ବିପର୍ଯ୍ୟୟ ପରିଚାଳନାର ଚାଣକ୍ୟ

.

ସାରା ପୃଥିବୀ, ସମଗ୍ର ମାନବ ସମାଜ ଅବିଶ୍ୱାସ, ଆତଙ୍କ, ଆଶଂକା ଭିତରେ । ଏ ମଣିଷର ସବୁ କଳ, ବଳ, କୌଶଳ ବାଟବଣା ହେଇଗଲା, ବୁଦ୍ଧି ହଜିଗଲା । ଏମିତି ବି ହେଇପାରେ! ମଣିଷ କ’ଣ ଭାବିଥିଲା କେବେ? ବିଜ୍ଞାନ ବି ପାରୁନି । ଅବଶ୍ୟ ସମୟ ଆସିବ, ବିଜ୍ଞାନ ତା’ ଚେଷ୍ଟାରେ ସଫଳ ହେବ । ତେବେ ଅନେକ ଜୀବନ ଚାଲିଗଲା । ପ୍ରତି ମୁହୂର୍ତରେ ଯାଉଛି । ଆଉ କେତେଯିବ, ତା’ର ଠିକଣା ନାହିଁ । ଯାହା ହେଇଗଲା, ଯାହା ହବାକୁ ଅଛି, ତାହା ଏକ ଖଣ୍ଡପ୍ରଳୟର ମାତ୍ର କିଛି ଅଂଶ । କୁହାଯାଇପାରେ କରୋନା କଳିକାଳ ବିନାଶର ଗୋଟେ ଛୋଟ ଟ୍ରେଲର ମାତ୍‌୍ର । ଏ ମତକୁ ଅନେକ ପସନ୍ଦ ନ କରିପାରନ୍ତି, କିନ୍ତୁ ଲେଖିବାକୁ ବାଧ୍ୟ ହେଉଛି ଯେ, ଏଇଭଳି କିଛି ଦୁଃଖଦ ଘଟଣା, ପ୍ରାକୃତିକ ଦୁର୍ବିପାକ ଏ ସୃଷ୍ଟିର ସ୍ଥିତିରେ ପରିବର୍ତନ ଆଣିପାରେ । କାରଣ ଅତିର ଇତି ଅଛି । ସେଇ ଇତିର ପ୍ରାକ୍ ଆଭାସ ହୋଇପାରେ କରୋନା । ମାଳିକାର ଅନେକ ବାଣୀ ସତ ହେବାରେ ଲାଗିଛି, ଆମେ ମାନୁ କି ନ ମାନୁ । ତେବେ କଳିକାଳ ସରିବାର ଲକ୍ଷ ଲକ୍ଷ ବର୍ଷ ବାକି ଅଛି ବୋଲି ଶାସ୍ତ୍ରଜ୍ଞମାନେ କହୁଛନ୍ତି । ତେଣୁ ଭାବନ୍ତୁ, ଏବେଠୁଁ ଯଦି ଏମିତି ହେଲାଣି, ତା’ହେଲେ ଆଗକୁ କ’ଣ ନ ହେବ? ଆମ ଭବିଷ୍ୟତ ପିଢିଙ୍କୁ କ’ଣ କ’ଣ ସବୁ ନ ଭୋଗିବାକୁ ପଡ଼ିବ!

.

.ମଣିଷର ଜୀବନ ପ୍ରତି ଅହେତୁକ ମୋହ । ବଂଚିବାର ସେଇ ଦୁର୍ବାର ଲାଳସା ସବୁ ମଣିଷଙ୍କର । ସେଇ ବଂଚିବା ପାଇଁ ଯାହା କିଛି ସାଧନ ଲୋଡ଼ା, ଏଇ ଯେମିତି ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ଆବଶ୍ୟକତା । ତେବେ ଆମେ କ’ଣ କଲୁ, ଆବଶ୍ୟକତା ଠାରୁ ଅଧିକ ଯୋଗାଡ଼ରେ ଲାଗିପଡ଼ିଲୁ, ଲୋଭ ବଢିଲା, ଅସତ୍ ଉପାୟ ଅବଲମ୍ବନ କଲୁ । ଚୋରୀ, ନାରୀ ଆଦି ପାପ କଲୁ । ଏ କଳିକାଳରେ ମନ୍ଦପ୍ରବୃତିଗୁଡ଼ିକୁ କିନ୍ତୁ ଆମେ ପାପ ବୋଲି ଭାବିଲୁନାହିଁ । ସେସବୁ ଡାରଉଇନଙ୍କ ‘ଯୋଗ୍ୟତମର ଉଦବର୍ତନ’ ନ୍ୟାୟରେ ପୁଣ୍ୟ ବୋଲି ବିଚାରି ମାଡ଼ିଚାଲିଲୁ, ମଡ଼େଇଚାଲିଲୁ । ଅନ୍ୟାୟ, ଅନୀତି ବଢିଚାଲିଲା । ଅସାଧୁ ସାଧୁ ବୋଲାଇଲେ । ଏ କଳିକାଳରେ ଯିଏ କଳିକୁ କଳିପାରିଲା ଓ ବଳିପାରିଲା, ସିଏ ପାରିଲା । କିନ୍ତୁ ଏବେ ‘କରୋନା କାଳ’ରେ ସାମାନ୍ୟ ଭୂତାଣୁଟେ କାଳ ହେଇ ବସିଛି । ପାଦେ ପାଦେ ଭୟ । ଧନୀ ଠୁଁ ଗରିବ, ପାପୀ ଠାରୁ ପୁଣ୍ୟବନ୍ତଙ୍କ ପର୍ଯ୍ୟନ୍ତ ସମସ୍ତେ ଏ କରୋନାର କବଳରେ । ଏବେ ବେଶୀ ବେଶୀ ଗ୍ରାସୁଛି ଜୀବନର ମୋହ । ଏଇ ସନ୍ଧିକ୍ଷଣରେ ସୃଷ୍ଟି ହୋଇଛି ବିଶ୍ୱାସର ସଂକଟ । କାହାକୁ ବିଶ୍ୱାସ କରିବା! ନିଜ ଛାଇକୁ ବି ଡର ମାଡ଼ୁଛି, କାଳେ କରୋନା ଛପିକି ଥିବ ସେଇ ଛାଇରେ । ନିଜ ହାତକୁ, ମୁହଁକୁ, ଚୁଟିକୁ ବିଶ୍ୱାସ କରିହେଉନାହିଁ । ମୁହଁ କୁଣ୍ଡେଇ ହଉଚି, କିନ୍ତୁ ହାତକୁ ମୁହଁରେ ଲଗାଇବାକୁ ଭୟ ଲାଗୁଛି । ନାକରେ, କାନରେ ହାତ ମାରିବାକୁ ହାତ ପଳଉଛି, କିଂତୁ ହଠାତ୍ ଅଟକିଯାଇଛି । ସବୁ ଅଛି, କିନ୍ତୁ ତା’ର ଉପଯୋଗ ହେଇପାରୁନାହିଁ । ମଣିଷ ନିଜ ଶରୀରର ଅଙ୍ଗଗୁଡ଼ିକୁ ବିଶ୍ୱାସକୁ ନେବା ମୁସକିଲ ହେଇପଡ଼ୁଛି । ଯୋଉ ରାସ୍ତା ଥିଲା ପ୍ରଗତିର ରାସ୍ତା, ଦୈନନ୍ଦିନ ଜୀବନଯାପନର ରାସ୍ତା, ସେଇ ରାସ୍ତାକୁ ଯିବାକୁ ଭୟ ଲାଗୁଛି । ଘରୁ ବାହାରକୁ ବାହାରିଲେ ବିପଦ ହିଁ ବିପଦ; ଛାପା, ବୈଦ୍ୟୁତିକ, ସାମାଜିକ ଗଣମାଧ୍ୟମ ବାରମ୍ବାର ସେଇ ଖବରକୁ ପ୍ରସାରିତ କରୁଛି । କରୋନା ଏବେ ମଣିଷକୁ ବାଧ୍ୟ କରିଛି ଘରେ ରହିବାକୁ । ଅବଶ୍ୟ ଆମ ଭଳି ଗଣମାଧ୍ୟମ ବ୍ୟକ୍ତିବିଶେଷ, ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀ, ପୁଲିସ, ସାମରିକ, ଅର୍ଦ୍ଧ ସାମରିକ, ସଫେଇ କର୍ମଚାରୀ ଏବଂ କରୋନାକୁ ମୁକାବିଲା କରିବା ପାଇଁ ନିୟୋଜିତ ଅନ୍ୟ ସରକାରୀ କର୍ମଚାରୀ, ସ୍ୱେଚ୍ଛାସେବୀ ଆଦି ସଂପୂର୍ଣ୍ଣ ଭାବେ ଘରେ ରହିବା ସଂଭବ ହେଉନାହିଁ । ତେବେ ଘରେ ରହିବାର ମଜା ନିଆରା । ତେବେ ଗୃହବନ୍ଦୀ ହୋଇ ଯେଉଁ ମାନସିକ ଅବସ୍ଥାରେ ଏବେ ମଣିଷ ରହୁଛି, ତାହା ସେଭଳି ମଜା ଆଣିପାରୁନାହିଁ । ଅପରପକ୍ଷେ ଘରେ ରହିବା ଅଧିକାଂଶଙ୍କ ପାଇଁ ଗୋଟେ ବଡ଼ ସଜା । ତେବେ ଜୀବନ ବଂଚାଇବାକୁ ହେଲେ ଘରେ ହିଁ ରହିବାକୁ ପଡ଼ିବ । ଘରେ ରହିଲେ ସ୍ୱର୍ଗ, ବାହାରକୁ ବାହାରିଲେ ନରକ ।

.

ଏଭଳି ସ୍ଥିତି ଆପଣ କେବେ ଦେଖିଥିଲେ? ହୁଏତ ଆପଣ କହିପାରିବେ, ୧୯୮୨-ମହାନଦୀ ମହାବନ୍ୟା, ୧୯୯୯- ମହାବାତ୍ୟା, ୨୦୧୩-ଫାଇଲିନ୍‌, ୨୦୧୪-ହୁଡ୍‌ହୁଡ୍‌, ୨୦୧୮-ତିତଲି, ୨୦୧୯-ଫନିର ମୁକାବିଲା ତ ଆମେ କରିଥିଲେ । ହଁ, କରିଥିଲେ, ତାହା ବି କିଛି କମ୍ ଯଂତ୍ରଣାଦାୟକ ନଥିଲା । ବହୁ କ୍ଷୟକ୍ଷତି ହୋଇଥିଲା ସେଥିରେ, ଧନ-ଜୀବନ ନଷ୍ଟ ହୋଇଥିଲା । ତେବେ ଗୋଟାକ ପରେ ଗୋଟେ ପ୍ରାକୃତିକ ବିପର୍ଯ୍ୟୟ ଆମକୁ ବହୁତ ଶିକ୍ଷା ଦେଲା । ଆମେ ଚେତିଲୁ, କିନ୍ତୁ କରୋନା ପାଇଁ ଆମେ ନାଚାର । ଏବେ ଏକାନ୍ତବାସ ହିଁ ଏକମାତ୍ର ବିଚାର । ତେବେ ସବୁଠୁ ବଡ଼ କଥା ହେଲା, ବିପର୍ଯ୍ୟୟ ପରିଚାଳନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ତତ୍ପରତା । ଲକ୍ ଡାଉନ୍ ହେଲା, ବିଭିନ୍ନ ପଦକ୍ଷେପ ନିଆଗଲା, ତେବେ ଆଉ କିଛି ଦିନ ପୂର୍ବରୁ ଏହା କରାଯାଇଥିଲେ ଭଲ ହୋଇଥାନ୍ତା! ବିଦେଶରୁ ଆସୁଥିବା ବ୍ୟକ୍ତିମାନଙ୍କର ଚିହ୍ନଟ ଓ ପରୀକ୍ଷଣରେ କିଛିଟା ବିଳମ୍ବ ଘଟିଛି । ତେବେ ସାମାନ୍ୟ ବିଳମ୍ବରେ ହେଉ ପଛେ, ବର୍ତମାନ ସରକାର ଯାହା ପଦକ୍ଷେପନେଉଛନ୍ତି, ତାହା ସ୍ୱାଗତଯୋଗ୍ୟ, ଜନସାଧାରଣ ଏଥିରେ ସହଯୋଗ କରିବା ଜରୁରି । ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟ ସରକାରଙ୍କ କେତେଟା ପଦକ୍ଷେପ ପ୍ରଣିଧାନଯୋଗ୍ୟ ।

ଆପଣ ଜାଣନ୍ତି ବିପର୍ଯ୍ୟୟ ପରିଚାଳନାରେ ନବୀନ ସରକାର ଆଗରେ ରୁହନ୍ତି । ରାଜସ୍ଥାନର ଏକ ଖବରକାଗଜ ‘ଦୈନିକ ନବଜ୍ୟୋତି’ରେ ମୁଖ୍ୟମଂତ୍ରୀ ନବୀନ ପଟ୍ଟନାୟକଙ୍କ କରୋନା ମୁକାବିଲା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହାକି ସଂପ୍ରତି ଚର୍ଚାରେ । ରାଜସ୍ଥାନ ସରକାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ କରୋନା ପରିଚାଳନା ନେଇ ଏକ ତୁଳନାତ୍ମକ ରିପୋର୍ଟ ସେଥିରେ ପ୍ରକାଶ ପାଇଛି । ନବୀନ ବାବୁଙ୍କୁ ସେଥିରେ ‘ବିପର୍ଯ୍ୟୟ ପରିଚାଳନାର ଚାଣକ୍ୟ’ ଭାବେ ଆଖ୍ୟା ଦିଆଯାଇଛି । ଅନ୍ୟ ରାଜ୍ୟମାନେ ଓଡ଼ିଶା ଠାରୁ ଶିଖିବାକଥା । ପାଠକବଂଧୁ, ସେହି ଖବରକାଗଜର ଆଜମେର ଏଡିସନରେ ଲେଖାଯାଇଛି ଯେ, କରୋନା ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କରିବାରେ ଦେଶରେ ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା । ବିଦେଶରୁ ଆସୁଥିବା ଲୋକଙ୍କର ପଂଜୀକରଣ କରି ହୋଟେଲରେ କ୍ୱାରାଂଟାଇନ୍ ବ୍ୟବସ୍ଥା କରିବାରେ ଓଡ଼ିଶା ପ୍ରଥମ । ଦେଶର ପ୍ରଥମ ସହର ହେଉଛି ଭୁବନେଶ୍ୱର, ଯେଉଁଠି ଜରୁରି ସାମଗ୍ରୀକୁ ହୋମ୍ ଡେଲିଭରି କରାଯାଉଛି । କରୋନା ରୋଗୀଙ୍କ ପାଇଁ ବେଡ୍ ପ୍ରସ୍ତୁତ କରିବାରେ ସମ୍ ହସପିଟାଲ ଓ କିମ୍ସ ସହ ସରକାରଙ୍କ ବୁଝାମଣା ଆଉ ଏକ ବଡ଼ ପଦକ୍ଷେପ । ଅନ୍ୟ ରାଜ୍ୟରେ ରହୁଥିବା ଓଡ଼ିଆମାନଙ୍କୁ ଖାଦ୍ୟପେୟ ଓ ଅନ୍ୟ ସୁବିଧାସୁଯୋଗ ଯୋଗାଇଦେବା ପାଇଁ ଓଡ଼ିଶା ସରକାର ଅନ୍ୟ ରାଜ୍ୟମାନଙ୍କୁ ନିବେଦନ କରିଛନ୍ତି । ସେହପିରି ଆମ ରାଜ୍ୟରେ ଅନ୍ୟ ରାଜ୍ୟରୁ ଆସିଥିବା ୨୦ହଜାର ଶ୍ରମିକଙ୍କ ପାଇଁ ରହିବା ଓ ଖାଇବା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଓଡ଼ିିଶାରେ ରହିଥିବା ଅନ୍ୟ ରାଜ୍ୟର ସମସ୍ତ ଅଧିବାସୀଙ୍କୁ ଓଡ଼ିଶା ସରକାର ସହାୟତା କରୁଛନ୍ତି । ସାମାଜିକ ଦୂରତ୍ୱ ପାଇଁ ପ୍ରଶାସନିକ ସ୍ତରରେ ଦୃଢ ପଦକ୍ଷେପ ନିଆଯାଇଛି । ପଂଚାୟତ ସ୍ତରରେ ମଧ୍ୟ ବେଶ୍ ତତ୍ପରତା ଦେଖାଦେଇଛି ।

ପୂର୍ବରୁ ପ୍ରଧାନମଂତ୍ରୀ ନରେନ୍ଦ୍ର ମୋଦୀ ନବୀନ ସରକାରଙ୍କୁ ପ୍ରଶଂସା କରିଛନ୍ତି । ସେଥିପାଇଁ ବିଭିନ୍ନ କାରଣରୁ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି । ବିଶେଷ କରି ରାଜ୍ୟ ସରକାରଙ୍କ କୋଭିଡ଼-୧୯ର ମୁଖପାତ୍ର ସୁବ୍ରତ ବାଗଚୀଙ୍କର ପ୍ରତିଦିନର ସାମ୍ବାଦିକ ସମ୍ମିଳନୀ ବେଶ୍ ଲୋକପ୍ରିୟ ହୋଇଛି । କେହି କେହି ସୁବ୍ରତ ବାବୁଙ୍କୁ ଓଡ଼ିଶାର ଆଗାମୀ ମୁଖ୍ୟମଂତ୍ରୀ ଭାବେ ଉପସ୍ଥାପିତ କଲେଣି । ସୋସିଆଲ ମିଡିଆରେ ଦିନକୁ ଦିନ ବିଭିନ୍ନ ସମାଲୋଚନା ମଧ୍ୟ ସାମ୍ନାକୁ ଆସୁଛି । ରାଜ୍ୟ ସରକାର କରୋନା ପାଇଁ ପାଣ୍ଠିର ସଦୁପଯୋଗ କରୁନାହାନ୍ତି ଏବଂ ପ୍ରକୃତ ଆକ୍ରାନ୍ତଙ୍କ ସଂଖ୍ୟା ଲୁଚାଉଛନ୍ତି ବୋଲି ଅଭିଯୋଗ ମଧ୍ୟ ଶୁଣିବାକୁ ମିଳୁଛି । ତେବେ ଯେକୌଣସି କାର୍ଯ୍ୟରେ କିଛି ତ୍ରୁଟି ବିଚ୍ୟୁତି ତ ନିଶ୍ଚିତ ରହିବ, ତେଣୁ ବର୍ତମାନ ସମୟର ଆହ୍ୱାନ, ଚାଲନ୍ତୁ ମିଳିମିଶି କରୋନାର ମୁକାବିଲା କରିବା । ପରିଷ୍କାର, ପରିଚ୍ଛନ୍ନ ରହିବା ଏବଂ ସାମାଜିକ ଦୂରତ୍ୱ ରକ୍ଷାକରିବା । 

Share

Related Posts

5 7 votes
Rating
Subscribe
Notify of
guest
2 Comments
Newest
Oldest Most Voted
Inline Feedbacks
View all comments
BNirupama
Guest
BNirupama
4 years ago

ବହୁତ ସୁନ୍ଦର ଉପସ୍ଥାପନ।

BNirupama
Guest
BNirupama
4 years ago

Habit Sunday aalekhya

2
0
Would love your thoughts, please comment.x
()
x