ସାମ୍ପ୍ରତିକ ପରିସ୍ଥିତିର ଅବସ୍ଥାକୁ ଅବଲୋକନ କଲେ ଆମେ କରୋନାର ଭୟାବହତାକୁ ଠିକ ଭାବେ ଅନୁଭବ କରିପାରିବା । ସାରା ବିଶ୍ୱରେ ଏବେ ଗୋଟିଏ କଥାକୁ ନେଇ ଖୁବ ଚର୍ଚ୍ଚା । ସମସ୍ତଙ୍କ ଫୋକସ୍ରେ ସେଇ ଗୋଟିଏ କଥା । ସମ୍ପ୍ରତି ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନା । ଆଜି ସବୁଆଡ଼େ କରୋନାକୁ ନେଇ ନାନା ବିତର୍କ । ସବୁ ଗଣମାଧ୍ୟମର ଶିରୋନାମା ସାଜିଛି କରୋନା । ଭୟାବହର ଆବରଣ ଭିତରେ ଫସି ରହିଛି ସମ୍ପୂର୍ଣ୍ଣ ମାନବସମାଜ । ଚୀନ , ଇଟାଲି , ଆମେରିକା ପରେ ପରେ ଭାରତ ଆଉ ଏବେ ଓଡ଼ିଶାରେ କରୋନା ସନ୍ଦିଗ୍ଧ ଚିହ୍ନଟ ହେବା ପରେ ଭୟର ପରିସର ଆହୁରି ବ୍ୟାପକ ହେବାରେ ଲାଗିଲାଣି । ଏହାରି ମଧ୍ୟରେ ଗୁଜବର ବଜାର ବି ବେଶ ବଢ଼ିବାରେ ଲାଗିଛି । ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି ନାହଁ ନଥିବା ଆତଙ୍କ । ମୃତ୍ୟୁର ମାୟାଜାଲ ରଚିସାରିଲାଣି ଏହି କରୋନା । ସମୟର ସାରାଂଶରେ ଏହା ଏବେ ସମାଜ ପାଇଁ ସାଜିଛି ଏକ ପ୍ରମୁଖ ଶୀର୍ଷକ । ଏବର ପରିସ୍ଥିତିକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ଭାବେ ଅନୁମେୟ ଯେ କରୋନାକୁ ନେଇ କେବଳ ଦେଶ କାହିଁକି ସାରା ବିଶ୍ୱ ଏବେ ଆତଙ୍କର ପରିସୀମା ଭିତରେ ଦିନ କାଟୁଛି । ଆଉ ଏପଟେ କରୋନା ପାଇଁ ସେମିତି କିଛି ସ୍ୱତନ୍ତ୍ର ଭ୍ୟାକସିନ ପ୍ରସ୍ତୁତ ହୋଇ ନଥିବା ବେଳେ ଏହା ମୁଣ୍ଡବିନ୍ଧାର ଅନ୍ୟ ଏକ କାରଣ ଭାବେ ଉଭା ହୋଇଛି । ସରକାରଙ୍କ ତରଫରୁ ଲୋକଙ୍କୁ ସତର୍କିତ କରିବା ସହ ଶିକ୍ଷାନୁଷ୍ଠାନ ଓ ଜନଗହଳିପୂର୍ଣ୍ଣ ସ୍ଥାନକୁ ବି ବନ୍ଦ କରାଯାଇଛି । କରୋନାକୁ ପ୍ରତିରୋଧ କରିବା ପାଇଁ ମାଷ୍ଟରପ୍ଲାନ କରାଯାଉଥିବା ବେଳେ ସୋସିଆଲ ମିଡ଼ିଆ ଓ ବିଭିନ୍ନ ଲୋକଙ୍କର ଗୁଜବ ଜନିତ ଖବର ମନ ଭିତରେ ଆଉ ଟିକେ ଶଙ୍କା ପଶେଇବାରେ ସାହାଯ୍ୟ କରୁଛି ।
ତେବେ ଏସବୁ ସମୟରେ ସରକାରଙ୍କ ତରଫରୁ କରୋନାକୁ ପ୍ରତିହତ କରିବା ପାଇଁ ଅନେକ ନୂତନ ଯୋଜନାମାନ ପ୍ରସ୍ତୁତ କରାଯାଉଛି । ପ୍ରଥମତଃ ଆମ ରାଜ୍ୟ ଓଡ଼ିଶା – ଉଡ୍ରର ପରିବର୍ଦ୍ଧିତ ସଂସ୍କରଣ । କୁହାଯାଏ କଳିଙ୍ଗା ସାହାସିକା । ଆମେ ଡ଼ରିବା ଶିଖିନୁ । ଆମ ରାଜ୍ୟବାସୀ ସବୁ କଳାରେ ପାରଙ୍ଗମ । ଏବେ କରୋନାର ଭୟାବହତା ପାଇଁ ଅନ୍ୟ ରାଜ୍ୟରେ ଫସିରହିଯାଇଥିବା ଆମ ଓଡ଼ିଆ ପ୍ରବାସୀ ଶ୍ରମିକ ଭାଇମାନେ ଆମ ରାଜ୍ୟକୁ ଫେରିଛନ୍ତି । କହିବାକୁ ଗଲେ ସେମାନେ ଯେଉଁ କମ୍ପାନୀରେ କାମ କରନ୍ତି , ସେ କ୍ଷେତ୍ରରେ ବେଶ ଧୂରନ୍ଧର ଅଟନ୍ତି । କପା କାରଖାନାରେ କାମ କରୁଥିବା ବ୍ୟକ୍ତି ସେ କାରଖାନାର ବିଭିନ୍ନ କାମ ସହ ବେଶ ଭଲ ଭାବରେ ଜଡ଼ିତ । ଆଉ ଅଭିଜ୍ଞ ମଧ୍ୟ । ତେଣୁ ଯଦି ଓଡ଼ିଶାରେ ସେମିତି କିଛି ଶିଳ୍ପ ସ୍ଥାପନ କରାଯାଇପାରନ୍ତା , ତାହେଲେ ଆମ ଓଡ଼ିଆ ଶ୍ରମିକ ଭାଇ ମାନେ ସେମାନଙ୍କ ଅଭିଜ୍ଞତାକୁ ପରିପ୍ରକାଶ କରିପାରନ୍ତେ ଆଉ ତା ସହିତ ବାହାର ରାଜ୍ୟକୁ ଯିବାକୁ ନାଁ ବି ଧରନ୍ତେନି । ନିଜ ରାଜ୍ୟରେ ରୁହନ୍ତେ ଆଉ ଆମ ରାଜ୍ୟର ଅର୍ଥନୈତିକ ବିକାଶ ବି ହୁଅନ୍ତା । ଦ୍ୱିତୀୟରେ କୃଷି କ୍ଷେତ୍ରରେ ବ୍ୟାପକ ସୁବିଧା ସୁଯୋଗ ଅଛି । କୃଷି କ୍ଷେତ୍ରରେ ବିଭିନ୍ନ ଷ୍ଟାର୍ଟ ଅପ ହେଉ କିମ୍ବା ଉଦ୍ୟୋଗର କଥା ହେଉ ଏସବୁଥିରେ ବି ଶ୍ରମିକ ମାନଙ୍କ ଆବଶ୍ୟକତା ରହିଛି । ଏହା ଫଳରେ କୃଷି କ୍ଷେତ୍ରରେ ସୁଧାର ଆସିପାରନ୍ତା ତଥା ଶ୍ରମିକ ମାନେ ଏସବୁ କାର୍ଯ୍ୟରେ ନିୟୋଜିତ ହେଲେ ଶ୍ରମିକ ଅଭାବ ସମସ୍ୟା ବି ଦୂର କରାଯାଇପାରନ୍ତା । ଶ୍ରମିକ ମାନଙ୍କୁ ନିଜ ରାଜ୍ୟରେ ଥଇଥାନ କରାଗଲେ ସେମାନେ ଦାଦନ ଖଟିବାକୁ ଯିବା ଦରକାର ହୁଅନ୍ତାନି । ଲୋକଟିଏ ଦାଦନ ଖଟେ ନିଜର ପରିବାର ଚଳେଇବା ପାଇଁ , ନିଜ ପିଲାଛୁଆ ମୁହଁରେ ଦାନା ଦି ମୁଠା ଦେବା ପାଇଁ । କିନ୍ତୁ ଯଦି ସେମାନେ ନିଜ ରାଜ୍ୟରେ ରହି କାମ କରିପାରନ୍ତେ , ତାହେଲେ ପରିବାର ଦେଖିବା ସହ ନିଜ କର୍ମକୁଶଳତାକୁ ଉପଯୋଗ କରି ରାଜ୍ୟର ବିକାଶରେ ସାରଥୀ ବନିପାରନ୍ତେ ।
ଆମେ ଚାହିଁଲେ ନିଜେ ଉଦ୍ଯୋଗୀ ହୋଇପାରିବା । ଆମ ପାଖରେ ହିଁ ନିଜେ ବଂଚିବାର ରାହା ଅଛି । ଆମେ ନିଜକୁ ସ୍ୱାବଲମ୍ବୀ କରିପାରିବା । ନିଜକୁ ଆତ୍ମନିର୍ଭରଶୀଳ କରିପାରିବା । ଯଦି କୃଷି କ୍ଷେତ୍ରକୁ ଲକ୍ଷ୍ୟ କରିବା ତାହେଲେ ଏହା ଆମକୁ ସ୍ୱାବଲମ୍ବୀ ହେବାର ମୁଖ୍ୟ ଖୋରାକ ଯୋଗାଇପାରିବ । ଜଣେ ଲୋକ ନିଜେ ଘରେ ଚାହିଁଲେ ଛତୁ ଚାଷ କରି ବେଶ ଦି ପଇସା କମେଇପାରିବ । ସମନ୍ୱିତ କୃଷି ମାଧ୍ୟମରେ ଆମେ ପନିପରିବା ଚାଷ ସହ ଗୋପାଳନ, କୁକୁଡ଼ା ଚାଷ ଆଦି କରି ମଧ୍ୟ ରୋଜଗାରର ବାଟ ବନେଇପାରିବା । ଆମ ପାଖରେ ହିଁ ଆମ ରୋଜଗାର ଅଛି । କେବଳ ଦୃଢ଼ ମନୋବଳ ହିଁ ଏହାକୁ ସାର୍ଥକ ପ୍ରତିଫଳନ ଦେବାରେ ସାହାଯ୍ୟ କରିବ । ରୁଫଟଫ ଗାର୍ଡ଼େନିଂ – ସହରାଂଚଳ କୃଷିର ଏକ ସ୍ୱତନ୍ତ୍ର ଅବଦାନ । ଏବେ ସମସ୍ତେ ନିଜ ଘରେ ଛାତ ଉପରେ ବଗିଚା ସୃଷ୍ଟି କରିବାରେ ଲାଗିଗଲେଣି । ଏହା ମନକୁ ହାଲୁକା ରଖିବା ସହ ଘର ଛାତର ସୌନ୍ଦର୍ଯ୍ୟ ବି ବଢ଼ିପାରିବ । ହାଇଡ଼୍ରୋପନିକ୍ସ- ଏହା କୃଷି ଉପାôଦନର ଏକ ଉନ୍ନତ ପଦ୍ଧତି । ସାଧାରଣତଃ ଆମେ ମାଟିରେ ଗଛ ବଢୁଥିବା ଦେଖିଛେ କିନ୍ତୁ ହାଇଡ୍ରୋପୋନିକ୍ସ ସେ ସବୁରୁ ଟିକିଏ ଭିନ୍ନ । ବିନା ମୃତ୍ତିକା ସାହାଯ୍ୟରେ ଉଦ୍ଭିଦ ବଢାଇବା ପଦ୍ଧତିକୁ ହାଇଡ୍ରୋପୋନିକ୍ସ କୁହାଯାଏ । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ । ଏହି ପ୍ରଣାଳୀରେ କେବଳ ପାଣିରେ ସମସ୍ତ ବୃକ୍ଷ ବଢିପାରିବ । ମୋଟ ଉପରେ କହିବାକୁ ଗଲେ ମୃତ୍ତିକାର ବିନା ସାହାଯ୍ୟରେ ପାଣିରେ ସମସ୍ତ ଆବଶ୍ୟକୀୟ ପୋଷକ ପଦାର୍ଥ ମିଶାଇ ଯେ କୌଣସି ଗଛ ବଢାଇବାକୁ ହାଇଡ୍ରୋପୋନିକ୍ସ କୁହାଯାଏ । ଏହାର ମୁଖ୍ୟ ଉପକାରିତା ମଧ୍ୟରେ ହାଇଡ୍ରୋପୋନିକ୍ସ ଦ୍ୱାରା ବର୍ଷର ଯେ କୈାଣସି ସମୟରେ ମଧ୍ୟ ଫସଲ ଚାଷ ଏବଂ ଅମଳ କରାଯାଇ ଖାଦ୍ୟ ସମସ୍ୟାକୁ ଦୂର କରାଯାଇପାରିବ ।ଏହି ଉପାୟରେ ୯୦ ପ୍ରତିଶତ ଜଳ ସଂରକ୍ଷଣ କରାଯାଇପାରିବ । ସ୍ୱଳ୍ପ ସ୍ଥାନ ଏବଂ ଖୁବ କମ୍ ସମୟରେ ଅଧିକ ଫସଲ ଅମଳ କରାଯାଇପାରିବ । ଏହା ଦ୍ୱାରା ଜୌବିକ ଫସଲ ଉତ୍ପାଦନ କରାଯାଇପାରିବ ।
ଏ ଦୁଃସମୟ ପୁଣି ହଟିବ । ଆମ ଓଡ଼ିଶା ହସିବ । ପୁଣି ଥରେ କିଛି ନୂଆ କରିବାର ଆଶା ଓ ବିଶ୍ୱାସ । ନୂତନ ସ୍ୱପ୍ନ ଓ ସମ୍ଭାବନାର ପରିସର ପରିବ୍ୟାପ୍ତ । ଏକ ନବଭାରତର ପରିକଳ୍ପନା ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ୍ । ଭାରତକୁ ବିଶ୍ୱ ସ୍ତରରେ ବିଦିତ କରିବାର ସଂକଳ୍ପ ନେଇ ଆମକୁ ଆଗେଇ ଯିବାକୁ ହେବ । ଭାରତର ଅର୍ଥନୀତିକୁ ବିଶ୍ୱ ମାନଚିତ୍ରରେ ସୁଦୃଢ଼ କରିବାର ଏକ ଦିଗନ୍ତବିସ୍ତାରୀ ପାଣ୍ଡୁଲିପି ପ୍ରସ୍ତୁତ କରିବାକୁ ହେବ । ଭାରତୀୟତାର ମନ୍ତ୍ରକୁ ଗୁଞ୍ଜରିତ କରିବାକୁ ପଡ଼ିବ । ସମୟ ଆସିଛି ନିଜକୁ ଉଦ୍ୟୋଗୀ ଭାବେ ପରିଗଣିତ କରିବାର । ଉଦ୍ୟୋଗୀକରଣର ସଂଜ୍ଞା ଏବେ ଆମକୁ ନିଜେ ହିଁ ବୁଝିବାକୁ ପଡ଼ିବ । କରୋନାର ଏ ମହାମାରୀ ସମୟରେ ଘରେ ତାଲାବନ୍ଦ ହୋଇ ନ ବସି ନିଜେ କିପରି ଆତ୍ମନିର୍ଭରଶୀଳ ହୋଇପାରିବା , ସେ ଦିଗରେ ଅନୁଧ୍ୟାନ କରିବା । ପରିସ୍ଥିତି ସହ ନିଜକୁ ବି ଖାପଖୁଆଇ ଚଳିବାକୁ ହେବ । ସମୟ ସହ ତାଳଦେଇ ଆମେ ଏ କରୋନାକୁ ହରାଇବା । ତାହେଲେ ପୁଣି ଥରେ ଦୁଃସମୟର ଅନ୍ତ ଘଟି ନବୀନ ସୂର୍ଯ୍ୟ ଉଦିତ ହେବ ।
**********************************
ଡ଼ି ଶୁଭମ୍
(ସମ୍ପାଦକ-ଶ୍ୟାମଳ ସୁବର୍ଣ୍ଣ , ବାସୁଦେବପୁର , ଭଦ୍ରକ , ମୋ – ୯୪୩୮୪୬୭୦୭୯)