିଶ୍ୱବାସବ ହେଉଛନ୍ତି ଶବର ରାଜା ବିଶ୍ୱାବସୁର ସାନଭାଇ । କଣ୍ଟିଲୋ ଠାରେ ନୀଳମାଧବ ପୂଜା ପାଉଥିଲେ । ଶବର ବିଶ୍ୱାବସୁ ପ୍ରଭୁଙ୍କୁ ନୀଳକନ୍ଦରରେ ଗୋପନରେ ରଖି ପୂଜା କରୁଥିଲେ । ପ୍ରଭୁ ନୀଳମାଧବ ଦାରୁବ୍ରହ୍ମ ହୋଇ ଶ୍ରୀକ୍ଷେତ୍ରକୁ ଅନ୍ତର୍ହିତ ହୋଇଗଲେ । ଏଥିରେ ମର୍ମାହତ ହୋଇ ଭକ୍ତ ବିଶ୍ୱାବସୁ ଓ ତାଙ୍କ ଭାଇ ବିଶ୍ୱବାସବ ନୀଳମାଧବଙ୍କୁ ଧ୍ୟାନରେ କାତର ନିବେଦନ କଲେ । ଦେବତା ତାଙ୍କର ଗୁହାରି ଶୁଣିଲେ । ଦେବତାଙ୍କର ସ୍ୱପ୍ନାଦେଶ ହେଲା ଯେ ବିଶ୍ୱାବସୁ ଶ୍ରୀକ୍ଷେତ୍ରକୁ ଯାଇ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ପୂଜା ଅର୍ଚ୍ଚନା କରିବାର ସୁଯୋଗ ପାଇବେ । ଭାଇ ବିଶ୍ୱବାସବ ରଣାସୁରପୁରରେ ନୀଳମାଧବଙ୍କ ଆସ୍ଥାନ ଚକାଶିଳାକୁ ନେଇ ପୂଜା କରିବେ ଓ ସେଠାରେ ରାଜତ୍ୱ କରିବେ । ଏହି ଚକାଶିଳାରେ ବିଷ୍ଣୁ, ଶିବ ଓ ଦୁର୍ଗାଙ୍କର ବୀଜମନ୍ତ୍ର ଓ ଯନ୍ତ୍ର ଖୋଦିତ ହୋଇଥିଲା । ବିଶ୍ୱବାସବ ମଣିନାଗ ପର୍ବତ ଉପରେ ଚକାଶିଳାକୁ ରଖି ପୂଜା ଆରାଧନା କଲେ । ଏହି ରାଜବଂଶ ଖ୍ରୀ.ପୂ. ୧୭୨୭ ରୁ ରାଜତ୍ୱ ଆରମ୍ଭ କରିଥିବାରୁ ଆଜକୁ ୩ ହଜାର ବର୍ଷ ପୂର୍ବରୁ ଚକାଶିଳା ମଣିନାଗ ପର୍ବତରେ ପୂଜା ହେଉଅଛି । ଏହାପରେ ସେହି ବଂଶର କୌଣସି ରାଜା ଚକାଶିଳା ଉପରେ ଦୁର୍ଗା ମୁର୍ତ୍ତି ରଖି ପୂଜା ଆରମ୍ଭ କଲେ । ଫଳରେ ଏହି ଚକାଶିଳାକୁ ଦୁର୍ଗାଶିଳା ମଧ୍ୟ କୁହାଗଲା । ହଜାର ହଜାର ବର୍ଷ ପରେ ଚତୁର୍ଦ୍ଦଶ ଶତାବ୍ଦୀରେ ରାଜା ଉଦ୍ଧବ ନରେନ୍ଦ୍ର ଦେବୀଙ୍କ ପାଇଁ ମଣିନାଗ ପର୍ବତର ଶୀର୍ଷ ଦେଶରେ ମନ୍ଦିର ନିର୍ମାଣ କଲେ । ଏହି ମନ୍ଦିର ମଧ୍ୟରେ ଚକାଶିଳା ପାତାଳି ହୋଇ ରହିଥିବା କୁହାଯାଉଛି । ଅନ୍ୟ ଅର୍ଥରେ ଏହା ଏକ ଢାଙ୍କୁଣି ଦ୍ୱାରା ଆବଦ୍ଧ ହୋଇ ରହିଛି । ଉପର ମଣିନାଗ ମନ୍ଦିରରେ ରାଜା ବନମାଳୀ ସିଂହ ନରେନ୍ଦ୍ର (ଖ୍ରୀ. ଅ ୧୬୪୪-୧୬୭୫) ଙ୍କ ସ୍ୱହସ୍ତ ନିର୍ମିତ ଦୁର୍ଗାମୂର୍ତ୍ତି ପୂଜା ପାଉଥିଲା । ତାହା ସତ୍ୟବାଦୀ ନିକଟସ୍ଥ ବୀରରାମଚନ୍ଦ୍ରପୁର ଶାସନକୁ ଅପସାରିତ ହୋଇଥିବା ଜଣାପଡେ ।

ଉପର ମଣିନାଗ ମନ୍ଦିରରେ ଦେବୀଙ୍କ ନିକଟରେ ନରବଳି ଦେବା ପ୍ରଥା ପ୍ରଚଳିତ ଥିଲା । ଏହା ଥିଲା ତନ୍ତ୍ର ପୀଠ । ମାଘ ମାସରେ ନରବଳି ଦିଆଯାଉଥିଲା । ୧୯୩୯ ମସିହାଠାରୁ ଏହି ଘୃଣ୍ୟ ବଳିପ୍ରଥା ବନ୍ଦ ରହିଛି । ଏହି ଉପର ମଣିନାଗ ମନ୍ଦିରରେ ଯେଉଁ ମୂର୍ତ୍ତିଗୁଡିକ ଅଛନ୍ତି ସେମାନେ ହେଲେ ଜୟଦୁର୍ଗା, ଉଗ୍ରତାରା ଏବଂ ନାରାୟଣୀ । ପାଶ୍ୱର୍ଦେବୀ ଭାବେ ଦକ୍ଷିଣରେ ବାରାହୀ, ପଶ୍ଚିମରେ ନାରସିଂହୀ ଓ ଉତ୍ତରରେ ଚାମୁଣ୍ଡା ମୂର୍ତ୍ତି ଓ ପୂର୍ବ ଦିଗରେ ଦ୍ୱାରପାଳ ଭାବେ ବ୍ୟାଘ୍ରମୁଖୀ, ସିଂହମୁଖୀ, ଗଙ୍ଗା ଓ ଯମୁନା ମୂର୍ତ୍ତି ଅଛନ୍ତି ପୁରାଣମାନଙ୍କରେ ମଣିନାଗର ବର୍ଣ୍ଣନା ରହିଛି । ‘ଶ୍ରୀକ୍ଷେତ୍ର ମାହାତ୍ମ୍ୟ’ର ଅଷ୍ଟମ ଅଧ୍ୟାୟରେ ଶ୍ରୀକ୍ଷେତ୍ରଠାରୁ ଦଶଯୋଜନ ଦୂରରେ ଅବସ୍ଥିତ ମଣିନାଗ ପୀଠକୁ ମହାପ୍ରଭୁଙ୍କ ‘ଗୁପ୍ତକ୍ଷେତ୍ର’ ରୂପେ ବର୍ଣ୍ଣନା କରାଯାଇଛି । କପିଳ ସଂହିତାର ଅଣତିରିଶ, ତିରିଶ ଏବଂ ଏକତିରିଶ ଅଧ୍ୟାୟରେ ମଣିନାଗ ପର୍ବତ ଓ ଏହାର ମହିମା ଉପରେ ବିଶଦ ଭାବରେଉଲ୍ଲେଖ କରାଯାଇଛି । ସାରଳା ଦାସଙ୍କ ମହାଭାରତରେ ମଣିନାଗ ପର୍ବତ ତଳେ ଜାରାଶବର ବାସ କରୁଥିଲେ ବୋଲି ବର୍ଣ୍ଣନା କରାଯାଇଛି । ପର୍ବତର ଦକ୍ଷିଣ ଦିଗରେ ଚଣ୍ଡୀଝର ନାମରେ ଏକ ଝରଣା ଅଛି । ପୂର୍ବେ ଏହାକୁ ଠାକୁରାଣୀ ଝର କୁହାଯାଉଥିଲା । ତ୍ରେତୟା ଯୁଗରେ ବନବାସ କାଳରେ ସୀତା ଠାକୁରାଣୀ ଏଠାରେ ସ୍ନାନ କରିଥିଲେ ବୋଲି ଜନଶ୍ରୁତି ରହିଛି । ଏହା ନିକଟରେ ଥିବା ଟୁବୁରି ମୁଣ୍ଡିଆରେ ଏକ ଭଗ୍ନ ମନ୍ଦିର ଅଛି । ଏଠାରେ ପ୍ରଭୁ ଶ୍ରୀରାମଙ୍କୁ ପୂଜା କରାଯାଏ । ନିକଟସ୍ଥ ଅନ୍ୟ ଏକ ମୁଣ୍ଡିଆର ନାମ ପାଣ୍ଡବ ମୁଣ୍ଡିଆ । ଏଠାରେ ଥିବା ଏକ ଗୁମ୍ଫାରେ ଅର୍ଜୁନ ବନବାସ ସମୟରେ କିଛିକାଳ ରହିଥିବା ଜନଶ୍ରୁତି ରହିଛି। 

ମଣିନାଗ ପର୍ବତମାଳାର ଦକ୍ଷିଣ ଦିଗରେ ଧାନି ପର୍ବତମାଳା ରହିଛି । ଏଠାରେ ଥିବା ପାଣ୍ଡବ ଗୁମ୍ଫାରେ ପଞ୍ଚୁପାଣ୍ଡବ ଅବସ୍ଥାନ କରିଥିବା ‘ଶ୍ରୀକ୍ଷେତ୍ର ମାହାତ୍ମ୍ୟ’ ଓ ସ୍କନ୍ଦ ପୁରାଣରେ ଉଲ୍ଲେଖ ଅଛି । ଏହି ପର୍ବତ ନିକଟରେ ଥିବା ଗୌଣିଆ ପର୍ବତକୁ ମହାଲକ୍ଷ୍ମୀଙ୍କ ଗୌଣି ବା ନଉତି ଏବଂ ଧାନି ପର୍ବତମାଳାକୁ ଧାନ ଭାବେ ‘ଶ୍ରୀକ୍ଷେତ୍ର ମାହାତ୍ମ୍ୟ’ ରେ ବର୍ଣ୍ଣନା କରାଯାଇଛି । ଗୌଣିଆ ପର୍ବତର ଶିଖର ଦେଶରେ ସତୁରି ଫୁଟ ବ୍ୟାସର ଏକ ଗୋଲାକାର ପଥର ଦୂରରୁ ଗୌଣି ଭଳି ଦେଖାଯାଇଥାଏ । କବିବର ରାଧାନାଥ ରାୟ ଏହି ପର୍ବତ ଦେଖି ଲେଖିଛନ୍ତି – “ନୀରନ୍ଧ୍ର ନିବିଡ କିଚକ ବଣିଆ, ଅଭ୍ରଙ୍କ ଶିଖରେ ଗିରି ଗଉଣିଆ ।”

ମଣିନାଗ ପର୍ବତମାଳା ଦୀର୍ଘ ଏକୋଇଶି କିଲୋମିଟର ଲମ୍ବି ରହିଛି । ଏହା ରଣପୁର ଗଡ଼ଠାରୁ ପଶ୍ଚିମ ଦିଗରେ ଚଉଦ କିଲୋମିଟର ଏବଂ ଦକ୍ଷିଣ ପଶ୍ଚିମ ଦିଗରେ ସାତ କି.ମି. ବ୍ୟାପୀ ରହିଛି । ପର୍ବତମାଳାର ଶିଖର ଦେଶରେ ସମୁଦ୍ର ପତ୍ତନର ୧୮୯୩ ଫୁଟ ଉଚ୍ଚରେ ମଣିନାଗ ଦୁର୍ଗାଙ୍କ ମନ୍ଦିର । ଏହାର ଅନ୍ୟ ଦୁଇଟି ଉଚ୍ଚଶୃଙ୍ଗ ‘ଟଗମରା’ ଓ ‘ଜରଜରି’ ସମୁଦ୍ର ପତ୍ତନ ଠାରୁ ଯଥାକ୍ରମେ ୨୦୪୯ ଫୁଟ ଓ ୨୦୭୮ ଫୁଟ ଉଚ୍ଚରେ ଅଛନ୍ତି । ଏହି ଦୀର୍ଘ ପର୍ବତମାଳାର ପାହାଡ଼ଗୁଡିକ ସ୍ଥାନ ଅନୁଯାୟୀ ଭିନ୍ନ ଭିନ୍ନ ନାମରେ ଜନ ମୁଖରେ କଥିତ ହୁଅନ୍ତି । ଯଥା – ଧାନଘର, ଅଁଳା, ଶୁଳିଆ, କୋଟପୋଖରୀ, ମରିଚିଆ, ପାତିମୁଣ୍ଡିଆ, ଜହ୍ନାଥଳି, କୁଣ୍ଡାଖାଇ, ମନବୋଧିଆ, ବାଇଢଙ୍କିଆ, ମାଳତି ମୁଣ୍ଡିଆ, ଟୁବୁରି ମୁଣ୍ଡିଆ ଓ ପାଣ୍ଡବ ପାହାଡ଼ ଆଦି । ଏହି ପର୍ବତମାଳାରେ ଅନେକ ଝର ଝରଣା ଆଦି ରହିଛି । ସେଗୁଡିକ ହେଲା ଅଶ୍ରୁକୁମାରୀ ବା ଅସୁରକୁମାରୀ ଝର, ବାଘ କୋରଡ ଝର, ବଘେଇ ଝର, ଟଭା ଝର, ଅଶୋକ ଝର, ଆମ୍ବ ଝର, ଚଣ୍ଡୀ ଝର ଆଦି । ଏହି ଝରଗୁଡିକ ପର୍ବତର ବିଭିନ୍ନ ସ୍ଥାନରୁ ପ୍ରବାହିତ ହେଉଛି । ଏସବୁ ମଧ୍ୟରୁ ଅଶ୍ରୁକୁମାରୀ ବା ଅସୁର କୁମାରୀ ଏକ ପ୍ରମୁଖ ଝରଣା ଅଟେ । ଏହାକୁ କେହି କେହି ଅଶ୍ରୁମୁଖୀ ଝର ବା ଜଳପ୍ରପାତ କହିଥା’ନ୍ତି । ପର୍ବତର ଚାଳିଶ ଫୁଟ ଉଚ୍ଚରୁ, ତା’ ତଳ ପଚିଶ ଫୁଟ ଉଚ୍ଚରୁ ଏବଂ ଶେଷରେ ଦଶଫୁଟ ଉଚ୍ଚରେ ଝର ଜଳ ସର୍ବଦା ନିର୍ଗତ ହୋଇଥାଏ । ବର୍ଷାଦିନେ ଉପର ତଳ ହୋଇ ତିନୋଟି ସ୍ଥାନରୁ ଏକ ସିଧା ସରଳ ଧାରାରେ ଜଳ ପ୍ରବାହର ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର । ଏହି ଜଳ ପ୍ରପାତ ତଳେ ପାଖକୁ ଲାଗି ଅସୁରକୁମାରୀ ଠାକୁରାଣୀଙ୍କ ମନ୍ଦିର ରହିଛି । ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ଉଦ୍ୟମରେ  ଓଡ଼ିଶା ସରକାର ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଛନ୍ତି । ଏହାର ବିକାଶ ଦିଗରେ କିଛି କାର୍ଯ୍ୟ ମଧ୍ୟ ହୋଇଛି । ଛୁଟିଦିନମାନଙ୍କରେ ଏହି ରମଣୀୟ ସ୍ଥାନରେ ପର୍ଯ୍ୟଟକ ମାନଙ୍କର ଭିଡ ଲାଗି ରହିଥାଏ । ବଜ୍ରକୋଟ ଗ୍ରାମ ନିକଟରେ ଏହି ସ୍ଥାନଟି ଅବସ୍ଥିତ ।

ପୁରାଣ ବର୍ଣ୍ଣିତ ମଣିନାଗ ପର୍ବତ ବହୁ କିଂବଦନ୍ତୀ ବିଜଡିତ । ପର୍ବତ ଉପରେ ଥିବା ମଣିନାଗ ଦୁର୍ଗାଙ୍କ ପୀଠ ଏକ ତନ୍ତ୍ର ପୀଠ ରୁପେ ପରିଚିତ । ଏହା ଦୂରରୁ ସାପର ଫଣା ଭଳି ଦେଖାଯାଉଥିବାରୁ କବିବର ରାଧାନାଥ ରାୟ ଲେଖିଛନ୍ତି – “ଫଣାଧରାକୃତି ମୈନାକ ଶିଖରୀ, ଯା’ ଶିରେ ବସନ୍ତି ରଣପୁରେଶ୍ୱରୀ ।” ସେ ପୁଣି ‘ଚନ୍ଦ୍ରଭାଗା’ କାବ୍ୟରେ ଲେଖିଛନ୍ତି-

“ନରେନ୍ଦ୍ର ମଉଳି କୁସୁମ ରେଣୁ ରକ୍ତଚରଣା

ମୈନାକ ଶିଖର ବାସିନୀ ରଣପୁର ମଣ୍ଡନା ।”

ପର୍ବତ ଉପରେ ମଣିନାଗ ମନ୍ଦିର ଥିବାବେଳେ ପର୍ବତ ତଳେ ଆଉ ଏକ ମନ୍ଦିର ଦେଖିବାକୁ ମିଳେ । ଏହା ତଳ ମଣିନାଗ ମନ୍ଦିର ନାମରେ ପରିଚିତ । ପୂଜକ ପ୍ରତିଦିନ ପର୍ବତ ଉପରକୁ ଯାଇ ପୂଜା କରିବାରେ ବାଧା ଉପୁଜିଲା । ଫଳରେ ରାଜା ଗିରିଧାରୀ ସିଂହ ନରେନ୍ଦ୍ର ମହାପାତ୍ର ଦେବୀଙ୍କ ସ୍ୱପ୍ନାଦେଶ ବଳରେ ଷୋଡଶ ଖ୍ରୀଷ୍ଟାବ୍ଦରେ ପର୍ବତ ତଳେ ମନ୍ଦିର ନିର୍ମାଣ କଲେ । ଏହି ତଳ ମଣିନାଗକୁ ଲାଗି ରାଜାଙ୍କ ପୁରୁଣା ନଅର ମଧ୍ୟ ଥିଲା ।  ଏବେ ଲୋକମାନେ ମଣିନାଗ  ଦୁର୍ଗାଙ୍କ ପୂଜା ଏହିଠାରେ ହିଁ କରିଥା’ନ୍ତି ।  ମଣିନାଗ ପୀଠରେ ତିନିଥର ଶଙ୍ଖୁଡି ଭୋଗ ହୋଇଥାଏ ।  ଆଦିବାସୀ କନ୍ଧଜାନୀ ମା’ଙ୍କର ପୂଜକ । ଏବେ ବ୍ରାହ୍ମଣ ପୂଜକ ଏହି ପୂଜାରେ ସାମିଲ ହେଲେଣି ।

ମଣିନାଗ ଦୁର୍ଗାଙ୍କ ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ଦଶହରାର ଷୋଳଦିନ ପର୍ବ ହେଉଛି ବଡ ପର୍ବ ଆଶ୍ୱିନ ମାସ ଦି୍ୱତୀୟା ଓଷାଠାରୁ ଏହି ଷୋଳ ପୂଜା ଆରମ୍ଭ ହୋଇ ନବମୀ ଦିନ ପର୍ଯ୍ୟନ୍ତ ଚାଲିଥାଏ ଦଶହରା ଦିନ ପୂଜା ଉଦ୍ଯାପିତ ହୁଏ ଦଶହରା ଦିନ ସାତଥର ତୋପଧ୍ୱନି କରାଯାଏ ତୋପଧ୍ୱନି ଶୁଣିବା ପରେ ଲୋକେ ଶୁଭ ଅନୁକୂଳ କରିଥାନ୍ତି ରଣପୁର ଗଡ଼ର ପଞ୍ଚୁଦୋଳ ଯାତ୍ରାରେ ମଣିନାଗ ଦୁର୍ଗା ଥାନାଧିପତି ହୋଇ ପୂଜା ପାଇଥାନ୍ତି ଏଥିରେ ପୂର୍ବତନ ରଣପୁର ରାଜ୍ୟର ବିଭିନ୍ନ ଗ୍ରାମରୁ ୧୦୮ଟି ଦୋଳର ସମାଗମ ହୋଇଥାଏ ଏହାବ୍ୟତୀତ ଅନ୍ୟାନ୍ୟ ପର୍ବ ମଧ୍ୟ ପାଳିତ ହୋଇଥାଏ

ପୁରାଣ ପ୍ରସିଦ୍ଧ ମଣିନାଗ ଏକଦା ପ୍ରସିଦ୍ଧ ଥିଲା ତନ୍ତ୍ରପୀଠ ରୂପେ । ଏହି ଦୁର୍ଗମ ପର୍ବତରେ ମା’ଙ୍କୁ ଅନେକ ଇତିହାସ ଓ କିଂବଦନ୍ତୀ ବିଜଡିତ । ପର୍ବତ ଉପରୁ ଏହି ସ୍ଥାନର ପ୍ରାକୃତିକ ଶୋଭା ଅତ୍ୟନ୍ତ ମନୋରମ । ରଣପୁରବାସୀଙ୍କ ଉଦ୍ୟମକ୍ରମେ ତଳ ମଣିନାଗର  ପୀଠରୁ ଉପର ମଣିନାଗ ପର୍ଯ୍ୟନ୍ତ ରାସ୍ତା କରାଯାଇଛି । କିନ୍ତୁ ତାହା ପୂର୍ଣ୍ଣାଙ୍ଗ ହୋଇନାହିଁ । ଏ ଦିଗରେ ଭୁବନେଶ୍ୱରର ପୂର୍ବତନ ମେୟର ମିହିର କୁମାର ମହାନ୍ତି, ପ୍ରାଧ୍ୟାପକ ଗୋଦାବରୀଶ ଶତପଥୀ, ଯୁବ ସମାଜସେବୀ ବିମଳ କୁମାର ଅଗ୍ରୱାଲା ଓ ଗବେଷକ ବିରଞ୍ôଚ ନାରାୟଣ ତ୍ରିପାଠୀଙ୍କ ଅବଦାନ ଉଲ୍ଲେଖଯୋଗ୍ୟ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ପୀଠର ବିକାଶ ପ୍ରତି ଗୁରୁତ୍ୱ ଦିଆଗଲେ ପ୍ରାଚୀନ ମଣିନାଗ ପୀଠ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ରୂପେ ଗୁରୁତ୍ୱ ଲାଭ କରିବ ।

ଯୁଗ ଯୁଗ ଧରି ଚାଲିଛି         ମାତାଙ୍କର ଅର୍ଚ୍ଚନା

ପୁରାଣ ଓ ଇତିହାସରେ        ରହିଅଛି ବର୍ଣ୍ଣନା ।

ନେତ୍ର ପ୍ରୀତିପଦ ଏ ଧାମେ    ଥରେ ଯେ ପଦ ଚାଳେ

ଅମରାବତୀର ସୁଖକୁ          ମର୍ତ୍ତେ ଲଭଇ ହେଳେ ।

 

**********

ସତ୍ୟବାଦୀ ବଳିଆରସିଂ, ଖୋର୍ଦ୍ଧା 

Share

Related Posts

5 2 votes
Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x