ବେଦଭୂମୀ ଭାରତରେ ବିଷ୍ଣୁ ଉପାସନା କାହିଁ ବୈଦିକ ଯୁଗରୁ ପ୍ରଚଳିତ ହୋଇଆସୁଛି । ହିନ୍ଦୁ ଧର୍ମରେ ବିଶେଷ ଭାବେ ତ୍ରିମୂର୍ତ୍ତି କଳ୍ପନାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ପୂଜିତ ହୋଇଆସୁଛନ୍ତି । ଏହି ତ୍ରିମୂର୍ତ୍ତି ନିଜ ନିଜର ସ୍ୱତନ୍ତ୍ର ଶକ୍ତିର ପରାକାଷ୍ଠା ଦର୍ଶାଇ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ହୋଇଥିବା ହିନ୍ଦୁମାନଙ୍କ ବିଶ୍ୱାସରେ ରହିଆସିଛନ୍ତି । ବ୍ରହ୍ମା ସୃଷ୍ଟି କର୍ତ୍ତା, ବିଷ୍ଣୁ ପାଳନ କର୍ତ୍ତା ଓ ମହେଶ୍ବର ସଂହାର କର୍ତ୍ତା । ତ୍ରିମୂର୍ତ୍ତିଙ୍କ ମଧ୍ୟରେ ବିଷ୍ଣୁ କେବଳ ଯୁଗେ ଯୁଗେ ଅବତାର ନିଅନ୍ତି । ବିଷ୍ଣୁ ମାନବ ଅବତାର ଗ୍ରହଣ କରି କଳୁଷିତ ସଂସାର ଭିତରେ ଥିବା ଦୃଷ୍କୃତମାନଙ୍କ ବିନାଶ କରି ସାଧୁ ସନ୍ଥମାନଙ୍କ ପରିତ୍ରାଣ କରି ଧର୍ମ ସଂସ୍ଥାପନାର୍ଥାୟ କରିଥାନ୍ତି । କେତେ ବେଳେ ସେ ରାମ / କୃଷ୍ଣ ବା ଯେକୌଣସି ଅବତାର ନେଇ ଧରାପୃଷ୍ଠରେ ଅବରତରଣ କରନ୍ତି ।
ବିଷ୍ଣୁ ଆଶ୍ରିତ ବ୍ୟକ୍ତିମାନଙ୍କୁ ବୈଷ୍ଣବ କୁହାଯାଏ । ବୈଷ୍ଣବ ଧର୍ମ ଭକ୍ତି ମାର୍ଗର ଧର୍ମ । ଅଦୈ୍ୱତ ବେଦାନ୍ତରେ ବହ୍ମହିଁ ମୂଳ , କିନ୍ତୁ ଏହା ସଗୁଣ ନୁହେଁ ନିର୍ଗୁଣ । ବୈଷ୍ଣବ ବେଦାନ୍ତମାନଙ୍କରେ ବହ୍ମ ସଗୁଣ ଓ ସେହି ବ୍ରହ୍ମ ନାରାୟଣ ବିଷ୍ଣୁ ନାରାୟଣ, ବିଷ୍ଣୁ ବା କୃଷ୍ଣ ନାମରେ ଚିହ୍ନିତ । ପୁନଃ ବୈଷ୍ଣବ ବେଦାନ୍ତମାନଙ୍କରେ ଦର୍ଶାଇ ଦିଆଯାଇଛି ଯେ ବ୍ରହ୍ମର ଶକ୍ତି ଥାଏ ଓ ସେହି ଶକ୍ତିର ନାମ ଲକ୍ଷ୍ମୀ ବା ରାଧା । କିନ୍ତୁ ଉତ୍କଳୀୟ ବୈଷ୍ଣବମାନେ ସ୍ୱୟଂ ଜଗନ୍ନାଥ ମହାପ୍ରଭୁଙ୍କୁ ବ୍ରହ୍ମ ଭାବରେ ଗ୍ରହଣ କରିଆସୁଛନ୍ତି । ଜଗନ୍ନାଥ ହେଉଛନ୍ତି ଦାରୁ ବ୍ରହ୍ମ ବା ଦାରୁରୂପୀ ବ୍ରହ୍ମ । ସେ ଅବତାରୀ, ତାଙ୍କ ଅଂଶ ଭାବେ ରାମ କୃଷ୍ଣ ଓ ଅନ୍ୟ ଅବତାରମାନେ ଆବିର୍ଭୂତ ହୋଇଥାନ୍ତି । ‘ ସର୍ବଦା ନୀଳାଦ୍ରିରେ ସ୍ଥିତି / ଏଥୁ ସକଳେ ଜାତ ହୋନ୍ତି । ସମସ୍ତ ଅବତାରମାନ / ଜାତ ହୋଇଣ ପଶେ ପୁଣ ।’ ଏହି ଅବତାର ମାନେ କର୍ମ ସଂପାଦନ କରି ଶେଷରେ ପୁନର୍ବାର ଦାରୁ ବ୍ରହ୍ମରେ ବିଲୀନ ହୋଇଯାଆନ୍ତି ।
ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ଇନ୍ଦ୍ରଭୂତି ‘ ଜ୍ଞାନସିଦ୍ଧି ‘ ନାମକ ଗ୍ରନ୍ଥରୁ ଜଣାଯାଏ , ଜଗନ୍ନାଥ ଅରୂପ ବେଶରେ ସର୍ବବୁଦ୍ଧମୟ ରୂପରେ ସର୍ବ ସାଧାରଣଙ୍କ ଦ୍ଵାରା ପୂଜିତ ହୋଇଆସୁଥିଲେ । ଏପରିକି ବୌଦ୍ଧ ଧର୍ମର ବଜ୍ରଯାନ ସଂପ୍ରଦାୟର ପ୍ରଧାନ ଉପାସ୍ୟ ଦେବତା ଥିବା ଜଗନ୍ନାଥ ସହଜଯାନର ଉପାସ୍ୟ ଦେବତା ପରିଗଣିତ ହେବା ସରହପା ଓ କାହ୍ନୁପାଙ୍କ ଦୋହାକୋଷସ୍ଥ ଜଗନ୍ନାଥ ବନ୍ଦନାରୁ ସ୍ପଷ୍ଟ ହୋଇଥାଏ । କିନ୍ତୁ ନବମ ଶତାବ୍ଦୀରେ ଅଦୈ୍ୱତବାଦୀ ଶଙ୍କର ପୁରୀଧାମକୁ ଆସିବା ପରେ ହିନ୍ଦୁମାନେ ଜଗନ୍ନାଥଙ୍କୁ ନିର୍ଗୁଣ ବ୍ରହ୍ମଙ୍କ ବିଗ୍ରହ ରୂପରେ ଗ୍ରହଣ କରିଥିଲେ । ପରେପରେ ରାମାନୁଜ, ମଧ୍ୱଚାର୍ଯ୍ୟ, ରାମାନନ୍ଦ, ବଲ୍ଲଭାଚାର୍ଯ୍ୟ ଓ ନିଂବାର୍କ ପ୍ରମୁଖ ବୈଷ୍ଣବାଚାର୍ଯ୍ୟମାନେ ଶ୍ରୀକ୍ଷେତ୍ର ଆସି ନିଜ ନିଜର ଦୃଷ୍ଟିରେ ଜଗନ୍ନାଥଙ୍କୁ ବିଷ୍ଣୁ , ନାରାୟଣ ଓ ରାମଭାବେ ପୂଜାର୍ଚ୍ଚନା କରିବା ହିଁ ସ୍ପଷ୍ଟ କରେ ରାମ, ବିଷ୍ଣୁ, ମହାବିଷ୍ଣୁ, କୃଷ୍ଣ ଆଦି ରୂପରେ ଯେ ପୂଜା ପାଆନ୍ତି , ସେ ହେଉଛନ୍ତି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ । ପଞ୍ଚସଖାଙ୍କ ସମୟରେ ଶ୍ରୀଚୈତନ୍ୟ ଶ୍ରୀକ୍ଷେତ୍ର ଆସି ତାଙ୍କ ନିଜର ଅଚିନ୍ତ୍ୟ ଭେଦଭାବ ପ୍ରଚାର କରିବା ଫଳରେ ଉତ୍କଳୀୟମାନେ ଜଗନ୍ନାଥଙ୍କ ଠାରେ ଅଧିକ ବିଷ୍ଣୁତ୍ୱକୁ ଉପଲବ୍ଧ କରିଥିଲେ । ଫଳସ୍ୱରୂପ ଉତ୍କଳୀୟମାନଙ୍କ ପାଇଁ ଜଗନ୍ନାଥ ବ୍ରହ୍ମ ହୋଇରହିଗଲେ । ସେ ହେଲେ ଉଭୟ ନିର୍ଗୁଣ ଓ ସର୍ଗୁଣ ବ୍ରହ୍ମ ସ୍ୱରୂପ । ଜଗନ୍ନାଥ ସ୍ୱୟଂ ବ୍ରହ୍ମ , ସେ କେବଳ ସମନ୍ୱୟବାଦ ପ୍ରତିଷ୍ଠା କରିବାର ଦେବତା । ଶୈବ , ଶାକ୍ତ , ସୌର , ବୌଦ୍ଧ , ବୈଷ୍ଣବ ଆଦି ଧର୍ମ ଜଗନ୍ନାଥ ଧର୍ମରୂପୀ ମହାସାଗରରେ ହଜିଯାଇଛନ୍ତି ।
ବେଦାନ୍ତ ଦର୍ଶନର ପ୍ରବର୍ତ୍ତକ ଶଙ୍କରାଚାର୍ଯ୍ୟ ପୁରୀ ଆଗମନ କରି ନିର୍ଗୁଣ ବ୍ରହ୍ମ ବ୍ୟତୀତ ଅନ୍ୟ କାହାକୁ ସ୍ୱୀକାର କରୁନଥିଲେ । ବ୍ରହ୍ମ ଓ ଜୀବକୁ ଅଭିନ୍ନ ବୋଲି କହୁଥିଲେ । ତାଙ୍କ ଦର୍ଶନରେ ଅବିଦ୍ୟା ବନ୍ଧନର ଶକାରଣ । ତେଣୁ ଜ୍ଞାନ ଲାଭ ହେବା ପରେ ମୋକ୍ଷ ପ୍ରାପ୍ତି ଘଟେ । ତାଙ୍କ ଦୃଷ୍ଟିରେ ଯୋଗ , ସାଂଖ୍ୟ , କର୍ମ , ବିଦ୍ୟା , ଦାନ ଗଙ୍ଗା ସ୍ନାନ , ପ୍ରାଣାୟାମ ଦ୍ଵାରା ମୋକ୍ଷ ଘଟେ ନାହିଁ , କେବଳ ବ୍ରହ୍ମ ଓ ଆତ୍ମା ଏକ ଉପଲବ୍ଧ କରିପାରିଲେ ମୋକ୍ଷ ପ୍ରାପ୍ତ ହୁଏ । ଏ ସଂପର୍କରେ ଶଙ୍କର ଆତ୍ମାର ସ୍ୱରୂପ ବ୍ରହ୍ମକୁ ଅନୁସନ୍ଧାନ କରିବା ଭକ୍ତି ବୋଲି ଦର୍ଶାଇ ଲେଖିଛନ୍ତି – ” ମୋକ୍ଷକାରଣ ସାମଗ୍ର୍ୟାଂ ଭକ୍ତିରେବ ଗରୀୟସୀ / ସ୍ୱ ସ୍ୱରୂପାନୁସଂଧାନଂ ଭକ୍ତିରିତ୍ୟଭିଧୀୟତେ । ” ବ୍ରହ୍ମ ପରମ ଓ ବିକଳ୍ପ , ତାଙ୍କ ଠାରେ ଧ୍ୟାନ ରଖିଲେ ଇହ ଜନ୍ମରେ ବ୍ରହ୍ମନିର୍ବାଣ ମିଳେ ବୋଲି ଶଙ୍କରଙ୍କର ବିଶ୍ୱାସ ଥିଲା । ଶଙ୍କର ବ୍ରହ୍ମଜ୍ଞାନୀ ଥିବାରୁ ଭକ୍ତି ଭାବନାକୁ ପରିହାର କରିନାହାନ୍ତି । ସେ ଭଗବାନଙ୍କୁ ସ୍ତୁତି କଲାବେଳେ ” ଗତିସ୍ତ୍ୱଂ ଗତିସ୍ତ୍ୱଂ ତ୍ୱମେକା ଭବାନୀ ” , ଶିବଙ୍କୁ ସ୍ତୁତି କଲାବେଳେ ଗାଇଛନ୍ତି , ” ସଂସାର – ଦୁଃଖ-ଗହନାତ୍ ଜଗଦୀଶ ରକ୍ଷ ।”
କୁହାଯାଇଛି ଜ୍ଞାନମାର୍ଗ ବେଦ ଓ ଉପନିଷଦ ଯୁଗରୁ ଯେଭଳି ଜନ୍ମ ନେଇଥିଲା ଠିକ୍ ସେଭଳି ଭକ୍ତିମାର୍ଗ ବୈଦିକ ଯୁଗରେ ଜନ୍ମ ଲାଭ କରିଥିଲା । ନାରଦ ଭକ୍ତିର ସଂଜ୍ଞା ଦେଇଛନ୍ତି – ” ସା କସ୍ମୈଚିତ୍ ପରମ ପ୍ରେମରୂପା ।” ଶାଣ୍ତିଲ୍ୟ ମଧ୍ୟ ଏସଂପର୍କରେ ଉଲ୍ଲେଖ କରିଛନ୍ତି – ” ସା ପରାନୁରକ୍ତିରୀଶ୍ୱରେ ।” ଈଶ୍ବରଙ୍କଠାରେ ପରମ ଅନୁରକ୍ତିହିଁ ଭକ୍ତି ।” ଭାଗବତ-ମାହାତ୍ମ୍ୟରେ କଳିଯୁଗ ପାଇଁ ଭକ୍ତିର ପ୍ରଶଂସାରେ ଦର୍ଶାଇ ଦିଆଯାଇଛି – ” ଅଳଂ କଳୌ ବ୍ରତୈଃ ତୀର୍ଥୈଃ ୟୋଗୈଃ ଶାସ୍ତ୍ରୈଃ ଅଳଂ ମଖୈଃ / ଅଳଂ ଜ୍ଞାନକଥାଲାପୈଃ ଭକ୍ତିରେକୈବ ମୁକ୍ତିଦା ।” କଳିଯୁଗରେ ବ୍ରତ , ତୀର୍ଥ , ଯୋଗ , ଶାସ୍ତ୍ର ପାଠ, କର୍ମ କାଣ୍ଡ , ଜ୍ଞାନାଲୋଚନା ଆଦିରେ ମୁକ୍ତି ମିଳେ ନାହିଁ । ବରଂ କଳି ଯୁଗରେ କେବଳ ଭକ୍ତି ଦ୍ବାରା ମୁକ୍ତି ମିଳେ । ମନୁ ପ୍ରତ୍ୟେକ ଯୁଗ ପାଇଁ ନାନା ମାର୍ଗ ଦର୍ଶାଇ ଦେଇଛନ୍ତି । ମନୁଙ୍କ ଶ୍ଳୋକ – ” ତପଃ ପୂର୍ବଂ କୃତଯୁଗେ ତ୍ରେତୟାଂ ୟଜ୍ଞ ମେବ ଚ / ଦ୍ୱାପରେ ଦାନମିତ୍ୟାହୁଃ କଳୌ ଭକ୍ତିର୍ଗରୀୟସୀ । ‘ ଅର୍ଥାତ ସତ୍ୟଯୁଗରେ ତପ , ତ୍ରେତାଯୁଗରେ ଯଜ୍ଞ , ଦ୍ୱାପରଯୁଗରେ ଦାନ ଓ କଳି ଯୁଗରେ ଭକ୍ତି ହିଁ ଶ୍ରେଷ୍ଠ ବୋଲି କହିଛନ୍ତି ।
ତେଣୁ ଭକ୍ତିଯୋଗ ଭାରତୀୟ ଧର୍ମସାଧନା ମାର୍ଗରେ ଏକ ବିଶିଷ୍ଟ ବିଭାଗ । ଭଜ୍ ଧାତୁରେ କ୍ତିନ୍ ପ୍ରତ୍ୟୟ ଯୋଗେ ଭକ୍ତି ଶଦ୍ଦର ନିଷ୍ପନ୍ନ । ଭଜ୍ ଅର୍ଥ ସେବା , ତେଣୁ ଭଗବାନଙ୍କ ସେବା କୈନ୍ଦ୍ରିକ ସାଧନା ମାର୍ଗକୁ ଭକ୍ତିମାର୍ଗ କୁହାଯାଏ । ପ୍ରତ୍ୟେକ ମଣିଷ ସଦା ସୁଖକାମୀ , ଏହା ତାର କେବଳ ପରମାର୍ଥ ବା କାମ୍ୟବସ୍ତୁ । ଏହାକୁ ମଧ୍ୟ ଅନ୍ୟ ଅର୍ଥରେ ପୁରୁଷାର୍ଥ କୁହାଯାଏ । ପୁରୁଷାର୍ଥ ପ୍ରାପ୍ତି ନିମନ୍ତେ ଭାରତୀୟ ଧର୍ମାନୁସାରେ ଦୁଇଟି ମାର୍ଗ ଦର୍ଶାଯାଇଛି । ଗୋଟିଏ ଆତ୍ୟନ୍ତିକୀ ଦୁଃଖ ନିବୃତ୍ତି । ଏସଂପର୍କରେ ବିଶେଷ କରି ସାଂଖ୍ୟ ଦର୍ଶନ , ଯୋଗ ଦର୍ଶନ, ବୌଦ୍ଧ ଦର୍ଶନ ପ୍ରଭୃତିରେ ଦର୍ଶାଇ ଦିଆଯାଇଛି । ଆତ୍ୟନ୍ତିକୀ ଦୁଃଖ ନିବୃତ୍ତି ବାସ୍ତବ ସୁଖ ଅନ୍ୱେଷଣ କରି ସେଥିରେ ଯୁକ୍ତ ହେବା ନିମନ୍ତେ କିଛି ସାଧନାମାର୍ଗର ନିର୍ଦ୍ଦେଶ ଦିଆଯାଇଛି ।
ମାନବ ଜୀବନରେ ବାସ୍ତବ ସୁଖ କଣ ? ଏକଥା ମଧ୍ୟ ସତ୍ୟ ସାଂସାରିକ ସୁଖ ମଧ୍ୟରୁ କୌଣସିଟି ବାସ୍ତବ ସୁଖ ନୁହେଁ । ଦୈହିକ ସୁଖ ସୁଖ ନୁହେଁ , ତା ପଛରେ ଥାଏ ଜରା , ବ୍ୟାଧି ଠାରୁ ଆହୁରି ଭୟଙ୍କର ଅଜଣା ରୋଗ କି ଅର୍ଥର ପାହାଡ ଉପରେ ସୁଖ ନଥାଏ , ତାହା କେବଳ ଭ୍ରମ ସୃଷ୍ଟି କରେ । ତେଣୁ ସଂସାରର ସମସ୍ତ ସୁଖ କ୍ଷଣଭଙ୍ଗୁର , ଚହଲା ପାଣି ସଦୃଶ୍ୟ ନିମିଷିକ ସୀମିତ ତଥା ଦୁଃଖଜଡିତ । ଉପନିଷଦରେ କୁହାଯାଇଛି – ” ଯୋ ବୈ ଭୂମା ତତ୍ ସୁଖମ୍ , ନାଳ୍ପେ ସୁଖମସ୍ତି / ଭୂମୈବ ସୁଖମ୍ , ଭୂମା ତ୍ୱବ ବିଜିଜ୍ଞାସିତବ୍ୟ ।” ଅର୍ଥାତ ଯାହା ମହାନ ତାହାହିଁ ସୁଖ , ଅଳ୍ପରେ ସୁଖ ନାହିଁ । ମହାନ୍ ହିଁ ସୁଖ , ତେଣୁ ସେହି ମହାନଙ୍କୁ ସକଳେ ଜାଣିବା ଉଚିତ । ତେଣୁ ଉପନିଷଦ ମାନଙ୍କରେ ଏହି ମହାନ ହେଉଛନ୍ତି ବ୍ରହ୍ମ । ସେ ସର୍ବବ୍ୟାପୀ , ବୃଂହତି , ବୃହଂୟତି ଇତି ବ୍ରହ୍ମ । ଅର୍ଥାତ ଯେ ନିଜେ ମହାନ୍ ଓ ଅନ୍ୟକୁ ମହାନ୍ କରନ୍ତି । ତେଣୁ ବ୍ରହ୍ମ ହିଁ ପ୍ରକୃତ ସୁଖ ବା ଆନନ୍ଦର ଆଧାର , କାରଣ ଉପନିଷଦରେ କୁହାଯାଇଛି – ” ଆନନ୍ଦଂ ବ୍ରହ୍ମଣୋ ବ୍ୟଜାନାତ୍ । ‘ ସୂଚେଇ ଦିଆଯାଇଛି ଯେ ବ୍ରହ୍ମ ଙ୍କୁ ଆନନ୍ଦ ବୋଲି ଜାଣ ।
ବ୍ରହ୍ମ ତିନୋଟି ରୂପରେ ପ୍ରକଟିତ ହୁଅନ୍ତି । ତାଙ୍କର ଗୋଟିଏ ରୂପ ହେଉଛି ଆକାର ବିହୀନ , ନିର୍ଗୁଣ ଓ ସର୍ବବ୍ୟାପୀ । ଏପରି ରୂପ ବ୍ରହ୍ମ ରୂପେ ଖ୍ୟାତ । ବ୍ରହ୍ମଙ୍କର ଅନ୍ୟ ଏକ ରୂପ ହେଉଛି ସର୍ବାନ୍ତର୍ଯ୍ୟାମୀ ପରମାତ୍ମା ରୂପ । ବ୍ରହ୍ମଙ୍କର ଅନ୍ୟ ତୃତୀୟ ରୂପଟି ରସଘନ ବିଗ୍ରହ , ସଚ୍ଚିଦାନନ୍ଦ ତନୁ ଷଢ୍ ଐଶ୍ୱର୍ଯ୍ୟ ବା ଷଢ୍ ଗୁଣର ଆଧାର , ସ୍ରଷ୍ଟା ପାଳନକର୍ତ୍ତା ତଥା ସଂହର୍ତ୍ତା । ଈଶ୍ବର ରୂପ ବ୍ରହ୍ମଙ୍କର ଏହି ତିନି ରୂପଙ୍କୁ ଉପଲବ୍ଧି କରିବା ନିମନ୍ତେ ତିନୋଟି ସାଧନା ମାର୍ଗ ଅନୁ୍ସରଣ କରିବାକୁ ହେବ । ତିନୋଟି ମାର୍ଗ ହେଉଛି ପ୍ରଥମଟି ଜ୍ଞାନମାର୍ଗ , ଦ୍ୱିତୀୟଟି ଯୋଗମାର୍ଗ ଓ ତୃତୀୟଟି ଭକ୍ତି ମାର୍ଗ । କୁହାଯାଏ ଜ୍ଞାନମାର୍ଗରେ ବ୍ରହ୍ମ ସ୍ୱରୂପର ଉପଲବ୍ଧି , ଯୋଗମାର୍ଗରେ ଦେହ ମଧ୍ୟରେ ପରମାତ୍ମା ସ୍ୱରୂପର ଉପଲବ୍ଧି ଓ ଭକ୍ତିମାର୍ଗରେ ରୂପ , ଗୁଣ , ନାମ ଓ ଲୀଳା ସେବା ମାଧ୍ୟମରେ ଈଶ୍ୱର ବା ଭଗବାନଙ୍କ ସ୍ୱରୂପର ଉପଲବ୍ଧି ଘଟିଥାଏ । କିନ୍ତୁ ଏହି ତିନୋଟି ମାର୍ଗ ମଧ୍ୟରୁ ଭକ୍ତିମାର୍ଗର ଶ୍ରେଷ୍ଠତ୍ୱ ବିଭିନ୍ନ ଶାସ୍ତ୍ରମାନଙ୍କରେ ପ୍ରତିପାଦିତ ଓ ସ୍ୱୀକୃତ ହୋଇଛି । ଜ୍ଞାନମାର୍ଗ ଓ ଯୋଗମାର୍ଗ ରେ ଅବ୍ୟକ୍ତ ବ୍ରହ୍ମ ଓ ପରମାତ୍ମାଙ୍କର ଧ୍ୟାନକରି ତାଙ୍କ ପ୍ରତି ଆସକ୍ତ ହେବାକୁ ପଡେ , ଯାହାକି ଅତ୍ୟନ୍ତ କ୍ଳେଶପ୍ରଦ ବା କଠିନ କାର୍ଯ୍ୟ । ଏହା ସହଜ ସାଧ୍ୟ ହୋଇପାରେ ନାହିଁ । ଶ୍ରୀମଦ୍ ଭଗବଦ୍ ଗୀତାରେ ଉଲ୍ଲେଖ ଅଛି – କ୍ଳେଶୋଧିକତରସ୍ତେଷାମବ୍ୟକ୍ତ ସକ୍ତଚେତସାମ୍ ।”
ପ୍ରକୃତରେ ଏକ ନିର୍ଦ୍ଦିଷ୍ଟ ରୂପ ଓ ଗୁଣ ପ୍ରତି ସହଜରେ ଆସକ୍ତି ହେବା ମଣିଷର ଏକ ସହଜାତ ପ୍ରବୃତ୍ତି । ତେଣୁ ଜ୍ଞାନ ମାର୍ଗ ବା ଯୋଗମାର୍ଗ ଅପେକ୍ଷା ଭକ୍ତିମାର୍ଗରେ ତାହା ସମ୍ଭବ ହୋଇଥାଏ । ରାଗ ବା ଆସକ୍ତି ଭକ୍ତିର ମୂଳସୂତ୍ର । ଏହି ଆସକ୍ତି ପରମାବିଷ୍ଟତାକୁ ଲାଭ କଲେ ତାହା ଭକ୍ତିରେ ପରିଣତ ହୋଇଥାଏ । ସାଂଖ୍ୟ , ଯୋଗ , ସ୍ୱାଧ୍ୟାୟ ତପ , ତ୍ୟାଗ ଅପେକ୍ଷା ଭକ୍ତିଯୋଗ ଶ୍ରେଷ୍ଠ । କୁହାଯାଏ ଉତ୍ତମା ଭକ୍ତି ଭଗବାନଙ୍କୁ ଯେମିତି ବଶୀଭୂତ କରିପାରେ ଅନ୍ୟ କେଉଁଠିରେ ଏଭଳି ସମ୍ଭବ ହୋଇପାରେ ନାହିଁ । ଶ୍ରୀମଭାଗତ କୁହାଯାଇଛି – ” ନ ସାଧୟତି ମାଂ ଯୋଗୋ ନ ସାଂଖ୍ୟଂ ଧର୍ମ ଉଦ୍ଧବ / ନ ସାଧ୍ୟାୟସ୍ତପସ୍ତ୍ୟାଗୋ ଯଥା ଭକ୍ତିର୍ମମୋର୍ଜ୍ଜିତା । ଭକ୍ତ୍ୟା£ହମେକୟା ଗ୍ରାହ୍ୟଃ ଶ୍ରଦ୍ଧୟାତ୍ମା ପ୍ରିୟଃ ସତାମ୍ / ଭକ୍ତିଃ ପୁନାତି ମନ୍ନିଷ୍ଠା ଶ୍ୱପାକାନପି ସମ୍ଭବାତ୍ ।” ଶ୍ରୀମଭଗବଦ୍ ଗୀତାରେ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହିଛନ୍ତି – ସେହି ପରମ ପୁରୁଷ ଭକ୍ତି ବ୍ୟତୀତ ଅନ୍ୟ କୌଣସି ଉପାୟରେ ମିଳନ୍ତି ନାହିଁ ।
ଭକ୍ତି ସଂପର୍କରେ ଶ୍ରୀମଭଗବଦ୍ ଗୀତାରେ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ସୂଚେଇ ଦେଇ କହିଛନ୍ତି – ଯେ ମୋତେ ଭକ୍ତିରେ ସେବା କରେ , ସେ ମୋ ମଧ୍ୟରେ ଏବଂ ମୁଁ ତା ମଧ୍ୟରେ ଅବସ୍ଥାନ କରେ । ବସ୍ତୁତଃ ଭକ୍ତି ଉପାସକ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପାର୍ଥକ୍ୟ କିଛି ନାହିଁ । ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ବିଶ୍ୱରୂପ ପ୍ରଦର୍ଶନ କରିବା ବେଳେ କହିଛନ୍ତି , ତାଙ୍କର ଏହି ରୂପକୁ କେବଳ ଭକ୍ତି ଦ୍ବାରା ଦର୍ଶନ କରିହୁଏ । ଭଗବାନ କେବଳ ଭକ୍ତି ଯୋଗ ମାଧ୍ୟମରେ ପ୍ରାପ୍ତି ହୁଅନ୍ତି ଏକଥାକୁ ଶ୍ରୀକୃଷ୍ଣ ଅର୍ଜ୍ଜୁନ ନିକଟରେ ପ୍ରକାଶ କରିଛନ୍ତି- ମନ୍ମନା ଭବ ମଭକ୍ତୋ ମଦ୍ ଯାଜୀ ମାଂ ନମସ୍ମୃରୁ / ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ।” କେବଳ ଶ୍ରୀମଦ୍ ଭଗବଦ୍ ଗୀତାରେ ନୁହେଁ , ବିଭିନ୍ନ ଶ୍ରୂତିଗ୍ରନ୍ଥ ଓ ଉପନିଷଦରେ ଭକ୍ତି ଯୋଗର ମହିମା ଆଲୋଚିତ । ମାଠର ଶ୍ରୂତିଗ୍ରନ୍ଥରେ ଉଲ୍ଲେଖ ଅଛି – ଭକ୍ତିରେବ ଏନଂ ନୟତି , ଭକ୍ତିରେବ ଏନଂ ଦର୍ଶୟତି / ଭକ୍ତିଦଶଃ ପୁରୁଷଃ , ଭକ୍ତିରେବ ଭ୍ୱୟସୀ ।” ତେଣୁ ଏ କଳିଯୁଗରେ ଭକ୍ତ ନିଜର ଭକ୍ତି ଦ୍ଵାରା ଭଗବାନଙ୍କୁ ପ୍ରାପ୍ତି ସ୍ୱୟଂ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କ ନିକଟରେ ପ୍ରକାଶ କରିଛନ୍ତି ତାହାହିଁ ଆଜିର ଭକ୍ତ ସମାଜ ହୃଦୟଙ୍ଗମ କରି ପାରିଲେ ଶ୍ରୀମଦ୍ ଭଗବଦ୍ ଗୀତା ପ୍ରତି ଦୃଢ ବିଶ୍ୱାସ ରଖିଲେ ଏ କଳିକାଳ କଳୁଷିତ ସମାଜରୁ ମୁକ୍ତି ପାଇପାରିବ – ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ…!!!
**********************************
ଡକ୍ଟର ଲକ୍ଷ୍ମଣ ସାହୁ, ଓଡିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ, ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ – ୪, ଦୂରଭାଷ : ୯୦୪୦ ୧୫୧୪୭୫