ମହାନଦୀ ଗର୍ଭେ ଶୋଭିତ ରମ୍ୟ ଶିଳା ପର୍ବତ
ପ୍ରାଚୀନ ଐତିହ୍ୟ ମଣ୍ଡିତ ସିଂହନାଥ ପୂଜିତ ।
ନଦୀର ବକ୍ଷରେ ନଉକା ଧୀରେ ଧୀରେ ସଂଚାଳି
ଅପରୂପ ଶୋଭା ରାଶିର ସ୍ମୃତି ଉଠେ ଉଚ୍ଛୁଳି ।
କଟକ ସହରରୁ ଖଣ୍ଟୁଣୀ ଆଠଗଡ ଦେଇ ନରସିଂହପୁର ଆଡକୁ ଗଲେ ବାଟରେ ପଡ଼େ ବଡମ୍ବାଗଡ । ଏହା ପୂର୍ବେ ଏକ ଗଡଜାତ ରାଜ୍ୟ ଥିଲା । ସିଂହନାଥ ଓ ଭଟ୍ଟାରିକାଙ୍କ ପାଇଁ ବଡମ୍ବା ଅଂଚଳ ଜଣାଶୁଣା । ବଡମ୍ବାଗଡ ଠାରୁ ପୂର୍ବ ଦିଗରେ ମହାନଦୀ ଆଡକୁ ପାଞ୍ଚ କିଲୋମିଟର ଗଲେ ପଡ଼େ ଗୋପୀନାଥପୁର । ଏଠାରୁ ମହାନଦୀର ମଧ୍ୟଭାଗରେ ପଡ଼େ ସିଂହନାଥ ପାହାଡ଼ । ଏଠାରେ ଶ୍ରୀ ସିଂହନାଥ ଦେବଙ୍କ ପୀଠ ବିଦ୍ୟମାନ । ମହାନଦୀ ଏହି ପାହାଡ଼ର ଦୁଇ ପାଖରେ ପ୍ରବାହିତ । ଏହାର ଉତ୍ତର-ପଶ୍ଚିମ ପାର୍ଶ୍ୱରେ ଗୋପୀନାଥପୁର ଓ ତୁଣପୁର ଆଦି ଗ୍ରାମ ଥିବାବେଳେ ପୂର୍ବ ଦକ୍ଷିଣ ପାଶ୍ୱର୍ରେ ବୈଦେଶ୍ୱର ଗ୍ରାମ ପଡେ । ବୈଦେଶ୍ୱର ଆଡୁ ମଧ୍ୟ ଏହି ପୀଠକୁ ଆସିହେବ । ବାଙ୍କୀ, ଖୋରଧା, ବେଗୁନିଆ, ବୋଲଗଡ, ଖଣ୍ଡପଡା ଓ ରଣପୁର ଅଂଚଳର ଲୋକମାନେ ବୈଦେଶ୍ୱର ଦେଇ ଏହି ପୀଠକୁ ଆସିଥାନ୍ତି । ବୈଦ୍ୟଶ୍ୱରଠାରେ ମହାନଦୀରେ ବର୍ଷସାରା ପାଣି ରହୁଥିବାରୁ ଯାତ୍ରୀମାନେ ଡଙ୍ଗାର ଆଶ୍ରୟ ନେଇଥାନ୍ତି । ବୈଦେଶ୍ୱରର ନଦୀକୂଳରେ ବୈଦ୍ୟନାଥ ଓ ଏହି କୂଳର ପୂର୍ବ ଦିଗରେ ରାମନାଥ ଶିବଙ୍କ ମନ୍ଦିର ରହିଛି । ଏହି ତିନୋଟି ଶିବମନ୍ଦିର ସମାନ ଦୂରତାରେ ଥାଇ ଏକ ତ୍ରିକୋଣ ସୃଷ୍ଟି କରିଛନ୍ତି । ଏହି ତିନିଠାକୁରଙ୍କ ଆବିର୍ଭାବ ନେଇ ବହୁ ଲୋକକଥା ଓ କିଂବଦନ୍ତୀମାନ ରହିଛି ।
.ପ୍ରଭୁ ଶ୍ରୀରାମ, ପତ୍ନୀ ସୀତା ଏବଂ ଅନୁଜ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ଭାରତବର୍ଷର ବିଭିନ୍ନ ସ୍ଥାନ ପରିଭ୍ରମଣ ପରେ ଏହି ସ୍ଥାନରେ ପହଞ୍ଚିଥିଲେ । ମହାନଦୀର ମଧ୍ୟଭାଗରେ ଥିବା ଏହି ପାହାଡ଼ରେ ଲକ୍ଷ୍ମଣ ସିଂହନାଥ ଦେବଙ୍କୁ ପ୍ରତିଷ୍ଠା କରିଥିବାବେଳେ ପ୍ରଭୁ ରାମଚନ୍ଦ୍ର ବୈଦ୍ୟଶ୍ୱର ଗ୍ରାମର ପୂର୍ବ ଦିଗରେ ନଦୀକୂଳରେ ଥିବା ଏକ ଛୋଟ ପାହାଡ଼ ଉପରେ ରାମନାଥ ଦେବଙ୍କୁ ପ୍ରତିଷ୍ଠା କରିଥିଲେ । ମାତା ସୀତା ମହାନଦୀ ସଂଲଗ୍ନ ବୈଦ୍ୟନାଥ ପାହାଡ଼ ତଳେ ବୈଦ୍ୟନାଥ ଦେବଙ୍କୁ ସା୍ଥପନ କରି ପୂଜା କରିଥିଲେ । ଏହି ତିନୋଟି ପୀଠ ଥିବା ଅଂଚଳକୁ ତ୍ରିକୂଟ ମଧ୍ୟ କୁହାଯାଏ ।
କବିଙ୍କ ଭାଷାରେ-
ରାମ ରାମନାଥ ସୀତା ବୈଦ୍ୟନାଥ, ଲକ୍ଷ୍ମଣ ସ୍ଥାପିଲେ ବାଲି ସିଂହନାଥ,
ଯହିଁ ଅଦ୍ୟାବଧି ତିନି ମୂର୍ତ୍ତି ହର, ତ୍ରିଭୁଜାକୃତିରେ ରାଜେ ମନୋହର ।
କବିବର ରାଧାନାଥ ରାୟ ‘ନନ୍ଦିକେଶ୍ୱରୀ’ କାବ୍ୟରେ ଏହାର ସ୍ଥିତି ନିମ୍ନମତେ ପ୍ରକାଶ କରିଛନ୍ତିି ।
ବସନ୍ତି ଉତ୍ତର ତଟେ ଭଟ୍ଟାରିକା
ଦକ୍ଷିଣେ ନାବିକ ଅର୍ଚ୍ଚିତ ଚର୍ଚ୍ଚିକା ।
ସ୍ରୋତେ ଶୈଳ ଶୃଙ୍ଗେ ଶଶାଙ୍କଶେଖର
ସିଂହନାଥ ପୁଣି ଧବଳ ଈଶ୍ୱର ।
ଜନଶ୍ରୁତିରୁ ଜଣାଯାଏ ସିଂହନାଥ ମନ୍ଦିର ପ୍ରାଚୀନ ହେଲେ ମଧ୍ୟ ଏହା ଅନେକ ବର୍ଷଧରି ଲୋକ ଅଗୋଚରରେ ରହି ଆସିଥିଲା । ଏହାକୁ ବାଲି ସିଂହନାଥ କୁହାଯାଉଥିଲା । ଏହାର ଅନ୍ୟନାମ ହୁଙ୍କା ମନ୍ଦିର ଥିଲା । ୧୯୩୦ ମସିହାରେ ଏହି ମନ୍ଦିରର ପୁନରୁଦ୍ଧାର କରାଗଲା । ମନ୍ଦିର ଭିତରେ ଏକ ବଜ୍ରପାଣି ବୌଦ୍ଧମୂର୍ତ୍ତି ଅଛି । ତେଣୁ ଏହି ଅଂଚଳରେ ବଜ୍ରଯାନ ବା ତନ୍ତ୍ରଯାନ ପ୍ରସାର ଲାଭ କରିଥିବା ଜଣାଯାଏ । ଏବେ ମଧ୍ୟ ବଡମ୍ବାର ମାଣିଆବନ୍ଧ ଓ ବାଙ୍କୀର ବ୍ରହ୍ମପୁରା ଗ୍ରାମରେ ବୈାଦ୍ଧ ଧର୍ମାବଲମ୍ବୀ ଲୋକମାନେ ଅଧିକ ସଂଖ୍ୟାରେ ବାସ କରୁଛନ୍ତି । କେହି କେହି ମଧ୍ୟ ବୈଦ୍ୟଶ୍ୱର ଗ୍ରାମର ନାମ ପୂର୍ବେ ବୌଦ୍ଧେଶ୍ୱର ଥିଲା ବୋଲି କହିଥାନ୍ତି । ଏପରିକି ବୌଦ ଜିଲ୍ଲାର ନାମ ପୂର୍ବେ ବୈାଦ୍ଧôଲା ବୋଲି କୁହାଯାଏ । କେବଳ ଉକ୍ତ ଅଂଚଳ ନୁହେଁ ସମଗ୍ର ଓଡ଼ିଶାରେ ବୌଦ୍ଧମାନେ ଅଧିକ ସଂଖ୍ୟାରେ ବାସକରୁଥିଲେ । ଚାଳିଶ ବର୍ଷପୂର୍ବେ ବୈଦ୍ୟଶ୍ୱର ଗ୍ରାମଠାରେ ବୌଦ୍ଧଧର୍ମର ଏକ ସ୍ତୂପ ଆବିଷ୍କୃତ ହୋଇଥିବାରୁ ଏହି ଅଂଚଳରେ ବୌଦ୍ଧ ଧର୍ମାବଲମ୍ବୀମାନେ ବହୁ ସଂଖ୍ୟାରେ ବାସ କରୁଥିଲେ ବୋଲି ପ୍ରାବନ୍ଧିକ ଚନ୍ଦ୍ରଶେଖର ମହାନ୍ତି ଓ ପ୍ରମୋଦ କୁମାର ରାଉତ ମତ ଉପସ୍ଥାପନ କରିଛନ୍ତି।
ବହୁବର୍ଷ ପୂବେ ସିଂହନାଥ ପୀଠରେ ଏକ ଛୋଟ ମନ୍ଦିରଟିଏ ଥିଲା । ଏହି ପୀଠର ମହତ୍ତ୍ୱ ସମ୍ବଦ୍ଧରେ ଲୋକମାନେ ଅବଗତ ନଥିଲେ । ଜନଶ୍ରୁତି ଅନୁସାରେ ସ୍ଥାନୀୟ ଅଂଚଳର ଗାଈ, ଛେଳି, ମେଣ୍ଢା ଘାସ ଚରିବାକୁ ପାହାଡ଼ ଉପରକୁ ଆସିଥାନ୍ତି । ଛେଳି ଗୋଡ଼ରେ ଥିବା ଲୁହାବଳା ଘରକୁ ଆସିଲାବେଳକୁ ସୁନା ପାଲଟିଯାଏ । ଏଭଳି ଅଦ୍ଭୁତ ଘଟଣା ଯେତେବେଳେ ଚର୍ଚ୍ଚାକୁ ଆସିଲା ସେତେବେଳେ ତାହା ରାଜା, ମହାରାଜାମାନଙ୍କୁ ପୀଠଟିର ମହତ୍ତ୍ୱ ବିଷୟରେ ଅବଗତ କରାଇଲା । ଫଳରେ ଓଡ଼ିଶାର କେଶରୀ ବଂଶର ରାଜା ଲଲାଟେନ୍ଦୁ କେଶରୀଙ୍କ (ଖ୍ରୀ. ୬୩୧ ରୁ ୬୭୫) ସମୟରେ ବର୍ତ୍ତମାନର ସିଂହନାଥ ମନ୍ଦିର ନିର୍ମିତ ହୋଇଥିବା ଐତିହାସିକମାନେ ମତ ଦିଅନ୍ତି । ଏହି ମନ୍ଦିରର ଭାସ୍କର୍ଯ୍ୟ ଓ ଚିତ୍ରକଳା ଅତ୍ୟନ୍ତ ଉଚ୍ଚକୋଟୀର । ଶିଳ୍ପୀର ଶିଳ୍ପ ଚାତୁରୀ ଫୁଟି ଉଠିଛି ମନ୍ଦିର ଗାତ୍ରରେ ଓ ପ୍ରସ୍ତର ଗୁମ୍ଫାରେ । ମନ୍ଦିରର କୋଣ ଖମ୍ବମାନ ମଧ୍ୟ ଏକ ଆକର୍ଷଣ । ଏଗୁଡିକ ଆକାରରେ ଦୀର୍ଘ ଏବଂ ସରୁଆ । ମନ୍ଦିରର ପାର୍ଶ୍ୱ ଠଣାମାନଙ୍କୁ ଏହା ଧରି ରଖିଛି । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର ସହିତ ଏହି ମନ୍ଦିରର ସାମଞ୍ଜସ୍ୟ ରହିଛି । ମନ୍ଦିରଟି ବଉଳମାଳିଆ ପ୍ରସ୍ତରରେ ନିର୍ମିତ ହୋଇଥିବାବେଳେ ଏହାର ଉଚ୍ଚତା ୨୫୦ ଫୁଟ ବା ୭୭ ମିଟର । ମନ୍ଦିରଟି ରେଖଦେଉଳ ଶ୍ରେଣୀୟ । ଏହାର ଜଗମୋହନ ସମତଳ ଛାତ ବିଶିଷ୍ଟ । ମନ୍ଦିରଟି ତ୍ରିସ୍ତରୀୟ ସମନ୍ୱୟରେ ଗଠିତ ।
ସିଂହନାଥ ପୀଠଟି ତିରିଶ ଏକର ଜମି ଉପରେ ଅବସ୍ଥିତ ଥିଲା । ପରେ ନଦୀଜଳ ପ୍ରବାହିତ ହେତୁ ଏହାର କିଛି ଅଂଶ ନଦୀ ଗର୍ଭରେ ବିଲୀନ ହୋଇଛି । ସିଂହନାଥ ମନ୍ଦିରର ଚତୁଃର୍ପାର୍ଶ୍ୱରେ ରାମାୟଣ ଓ ମହାଭାରତର ଅଶ୍ୱାରୋହୀ ଓ ଗଜାରୋହୀମାନଙ୍କର ଯୁଦ୍ଧ ଅଭିଯାନ ଚିତ୍ର ଖୋଦିତ । ଗଣେଶ, କାର୍ତ୍ତିକେୟ, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ହରିହର, ବରାହ, ଗଙ୍ଗାଧର, ଅଘାସୁର, ବକାସୁର, ବାମନ, ପୁତନା, ଗଙ୍ଗା, ଯମୁନା, ସୂର୍ଯ୍ୟ, ନାରାୟଣ, ରାମ, ଲକ୍ଷ୍ମଣ, ମଙ୍ଗଳା, ଅର୍ଦ୍ଧନାରୀଶ୍ୱର, ଶିବ, କୃଷ୍ଣ, ତ୍ରିବିକ୍ରମ, ସପ୍ତମାତୃକା, ଅଗ୍ନି ଆଦି ଦେବଦେବୀଙ୍କ ମୂର୍ତ୍ତିମାନ ରହିଅଛି । ଏଠାରେ ଥିବା ଏକପାଦ ଭୈରବ ମୂ୍ର୍ତ୍ତି ଓଡ଼ିଶାର ଅନ୍ୟ କୌଣସିଠାରେ ଦେଖାଯାଏ ନାହିଁ । ମୁଖ୍ୟ ମନ୍ଦିର ବେଢା ମଧ୍ୟରେ ଅନ୍ନପୂର୍ଣ୍ଣା, ପାର୍ବତୀ ସୋମନାଥ, ଲୋକନାଥ, ଈଶାନେଶ୍ୱରୀ, ନାରାୟଣୀ, ନୀଳମାଧବ, ବାଲୁକେଶ୍ୱର, ଯମେଶ୍ୱର, ମଲ୍ଲିକେଶ୍ୱର ଏବଂ ସାବିତ୍ରୀ ସତ୍ୟବାନଙ୍କ ପାଇଁ କ୍ଷୁଦ୍ର କ୍ଷୁଦ୍ର ମନ୍ଦିର ରହିଛି । ସାବିତ୍ରୀ ଅମାବାସ୍ୟା ଦିନ ଗୋପୀନାଥପୁର, ତୁଣପୁର, ସାତକୁଡିଆ, ମୁଗଗହୀର ଗ୍ରାମର ଲୋକମାନେ ଏଠାରେ ଥିବା ସାବିତ୍ରୀ ସତ୍ୟବାନ ମନ୍ଦିରରେ ବହୁ ବର୍ଷଧରି ପୂଜା କରିଆସୁଥିଲେ ବୋଲି ତୁଣପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ବୃନ୍ଦାବନ ଚନ୍ଦ୍ର ଚୈଧୁରୀ ମତ ଦେଇଥିଲେ । ତେବେ ସଂପ୍ରତି ବିବାହିତ ମହିଳାମାନଙ୍କର ସାବିତ୍ରୀ ବ୍ରତ ପୂଜା ପାଇଁ ଏଠାକୁ ଆସିବା ପ୍ରାୟତଃ କମିଯାଇଛି ।
.
ସିଂହନାଥ ପାହାଡ଼ର ପଶ୍ଚିମ ଦିଗରେ ମାମୁୁ, ଭଣଜା ଯୁଗଳ ପଥର ରହିଛି । ଲୋକେ କୁହନ୍ତି ମାମୁ ଭଣଜା ଉପରେ ପ୍ରତିଶୋଧ ପରାୟଣ ହୋଇଥିବାରୁ ମାମୁ ପଥର ଧୀରେ ଧୀରେ ସାନ ହୋଇଆସୁଛି । ଭଣଜା ପଥର ବଡ ହୋଇ ରହିଛି । ଏଭଳି କିଂବଦନ୍ତୀ ରହିଛି ଚିଲିକାକୂଳ ମାମୁ ଭଣଜା ପାହାଡ଼କୁ ନେଇ । ସେଠାରେ ମଧ୍ୟ ମାମୁ ପାହାଡ଼ ସାନ ହୋଇ ଯାଉଥିବାବେଳେ ଭଣଜା ପାହାଡ଼ର ଉଚ୍ଚତା ଅପରବର୍ତ୍ତିତ ରହିଛି । ସିଂହନାଥ ପୀଠର ଉତ୍ତର ଦିଗରେ ଏକ ବୃହତ୍ ପ୍ରସ୍ତର ରହିଛି । ଏହା କୁଞ୍ଜ ପ୍ରସ୍ତର ନାମରେ ପରିଚିତ । ଏଠାରେ ମହାନଦୀର ଉତ୍ତୁଙ୍ଗ ଲହରୀ ଏହି ପଥର ଦେଇ ଅତିକ୍ରମ କଲାବେଳେ ଚକାଭଉଁରୀ ରୂପନିଏ । ଏହି ଗଭୀର ଗଣ୍ଡ ମଧ୍ୟଦେଇ ନାବିକମାନେ ଯାତାୟାତ କଲାବେଳେ ମନରେ ଭୀତିସଞ୍ଚାର ହୋଇଥାଏ । ପୁନଶ୍ଚ ପାହାଡ଼ ମଧ୍ୟଭାଗରେ ଦେଖାଯାଏ ନିଭୃତ ଗୁମ୍ଫାମାନ । କେହି କେହି ସଂସାର ତ୍ୟାଗୀ ଏଠାରେ ଶିବ ପଞ୍ଚାକ୍ଷର ମନ୍ତ୍ର ଗାନକରି ନିର୍ଜନତାକୁ କେତେକାଂଶରେ ଭାଙ୍ଗିଥାନ୍ତି । ତାଳ, ତମାଳ. ଫାଶୀ, ଦେବଦାରୁ, ବାଉଁଶ ବୃକ୍ଷରେ ସମଗ୍ର ପୀଠଟି ବିମଣ୍ଡିତ । ଏହି ପୀଠର ସୁଷମା ଦିବାଲୋକରେ ଯେତିକି ମନୋମୁଗ୍ଧକର, ଚନ୍ଦ୍ରାଲୋକରେ ସେତିକି ଉପଭୋଗ୍ୟ । ବିଗତ କିଛି ବର୍ଷ ଧରି ସିଂହନାଥ ପୀଠର ବିକାଶ ପ୍ରତି ଉଭୟ ସରକାର ଓ ଜନସାଧାରଣଙ୍କ ପକ୍ଷରୁ ଯତ୍ନ ନିଆଯାଉଛି । ଏହି ମନ୍ଦିର ପାଇଁ ସ୍ଥାନୀୟ ସିଂହନାଥ ଉନ୍ନୟନ କମିଟି ପକ୍ଷରୁ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି । ୧୯୫୮ ମସିହାରେ ଭାରତ ସରକାରଙ୍କ ପୁରାତନ ମନ୍ଦିର ରକ୍ଷଣାବେକ୍ଷଣ ଅଧିନିୟମ ୨୪ ଅନୁଯାୟୀ ପୀଠଟି ଜାତୀୟ ପର୍ଯ୍ୟଟନସ୍ଥଳୀ ଘୋଷିତ ହୋଇଛି । ଏହା ସତ୍ତ୍ୱେ ଏହି ପର୍ଯ୍ୟଟନସ୍ଥଳୀର ବିକାଶ ହୋଇ ନଥିଲା । କିନ୍ତୁ ବଡମ୍ବାର ବିଧାୟକ ଦେବୀ ପ୍ରସାଦ ମିଶ୍ର ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଥିବାବେଳେ ଏହି ପୀଠର ଆଶାନୁରୂପେ ବିକାଶ ଘଟିଛି । ଫଳରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ସିଂହନାଥ ପୀଠରେ ବିଭିନ୍ନ ସେବା କାର୍ଯ୍ୟ ପାଇଁ ଚାରିଶହ ଏକରରୁ ଊର୍ଦ୍ଧ୍ୱ ଭୂସମ୍ପତ୍ତି ରହିଛି । ଏଠାରେ ମାଳୀ ଜାତିର ପୂଜକମାନେହିଁ ସେବା କରିଥାନ୍ତି । ଠାକୁରଙ୍କର ଦିନରେ ଦୁଇଥର ଭୋଗଲାଗି ହୋଇଥାଏ । ଠାକୁରଙ୍କ ମୁଖ୍ୟ ପର୍ବ ମଧ୍ୟରେ ମାଘମାସରେ ମକର ଯାତ୍ରା ପ୍ରଧାନ । ଚିଲିକାର କାଳିଜାଈ, ଟାଙ୍ଗୀର ଚଣ୍ଡେଶ୍ୱର ଓ ଅଟ୍ରିର ହଟ୍ଟକେଶ୍ୱରଙ୍କ ପୀଠଭଳି ଏଠାରେ ମଧ୍ୟ ମକର ସଂକ୍ରାନ୍ତି ଦିନ ପ୍ରବଳ ଜନସମାଗମ ହୋଇଥାଏ । ଯାତ୍ରା ପୂର୍ବରୁ ଲୋକମାନଙ୍କ ଯାତାୟାତ ନିମନ୍ତେ ଗୋପୀନାଥପୁରରୁ ସିଂହନାଥପୀଠ ପର୍ଯ୍ୟନ୍ତ ନଦୀବାଲି ଉପରେ ଏକ ଖରାଦିନିଆ ଅସ୍ଥାୟୀ ରାସ୍ତା ନିର୍ମିତ ହୋଇଥାଏ । ଫଳରେ ଯାତ୍ରୀମାନେ ମଟରଯାନ ସାହାଯ୍ୟରେ ଏଠାକୁ ଆସି ପାରିଥାନ୍ତି । ଜଣାଯାଏ, ବଡମ୍ବାର ତତ୍କାଳୀନ ରାଜା ମାଧବ ଚନ୍ଦ୍ର ରାଉତ (ଖ୍ରୀ ୧୫୧୫ ରୁ ୧୫୩୭) ଏହି ମକର ଯାତ୍ରା ଆରମ୍ଭ କରିଥିଲେ ।
ମକର ସଂକ୍ରାନ୍ତି ଭଳି ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀର ଶିବରାତ୍ରି ଏକ ବଡ ପର୍ବ । ଏହା ଏଠାରେ ଧୁମଧାମରେ ପାଳିତ ହୋଇଥାଏ । ଭକ୍ତମାନେ ଦୁଧ, ଦହି, ଘୃତ, ମହୁରେ ଶିବଲିଙ୍ଗକୁ ଅଭିଷେକ କରି ନାନାବିଧ ଧୂପ, ପୁଷ୍ପ ସମର୍ପଣ କରିଥାନ୍ତି । ପୁନଶ୍ଚ ଶ୍ରାବଣ ମାସର ପ୍ରତି ସୋମବାର ଦିନ ଏଠାକୁ ଭକ୍ତମାନଙ୍କ ସମାଗମ ହୋଇଥାଏ । ବିଭିନ୍ନ ଅଞ୍ଚଳରୁ ଭକ୍ତମାନେ ଠାକୁରଙ୍କ ନିକଟରେ ନିଷ୍ଠାର ସହ ଜଳ ଢାଳନ୍ତି । ହରହର ବମ୍ ଧ୍ୱନିରେ ସ୍ଥାନ ପ୍ରକମ୍ପିତ ହୁଏ ।
ଏହି ପର୍ଯ୍ୟଟନସ୍ଥଳୀ ବାସ୍ତବରେ ଏକ ରମଣୀୟ ସ୍ଥାନ । ପର୍ଯ୍ୟଟକମାନେ ଏହାର ପ୍ରାକୃତିକ ଶୋଭା ଦେଖିବା ସହିତ ମହାନଦୀରେ ନୌବିହାର, ବଣଭୋଜି, ଦେବ ଦର୍ଶନ, ଗୁମ୍ଫା ଆଦି ଦେଖି ଆନନ୍ଦିତ ହୋଇଥାନ୍ତି । ଗୋପୀନାଥପୁରରୁ ପୀଠ ପର୍ଯ୍ୟନ୍ତ ସ୍ଥ୍ରାୟୀ ପୋଲ ନିର୍ମାଣ କରାଗଲେ ଏହା ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ରୂପେ ପ୍ରତିଷ୍ଠା ଲାଭ କରିପାରନ୍ତା ବୋଲି ମତ ଦେଇଛନ୍ତି ତୁଣପୁର ନିବାସୀ ନିଶ୍ଚେତକ ବିଭାଗ ଡାକ୍ତର ଯୋଗେଶ ଚନ୍ଦ୍ର ଚୌଧୁରୀ ।
ପ୍ରଭୁ ସିଂହନାଥ ତ୍ରିକୂଟ ମଧ୍ୟେ ହୋଇ ପ୍ରକଟ
ପାପୀ ତପି ସବୁ ତାରନ୍ତି ଖୋଲି ତାଙ୍କ ଗୁମୁଟ
ସ୍ରୋେତେ ସ୍ରୋତସ୍ୱିନୀ ସାଦରେ ନମେ ତାଙ୍କ ଚରଣ
ବିଭୋର ଭାବୁକେ ଭୁଲନ୍ତି ଦେଖି ଶୋଭା ବରଣ
ଭବାନିଶଙ୍କର ପୀଠ ଏ ସାରା ବରଷ ମେଳା
ଭାବରେ ଭକତେ ଭାସନ୍ତି ନାମ କରିଣ ଭେଳା ।
**********
ସତ୍ୟବାଦୀ ବଳିଆରସିଂ, ଖୋର୍ଦ୍ଧା
Very nice place. The description is nice and highlights the place. One should visit atleast once in lifetime.