ବୈଦ୍ୟୁତିକ ଗଣମାଧ୍ୟମ

.

ସଂପ୍ରତି ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକ ମଧ୍ୟରେ ଗଳାକଟା ପ୍ରତିଯୋଗିତା ଚାଲିଛି । ଟିଆରପି ସାଜିଛି ନିର୍ଣ୍ଣାୟକ । ବିଜ୍ଞାପନ ଓ ବ୍ୟବସାୟ ଗଣମାଧ୍ୟମର ବିଷୟବସ୍ତୁ ଚୟନର ମୁଖ୍ୟ ମାପକାଠି ହୋଇଛି । ଏଇ ପ୍ରତିଯୋଗିତାରେ ପ୍ରତିଦ୍ୱନ୍ଦୀ ଚ୍ୟାନେଲର କୁତ୍ସାରଟନା ବି ଚାଲିଛି । ଗୁଡ଼େ ମିଛ ଖବରକୁ ବି ସାମ୍ନାକୁ ଅଣାଯାଉଛି । ଏଭଳି ହେବା ଫଳରେ ଖବର ପ୍ରତି ଦର୍ଶକଙ୍କ ବିଶ୍ୱସନୀୟତା କମୁଛି । ଚାଂଚଲ୍ୟସୃଷ୍ଟିକାରୀ ଖବରକୁ ଅନେକ ଚ୍ୟାନେଲ ଗୁରୁତ୍ୱ ଦେଉଛନ୍ତି, ଭଲ ଖବର ପାଇଁ ଜାଗା ନାହିଁ । ଆଜ୍ଞା ମିଡିଆ ବା ଗଣମାଧ୍ୟମ ହେଉଚି ଗଣଙ୍କ ପାଇଁ, ଜଣଙ୍କ ପାଇଁ ନୁହେଁ । ଆମ ସମାଜ ବ୍ୟବସ୍ଥା, ଶାସନ ବ୍ୟବସ୍ଥା, ସବୁଠି ଗଣ ମୁଖ୍ୟ, ଜଣ ଗୌଣ ବୋଲି କୁହାଯାଏ, ଲେଖାଯାଏ, ଭାଷଣ ଦିଆଯାଏ, ଆମ ଆଇନ ବି ସେୟା କହେ । ସେଥିପାଇଁ ଆମ ଦେଶ ପୃଥିବୀର ବଡ଼ ଗଣତନ୍ତ୍ର ଭାବେ ମାନ୍ୟତା ପାଇଛି । ସେଇ ମାନ୍ୟତାର ଖାତିରରେ ଆମ ଗଣତନ୍ତ୍ରର ଚତୁର୍ଥ ସ୍ତଂଭର ମାନ୍ୟତା ବି ଭାରି ଜୋର୍ ।

.

.   

ଗତ କିଛି ବର୍ଷ ଧରି ଆମ ଗଣମାଧ୍ୟମ ବି ଭାରି ଶକ୍ତିଶାଳୀ ହୋଇପଡ଼ିଛି । ବହୁ ଅସାଧ୍ୟ କାମ ଗଣମାଧ୍ୟମ କରିପାରୁଛି । ତେବେ ନିନ୍ଦୁକଙ୍କ ମତରେ, ଯେଉଁ ଖବର ପ୍ରସାରଣ ହେଲେ ସେଭଳି କିଛି ସାମୂହିକ ହିତ ସାଧିତ ହୋଇପାରେନା, ସେଭଳି ଖବର ହେଉଚି ଆଜିକାଲି ଅନେକ ଗଣମାଧ୍ୟମମାନଙ୍କର ମୁଖ୍ୟ ମାଧ୍ୟମ, ମୁଖ୍ୟ ବେପାର । ଘଟଣାକୁ ଅଧିକ ହଟଚମଟ/ଅତିରଂଜିତ କରି ପ୍ରକାଶନ/ପ୍ରସାରଣ କଲେ କାଳେ କାଟ୍‌ତି ବଢେ, କାଳେ ଭଲ ବ୍ଲାକମେଲିଙ୍ଗ୍ କରିହୁଏ । ବଂଧୁ, ଏଇଠି ଆସୁଚି ପେଡ୍ ନିଉଜ୍ ବା କିଣା ଖବରର ପ୍ରସଙ୍ଗ, ଯାହା ଚର୍ଚ୍ଚାର ବିଷୟ ପାଲଟିଛି ବିଭିନ୍ନ ଅଳିନ୍ଦରେ । ରାଜନୈତିକ, ବ୍ୟବସାୟିକ(କର୍ପୋରେଟ୍‌) ଆଦି କ୍ଷେତ୍ରରେ ପେଡ୍ ନିଉଜ୍‌ର ପ୍ରାବଲ୍ୟ ଦିନକୁ ଦିନ ବଢିଚାଲିଛି । ଯାହାଫଳରେ ଦିନକୁ ଦିନ ଆମ ଗଣମାଧ୍ୟମର ବିଶ୍ୱସନୀୟତା ଉପରେ ପ୍ରଶ୍ନଚିହ୍ନ ଲାଗିଯାଉଛି । ମୁଷ୍ଟିମେୟ କ୍ଷମତାଶାଳୀ, ପ୍ରଭାବଶାଳୀ, ବିତଶାଳୀ ଲୋକଙ୍କ ଦ୍ୱାରା ପରିଚାଳିତ ହେଉଚି ଆମ ଗଣମାଧ୍ୟମ । ଗଣମାଧ୍ୟମ କରିଥିବା ଅନେକ ସଂସ୍ଥା ଅନ୍ୟାନ୍ୟ କ୍ଷେତ୍ରରୁ ଅର୍ଜିତ/ଲୁଣ୍ଠିତ ହୋଇଥିବା କଳାଧନକୁ ସୁରକ୍ଷିତ ରଖିବା/ବର୍ଦ୍ଧିତ କରିବା ଏବଂ ନିର୍ଭୟରେ ଅସାଧୁ କାରବାର କରିବା ପାଇଁ ଗଣମାଧ୍ୟମକୁ ମୁଖା ଭାବରେ ବ୍ୟବହାର କରୁଛନ୍ତି । ଜନଗଣର ମତକୁ ପ୍ରଭାବିତ କରିବା ପାଇଁ ଗଣମାଧ୍ୟମର ଯେଉଁ ବଳିଷ୍ଠ ଭୂମିକା ରହିଛି, ତାହା କତିପୟ ମାଫିଆ ଗଣମାଧ୍ୟମ ମାଲିକ, ନିୟଂତ୍ରଣକାରୀ ତଥା ସାମ୍ବାଦିକଙ୍କ ଯୋଗୁଁ ନିନ୍ଦିତ ହେବାରେ ଲାଗିଛି ।

.

ପୋଖରୀରେ ଅଧିକ ଗୋଳିଆ ପାଣି ରହିଲେ ତାହା ଭଲପାଣିକୁ ବି ଗୋଳିଆ କରିଦବା ଭଳି ଅବସ୍ଥା ହେଇଛି ଏବେ ଆମ ମିଡିଆର । କମ୍ବଳ ଯାକ ତ କେଶ ସାଲୁବାଲୁ, ବାଛିବ କାହାକୁ? ବହୁସଂଖ୍ୟାରେ ଅସାଧୁ ବ୍ୟକ୍ତି/ସଂସ୍ଥାମାନେ ଏ କ୍ଷେତ୍ରରେ ପ୍ରବେଶ କରୁଥିବା ହେତୁ ପ୍ରକୃତ, କର୍ତ୍ତବ୍ୟନିଷ୍ଠ, ସଚ୍ଚା ସାମ୍ବାଦିକ ତଥା ସାମ୍ବାଦିକତାର ପ୍ରକୃତ ଧର୍ମ ନିର୍ବାହ କରୁଥିବା ଚ୍ୟାନେଲ୍‌ଗୁଡ଼ିକ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି । ଅତଏବ ଏ ସମୟରେ ସମୟର ବଡ଼ ଆହ୍ୱାନ ହେଲା, ମିଡିଆ ବା ଗଣମାଧ୍ୟମ ଜଣଙ୍କର ମାଧ୍ୟମ ନ ହେଉ…ଏହା କିଣା ମାଧ୍ୟମ ନ ହେଉ; ଏହା ସତ୍ୟ, ଧର୍ମ, ନ୍ୟାୟ, ମାନବିକତାର ମାଧ୍ୟମ ହେଉ । ମିଡିଆରେ ଥିବା ଅଳିଆ, ଅଗାଡ଼ିମାନଙ୍କୁ ନିକାଲି ଦେବାର ଏବଂ ସାମ୍ବାଦିକତା କ୍ଷେତ୍ରରେ ଥିବା ବିଭିନ୍ନ ଅସଂଗତି ଦୂର କରି ମିଡିଆକୁ ପେଶାଦାର, ନିରପେକ୍ଷ ଓ ନିର୍ଭୀକ ଭାବେ ଗଢିବାର/ସଜାଡ଼ିବାର/ଉତ୍ତରଦାୟୀ କରିବାର ସମୟ ଆସିଛି ।

Share

Related posts

2.5 2 votes
Rating
Subscribe
Notify of
guest
1 Comment
Newest
Oldest Most Voted
Inline Feedbacks
View all comments
Rudra Pradhan
Guest
Rudra Pradhan
4 years ago

A nice initiative. Hopefully it will cater to the quest for information of online audience. Thanks to the team of Press Affair.

1
0
Would love your thoughts, please comment.x
()
x